ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶୋକଵ୍ୟକ୍ତ କଲେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର:ଓଡ଼ିଶାର ବିଶିଷ୍ଟ କୃଷିବୀତ ତଥା ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରି ଆସିଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗ ହୋଇଯାଇଛି | କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଥିବା ଡାକ୍ତର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ କମଳା ଜନ୍ମଗ୍ରହଣ କରି ଆଦିବାସୀ ମହିଳା କମଲା ପୂଜାରୀ ଜୈବିକ ଚାଷକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ | ପାରମ୍ପରିକ ମଞ୍ଜି ସଂରକ୍ଷଣ କରିବା ସହ ଜୈବିକ ପ୍ରଣାଳୀ ବ୍ୟବହାର କରି ପାରମ୍ପରିକ ବିହନ ସଂରକ୍ଷଣ ତଥା ଚାଷ କରିବା ପାଇଁ ଆଦିବାସୀମାନଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ | ସେ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି 2018 ରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ହୋଇଥିଲେ | ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ଥିଲା। ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ ପାଇଁ ସେ ବେଶ ଜଣାଶୁଣା ଥିଲେ.ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି।
ତାଙ୍କ ଦେହାନ୍ତ ଖବର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ବର୍ଗତ ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତ୍ବନା ଦେଇଛନ୍ତି |
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ବିଶିଷ୍ଟ କୃଷିବିତ୍ ତଥା ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ଅନ୍ୟତମ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରରେ ସମ୍ମାନିତ ହୋଇଥିବା କୋରାପୁଟ ଜିଲ୍ଲାର କମଳା ପୂଜାରୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ ଓଡ଼ିଶାର ଗୌରବ ତଥା କୃଷିବିତ୍ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଭିନ୍ନ କିସମର ଧାନ ସଂରକ୍ଷଣ କରିବା ଦିଗରେ ସେ ଦେଶରେ ଉଦାହରଣ ସୃଷ୍ଟି କରିଥିଲେ । ଜନଜାତି ସମୁଦାୟରୁ ଆସି କୃଷି ବିଶେଷତଃ ଜୈବିକ ଚାଷ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଜି ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କୃଷି ଓ ସମାଜ ସୁଧାର କ୍ଷେତ୍ରରେ ସ୍ୱର୍ଗତାଃ ପୂଜାରୀଙ୍କ ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱର୍ଗତାଃ ପୂଜାରୀ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ ଧାନ ସଂରକ୍ଷଣ କରିବା ସହ ଜୈବିକ ଚାଷ କରି ଦେଶରେ ଉଦାହରଣ ସୃଷ୍ଟି କରିଥିଲେ । ସ୍ୱର୍ଗତାଃ ପୂଜାରୀଙ୍କ ପରଲୋକ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତାଃ ପୂଜାରୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତାଃ ପୂଜାରୀଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗଭୀର ଶୋକ ବ୍ୟକ୍ତ କରିଛନ୍ତି |ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ଯେ ପଦ୍ମଶ୍ରୀ କମଳା ପୂଜାରୀ ଓଡ଼ିଶାର ଜଣେ ସୁଦକ୍ଷ ଓ କର୍ମତତ୍ପର ମହିଳା ଥିଲେ | କୃଷି କ୍ଷେତ୍ରରେ ଜୈବିକ କୃଷି ପଦ୍ଧତିର ପ୍ରୋତ୍ସାହନ ଓ ସ୍ଵଦେଶୀ ଶସ୍ୟର ସରଂକ୍ଷଣ ପାଇଁ ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ | ପରିବେଶ ସୁରକ୍ଷା ଓ କୃଷି କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ | ତାଙ୍କ ଅନନ୍ୟ ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ସମଗ୍ର ଓଡିଶାବାସୀଙ୍କ ପାଇଁ ଅନୁକରଣୀୟ ବୋଲି ଶ୍ରୀମତୀ ପରିଡା ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି | ପରିବେଶ ସୁରକ୍ଷା ନିମନ୍ତେ ସେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ସେଥିରେ ସମଗ୍ର ଓଡ଼ିଶାବାସୀ ନିଜକୁ ସାମିଲ କରିପାରିଲେ ତାହା ହିଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହୋଇପାରିବ ଶ୍ରୀମତୀ ପରିଡା ଆଶାବାଦୀ ଅଛନ୍ତି | ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ତାଙ୍କ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି |
– ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ବିରଳ କିସମର ବିହନ ସଂରକ୍ଷଣ ସହ ଜୈବିକ କୃଷିକୁ ପ୍ରୋତ୍ସାହନ ଏବଂ କୃଷକମାନଙ୍କୁ ତାଲିମ ପ୍ରଦାନ କ୍ଷେତ୍ରରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଅବଦାନକୁ ରାଜ୍ୟବାସୀ କେବେବି ଭୁଲି ପାରିବେ ନାହିଁ I ତାଙ୍କ ବିୟୋଗରେ ରାଜ୍ୟ କୃଷିକୁ ଭଲ ପାଉଥିବା ଜଣେ ବିଶିଷ୍ଟ ବିଶାରଦଙ୍କୁ ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିଜ ଶୋକବାର୍ତ୍ତାରେ କହିଛନ୍ତି I ଏଥସହ ମନ୍ତ୍ରୀ ତାଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି I
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ନଚନ୍ଦ୍ର ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି | ମନ୍ତ୍ରୀ ଡାଃ ମହାପାତ୍ର ତାଙ୍କ ଶୋକବାର୍ତ୍ତାରେ କରିଛନ୍ତି ଯେ କମଳା ପୂଜାରୀ ଜୈବିକ କୃଷିର ପ୍ରୋତ୍ସାହନ, କୃଷକମାନଙ୍କୁ ତାଲିମ ଓ ବିରଳ କିସମର ବିହନ ସଂରକ୍ଷଣ କ୍ଷେତ୍ରରେ ଅସାଧାରଣ ଅବଦାନ ରଖିଯାଇଛନ୍ତି | ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ କୃଷି ବିଶାରଦଙ୍କୁ ହରାଇଲା | ମନ୍ତ୍ରୀ ଡଃ ମହାପାତ୍ର ସ୍ଵର୍ଗତଃ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି |
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କମଳାଙ୍କୁ ଜଣେ କୃଷି ବିଶାରଦ ଭାବେ ଅଭିହିତ କରିବା ସହ ଜୈବିକ ତଥା ପାରମ୍ପରିକ କୃଷିର ପ୍ରୟୋଗର ପ୍ରସାର ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ ରହିବ ବୋଲି ଉଲ୍ଲେଖ କରିଛନ୍ତି | ମନ୍ତ୍ରୀ ଶ୍ରୀ ପାତ୍ର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି |
ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି | ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଜେନା କମଳାଙ୍କୁ ଅସାମାନ୍ୟ କୃଷି ବିଶାରଦ ଭାବରେ ବର୍ଣ୍ଣନା କରି ଜୈବିକ ତଥା ପାରମ୍ପରିକ କୃଷିର ପ୍ରସାର ପାଇଁ ତାଙ୍କ ଅବଦାନ ସ୍ମରଣୀୟ ରହିବ ବୋଲି ଉଲ୍ଲେଖ କରିଛନ୍ତି | ମନ୍ତ୍ରୀ ଶ୍ରୀ ଜେନା ଅମର ଆତ୍ମାର ସଦଗତି କାମନା କରିବା ସହିତ କମଳାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି |
ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଭୀର ଶୋକ ପ୍ରକାଶ କରିଛନ୍ତି | ଶ୍ରୀ ସୁରଜ ତାଙ୍କ ଶୋକବାର୍ତ୍ତାରେ
ପ୍ରକାଶ କରିଛନ୍ତି ଯେ କମଳା ପୂଜାରୀ ଜୈବିକ କୃଷିର ପ୍ରୋତ୍ସାହନ, କୃଷକମାନଙ୍କୁ ଆବଶ୍ୟକୀୟ ତାଲିମ ଓ ବିରଳ କିସମର ବିହନ ସଂରକ୍ଷଣ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ରଖିଯାଇଛନ୍ତି | ଏହି ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ। ମନ୍ତ୍ରୀ ଶ୍ରୀ ସୁରଜ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି | ଏହା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାଏ ପ୍ରମୁଖ କମଳା ପୂଜାରୀ ଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ବିୟୋଗରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେ ଏକ ବାର୍ତ୍ତା ରେ କମଳା ପୂଜାରୀ ଙ୍କୁ ଜଣେ ବିଶିଷ୍ଟ କୃଷିବିତ୍ ବୋଲି ଅଭିହିତ କରି କହିଛନ୍ତି, ପଦ୍ମଶ୍ରୀ ପୂଜାରୀ ଜୈବିକ କୃଷି,ବିରଳ ବିହନ ସଂରକ୍ଷଣ ଓ କୃଷକ ମାନଙ୍କୁ ପ୍ରଶିକ୍ଷଣ କ୍ଷେତ୍ର ରେ ଯେଉଁ ଦିଶା ଦେଖାଇ ଯାଇଛନ୍ତି ତାହା ଅବିସ୍ମରଣୀୟ।ତାଙ୍କ ବିୟୋଗ ରେ ରାଜ୍ୟ ଜଣେ କୃଷି ପ୍ରେମୀ ଓ କୃଷିବିତ ଙ୍କୁ ହରାଇଲା। ଏହି ଅବସର ରେ ଶ୍ରୀ ସ୍ୱାଇଁ ତାଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଛନ୍ତି।