ଭୂତ ଭତ୍ତା ହିତାଧିକାରୀଙ୍କ ଲମ୍ବା ତାଲିକା,ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ତଦନ୍ତ ନିର୍ଦ୍ଦେଶ

3

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାରେ ଭୂତ ଭତ୍ତାପାଉଥିବା ଘଟଣା ସମ୍ପର୍କରେ ସରକାରୀ ବାବୁମାନେ ଜାଣିଶୁଣି ଚୁପ୍ ରହି ଥିବା ଆଲୋଚନା ହେଉଛି । ଏଭଳି ଖବର ବହୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ପ୍ରଶାସନ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନଜରକୁ ଆସିନାହିଁ । ଜିଲ୍ଲାପରିଷଦ ଅଧ୍ୟକ୍ଷ ଘଟଣା ସଂପର୍କରେ ହସ୍ତକ୍ଷେପ କରି ତୁରନ୍ତ ଭୂତ ହିତାଧିକାରୀ ଚିହ୍ନଟକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏକ ତାଲିକା ଦେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାର ଆଠଟି ବ୍ଲକରେ ଦେଢଲକ୍ଷ ଲୋକଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି । ହେଲେ ଭେଣ୍ତିଆଙ୍କୁ ବୃଦ୍ଧା ସଜେଇ ଏବଂ ଭିନ୍ନକ୍ଷମ ସଜେଇ ଭତ୍ତା ପ୍ରଦାନ କରାଯାଇଛି । ଭୂତ ଭତ୍ତାଧାରି ମାନଙ୍କ ସମ୍ପର୍କରେ ଅଭିଯୋଗ ହେଉଥିଲେ ମଧ୍ୟ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ ନକରି ଦୁର୍ନୀତିକୁ ପ୍ରଶୟ ଦେବା ପରି ମନେ ହେଉଛି । ଦୁର୍ନୀତିର ଚେର ଅନେକ ଲମ୍ବା ହୋଇଥିବା ବେଳେ ଭିନ୍ନକ୍ଷମ ହିତାଧିକାରୀଙ୍କ ସାଟିଫିକେଟ୍ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଯାଞ୍ଚକରି ପ୍ରଦାନ କରାଯାଉଛି । ଏହି ଘଟଣାକୁ ମୁଖ୍ୟ ଚିକିତ୍ସାଧିକାରୀ ରମାକାନ୍ତ ପଣ୍ତା ନିଜେ ସ୍ବୀକାର ମଧ୍ୟ କରିଛନ୍ତି।ଡ଼ାଟା ଏଣ୍ଟ୍ରି ଅପରେଟର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଛତ୍ରଛାୟା ତଳେ ଥିବା କର୍ମଚାରୀମାନେ ଏଭଳି ଦୁର୍ନୀତିରେ ସାମିଲ ଥିବା ଠୋସ ପ୍ରମାଣ ଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ସକ୍ଷମ ବ୍ୟକ୍ତିଙ୍କ ଠାରୁ ୮ରୁ ୧୦ ହଜାର ଟଙ୍କା ଲାଞ୍ଚନେଇ ସେମାନଙ୍କ ବୟସ ବଢାଇବା ଓ ବଧିରା କିମ୍ବା ଭିନ୍ନକ୍ଷମ ସଜେଇବାରେ କର୍ମଚାରୀଙ୍କ ହାତ ରହିଛି। ଏପରିକି ଏହା ପଛରେ ଏକ ରାକେଟ୍ କାମ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି । ଓଡ଼ଗାଁ ବ୍ଲକ୍ ହରିଡ଼ାବନ୍ଧ ପଞ୍ଚାୟତର ୧୫ଜଣ ଭୂତ ଭତ୍ତା ହିତାଧିକାରୀଙ୍କ ତାଲିକା ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ରବିନ୍ଦ୍ର ପରିଡ଼ାଙ୍କୁ ୫୭ବର୍ଷ ହୋଇଥିଲେ ମଧ୍ୟ ସେ ଭତ୍ତା ପାଉଥିବା ବେଳେ ଅନିତା ପରିଡ଼ା (୪୯), ସବେର୍ଶ୍ବର ଖଟେଇ (୫୭), ଉର୍ମିଳା ଖଟେଇ (୫୨), କୃପାସିନ୍ଧୁ ପରିଡ଼ା (୫୨), ଜୟକୃଷ୍ଣ ପ୍ରଧାନ (୫୨), ବସନ୍ତ ପ୍ରଧାନ (୫୩), ଲକ୍ଷ୍ମୀଧର ପୃଷ୍ଟି, କେଦାର ମହାରଣା, କିଶୋର ସାହୁ, ବିରକିଶୋର ଷଡ଼ଙ୍ଗୀ, ସୂର୍ଯ୍ୟମଣୀ ମହାରଣା, ପାଣୁ ଚରଣ ସାହୁ, ମନୋଜ ସାମନ୍ତସିଂହାର ଓ ଜିତେନ୍ଦ୍ର କୁମାର ମାର୍ଥା ନିଜ ବୟସକୁ ଚଞ୍ଚକତାକରି ଭତ୍ତା ହାତେଇଥିବା ଅଭିଯୋଗପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଏହାର ତଦନ୍ତ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଓଡ଼ଗାଁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବୀନି ପ୍ରଧାନ ବରସାହି ପଞ୍ଚାୟତର ୫୦ଜଣ ହିତାଧିକାରୀଙ୍କ ଭତ୍ତା ବନ୍ଦକରିଥିବା ସୂଚନା ଦେବା ପରେ କିଭଳି ଭତ୍ତା ଯୋଜନାକୁ ସରକାରୀ ବାବୁ ଓ ଦଲାଲ ମିଳିମିଶି ହଡ଼ପ କରିଛନ୍ତି ତାହା ସ୍ଫଷ୍ଟ ହୋଇପଡ଼ିଛି। ଘଟଣାର ତଦନ୍ତ କରି ଏଥିରେ ଲିପ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ଧରାପଡ଼ିବା ଭୟରେ ମିଳିମିଶି ଦୁର୍ନୀତିକୁ ଚାପି ଦିଆଯିବ ତାହାକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.