ଜଗତସିଂହପୁର ,ତା 25.07.24 ସୁମନ୍ତ କୁମାର ଦାସ:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ 78 ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତ ଆଗାମୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୫ ଦିନ ପ୍ରାତଃ ଘ. ୪.୩୦ ମି ରେ ରାମଧୁନ, ପ୍ରଭାତ ଫେରି ସକାଳ ୬ ଘଟିକା ,ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ସକାଳ ୭ଘ.୩୦ ମି ଏବଂ ଜିଲ୍ଲାସ୍ତରୀୟ ପତାକା ଉତ୍ତୋଳନ ପୂର୍ବାହ୍ନ ଘ ୯.୧୫ ମି ସମୟରେ ଅନୁଷ୍ଠିତ ହେବ। ପ୍ରତ୍ୟେକ କାର୍ଯ୍ୟାଳୟରେ ନୂତନ ପତାକା ବ୍ୟବହାର କରି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଅଗଷ୍ଟ ୧୧ ଓ ୧୨ ତାରିଖ ଅପରାହ୍ନ ୩ ଘଟିକା ଓ ୧୩ ତାରିଖ ସକାଳ ୭ଘ.୩୦ ମି ସମୟରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଅଭ୍ୟାସ ପ୍ୟାରେଡ ଅନୁଷ୍ଠିତ ହେବ। ପ୍ୟାରେଡ ରେ କେବଳ ଅଷ୍ଟମରୁ ଦଶମ ଓ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରଥମ ରୁ ତୃତୀୟ, ୪ର୍ଥ ରୁ ୫ମ, ୬ଷ୍ଠ ରୁ ୮ମ, ହାଇସ୍କୁଲ ଓ କଲେଜ ସ୍ତରରେ ବକୃତା, ଦେଶାତ୍ମକ ବୋଧକ ସଙ୍ଗୀତ ଓ କୁଇଜ୍ ପ୍ରତିଯୋଗିତା ବ୍ଲକ ଓ ପୌର ପରିଷଦ ମଧ୍ୟରେ ୭.୮.୨୩ ରିଖ ଓ ଜିଲ୍ଲାସ୍ତରରେ ତା ୧୦.୦୮.୨୩ ରିଖରେ ଅନୁଷ୍ଠିତ ହେବ। ପ୍ୟାରେଡ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବିଭିନ୍ନ ବିଦ୍ୟାଳୟ ମଧ୍ୟରେ ପ୍ରତିଯୋଗିତା କରି ୪ ଗୋଟି ସାଂସ୍କୃତିକ ଦଳକୁ ବାଛିବେ। ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ସ୍ଥାନୀୟ ଅନୁଷ୍ଠାନ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସ୍ୱାଧୀନତା ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଆଲୋକ ସଜ୍ଜା କରାଯିବ। ବିଭିନ୍ନ ବିଭାଗ ଓ ପାରାଦ୍ବୀପ ର ପ୍ରମୁଖ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ସମୟରେ ପ୍ରଦର୍ଶିତ ହେବ । ଜେଲର ଅନ୍ତେବାସୀ ଓ ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ସ୍ୱାଧୀନତା ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ଫଳ ବଣ୍ଟନ କରାଯିବ। ପ୍ୟାରେଡ ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ବୃ୍କ୍ଷରୋପଣ କରାଯିବ। ଏହି ବୈଠକରେ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଡ଼ିଏସପି, ଡିଆଇ ବି ଶ୍ରୀ ସତ୍ୟବ୍ରତ ଦାସ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଶ୍ମିରଂଜନ ସାହୁ,ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଉମାକାନ୍ତ ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା,ପୌର ପରିଷଦ ନିର୍ବାହୀ ଅଧିକାରୀ କଳ୍ପିତା କୁମାରୀ ଜେନା,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ, ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ, ସହରର ମାନ୍ଯଗଣ୍ଯ ବ୍ୟକ୍ତି ,ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ,ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଜିଲ୍ଲାପାଳଙ୍କ ଆଦେଶ ମତେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ।ଶେଷରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.