ଚିଲିକା (ସେକ କୌସର ): ଗଣମାଧ୍ୟମରେ ଖବର ପ୍ରକାଶନ ପରେ ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଉଦ୍ୟମକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ମୃତ କଣ୍ଡୁରୀ ବେହେରାଙ୍କ ପରିବାର ସରକାରୀ ସହାୟତା ପାଇଛନ୍ତି। ସୂଚନା ମୁତାବକ ଗତ ମାସ ୨୦ତାରିଖ ଗୁରୁବାରେ ବାଲୁଗାଁ ପାଟଣା ସାହିର କଣ୍ଡୁରୀ ବେହେରା (୭୦) ଙ୍କ ଚିଲିକା ଜେଟି ରେ ପାଦ ଖସିଯିବାରୁ ସେ ଚିଲିକାରେ ବୁଡିଯାଇ ମୃତ୍ୟୁ ବରଣ କରିଥିଲେ। ମୃତ କଣ୍ଡୁରୀ ସ୍ଥାନୀୟ ମାଛ ଗୋଦାମରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ବେଳେ ପରିବାରଟି ଗରିବ ଶ୍ରେଣୀର ହୋଇଥିବାରୁ ବହୁ କଷ୍ଟରେ ଜୀବନ ଯାପନ କରୁଥିଲେ।ତେବେ ଘଟଣାର କୋଡିଏ ଦିନ ପରେ ମଧ୍ୟ ମୃତ କଣ୍ଡୁରିଙ୍କ ପରିବାରକୁ କୈାଣସି ସରକାରୀ ସହାୟତା ମିଳି ପାରିନଥିଲା। ଆଜିକାଲି କହି ବିଭିନ୍ନ ସରକାରୀ ଅଧିକାରୀମାନେ ସମୟ ଗଡାଇ ଚାଲିଥିଲେ। ତେବେ ଏ ନେଇ ନିକଟରେ ଏକ ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶିତ ହୋଇଥିଲା।ତେବେ ଉକ୍ତ ଖବର ବିଷୟରେ ଅବଗତ ହେଲା ପରେ ବାଣପୁର କୋର୍ଟରେ ନୂତନ ଭାବେ ଯୋଗଦେଇଥିବା ବରିଷ୍ଠ ଦେୱାନୀ ବିଚାରପତି ତଥା ତାଲୁକା ଆଇନ ସହାୟତା କମିଟିର ଅଧ୍ୟକ୍ଷ ଅମରେଶ ମହାପାତ୍ର ମୃତକଙ୍କ ପରିବାରବର୍ଗକୁ କିପରି ସରକାରୀ ସହାୟତା ମିଳିପାରିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ।ସେ ତାଲୁକା ଆଇନ ସହାୟତା କମିଟିର ସ୍ୱେଚ୍ଛାସେବୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ମୃତକ ପରିବାରକୁ ସରକାରୀ ସହାୟତା ମିଳିନଥିବାରୁ ଦୁଃଖ ପ୍ରକାଶ କରିବା ସହ କିପରି ଦୁଃଖୀ ପରିବାରକୁ ସହାୟତା ମିଳିବ ସେନେଇ ତ୍ୱରୀତ ପଦକ୍ଷେପ ନେବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।ବିଚାରପତିଙ୍କ ନିର୍ଦ୍ଦେଶମତେ ତାଲୁକ ଆଇନ ସ୍ୱେଚ୍ଛାସେବୀ ଅମିତାଭ ପଟ୍ଟଯୋଶୀ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଚିଲିକା ତହସିଲଦାରଙ୍କ ସହିତ ଯୋଗାଯୋଗ କରି ତ୍ୱରୀତ ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ବିଚାରପତି ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ପରିବାରବର୍ଗ ଆଜି ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ସହାୟତା ପାଇଛନ୍ତି।ତତ୍ସହିତ ଆଇନ ସହାୟତା କମିଟି ପକ୍ଷରୁ ରେଡକ୍ରସ ଏବଂ ଅନୁକମ୍ପାମୂଳକ ସହାୟତା ରାଶି ତୁରନ୍ତ ମଞ୍ଜୁର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ମୃତକ କଣ୍ଡୁରୀଙ୍କ ପରିବାର ବିଚାରପତି ଶ୍ରୀ ମହାପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ବିଚାରପତି ଶ୍ରୀ ମହାପାତ୍ରଙ୍କ ଉକ୍ତ ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post