ପୂଜ୍ୟ ପୂଜା-ସାହିତ୍ୟ ସଂସ୍କୃତି,ପରମ୍ପରାକୁ ଅଧିକ ଉଜ୍ଜିବିତ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ-ବିଧାୟକ ଶାରଦା l

2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି, ଐତିହ୍ୟ ସମ୍ପନ୍ନ ମାହାଙ୍ଗା ମାଟିର ଅସ୍ମିତାକୁ ସୁରକ୍ଷିତ ରଖିବା ପାଇଁ ଏବଂ ବରପୁତ୍ର ମାନଙ୍କ ଅବଦାନର ପ୍ରଚାର ପ୍ରସାର ନିମନ୍ତେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଏପରିକି ପୂଜ୍ୟ ପୂଜାର ପରମ୍ପରାକୁ ଅଧିକ ଉଜ୍ଜିବିତ କରିବା ସହ ରାଜ୍ୟ ତଥା ଜାତୀୟ ସ୍ତରରେ ସେମାନଙ୍କର କାର୍ଯ୍ୟଧାରା ପରିପ୍ରକାଶ କରିବାକୁ ଏକ ବୈପ୍ଳବିକ କାର୍ଯ୍ୟ କରାଯିବା ପାଇଁ ଶ୍ରୀ ପ୍ରଧାନ କୁଳିଆ ସ୍ଥିତ କାର୍ଯ୍ୟାଳୟରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର ବହୁ ସାହିତ୍ୟିକ,ଲେଖକ, କବି, ଗବେଷକ, ଶିକ୍ଷାବିତ୍, ସାମ୍ବାଦିକ ଓ କଳାକାର ମାନଙ୍କୁ ନେଇ ଏକ ସତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଛନ୍ତି । ବିଧାୟକ ଶ୍ରୀ ପ୍ରଧାନଙ୍କ ପୌରହିତ୍ୟରେ ମାହାଙ୍ଗାରେ ଜନ୍ମଗ୍ରହଣ କରିଥିବା ବରପୁତ୍ର ମାନଙ୍କର ସିଦ୍ଧି ଓ ସାଧନା ଫଳରେ ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ବହୁଳ ଭାବେ ସମୃଦ୍ଧ ଓ ପ୍ରଭାବିତ ହୋଇଥିବାରୁ ସେମାନଙ୍କର ସମାନାର୍ଥେ କି କି କାର୍ଯ୍ୟକ୍ରମ କରାଯିବ ସେ ନେଇ ଆଲୋଚନା ହୋଇଛି । ଏହି ବରପୁତ୍ର ମାନଙ୍କର ଜୟନ୍ତୀ ଓ ତିରୋଧାନ ଦିବସକୁ କିଭଳି ବ୍ୟାପକ ଭାବେ ପାଳନ କରାଯିବ ସେ ନେଇ ଉପସ୍ଥିତ ବ୍ୟକ୍ତିମାନଙ୍କର ମତାମତ ମଧ୍ୟ ଗ୍ରହଣ କରାଯାଇଛି । ଏହାଛଡ଼ା ବରପୁତ୍ର ମାନଙ୍କର ଜନ୍ମସ୍ଥାନର ଉନ୍ନତିକରଣ ଓ ବିଭିନ୍ନ ସ୍ଥାନରେ ସେମାନଙ୍କର ଅବୟବ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଏହି ସାରସ୍ୱତ ଓ ସାଂସ୍କୃତିକ ବିକାଶ ପର୍ବରେ ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ମାହାଙ୍ଗାକୁ ଯାତ୍ରା ନାଟକ ତଥା ଗିତୀନାଟ୍ୟରେ ଜାତୀୟ ସ୍ତରୀୟ ପ୍ରୟୋଗଶାଳା କରାଯିବା, ବରପୁତ୍ର ମାନଙ୍କର ଅପ୍ରକାଶିତ ପାଣ୍ଡୁଲିପି ସଂଗୃହିତ ହୋଇ ଏକ ସଂଗ୍ରାହଳୟ ଓ ପାଠାଗାରରେ ରଖାଯିବା, ଆସନ୍ତା ଦିନରେ ଗଣକବିଙ୍କ ଜୟନ୍ତୀ ଉଭୟ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଏକ ସପ୍ତାହ ଧରି ପାଳନ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଛି l ଏହି ବୈଠକରେ ଅଧ୍ୟାପକ ଡଃ. ଅଶୋକ କୁମାର ରାଉତ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ତାରାକାନ୍ତ ମହାପାତ୍ର ଉଦ୍‌ଘାଟନ ସଂଗୀତ ଗାନ କରିଥିଲେ । ଏଥିରେ କବି ପ୍ରସନ୍ନ ମିଶ୍ର, ଶିକ୍ଷାବିତ୍ ଭାବଗ୍ରାହୀ ରାଉତ ଓ ଅକ୍ଷୟ କୁମାର ଷଢଙ୍ଗୀ, ଅଧ୍ୟାପକ ଦାଶରଥୀ ସାଇଁ, ଅଧ୍ୟାପକ ଡଃ. ନିଖିଳେଶପଦ ମହାନ୍ତି, ଅଧ୍ୟାପକ ଡଃ. ବିଜୟ କୁମାର ରାଉତ, ସାମାଦିକ ଅଖିଳେଶପଦ ମହାନ୍ତି, ଦେବେନ୍ଦ୍ର ସାହୁଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ ଆଇନଜୀବୀ ଶରତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.