ରାଜ୍ୟ ସଂଗ୍ରହାଳୟର ପ୍ରାଚୀନ ତାଳପତ୍ର ପୋଥିର ଅଧ୍ୟୟନ ଓ ଗବେଷଣା ଆବଶ୍ୟକ | ଜ୍ଞାନ ଆଧାରିତ ସମାଜ ଗଢିବାକୁ ହେଲେ ଜ୍ଞାନୀଗୁଣୀମାନଙ୍କୁ ଏକପ୍ରାଣ ଏକମନ ହୋଇ କାର୍ଯ୍ୟ କରିବାକୁ ପଡିବ | ପୁରୁଣା ଏବଂ ପ୍ରାସଙ୍ଗିକ ଓଡ଼ିଆ ପୁସ୍ତକକୁ ବିଶ୍ୱ ଦରବାରରେ ଲୋକାଦୃତ କରାଇବା – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର :- ଓଡ଼ିଶା ଜ୍ଞାନ ଆଧାରିତ ସମାଜ ଏବଂ ଏଥିରେ ଅନେକ ତତ୍ତ୍ୱ ଅଛି । ଏହାକୁ ସମୟ ଅନୁସାରେ ବାହାରକୁ ଆଣିବା ପାଇଁ ପଡିବ । ୨୦୩୬ ସୁଦ୍ଧା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରୁଥିବା ବେଳେ ପୁରାତନ ଓ ପ୍ରାସଙ୍ଗିକ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ଗୁଡିକୁ ଏଆଇ, ଡିଜିଟାଇଜେସନ ଓ ଟେକ୍ନୋଲୋଜି ମାଧ୍ୟମରେ ବିଶ୍ୱରେ ଲୋକାଦୃତ କରିବା ପାଇଁ ହେବ । ଏକ ସକରାତ୍ମକ ସମାଜ ଗଠନ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉନବିଂଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଲୋକସଭା ସଦସ୍ୟ ଶ୍ରୀ ଭତ୍ତୃହରି ମହତାବ, ବିଧାୟକ ଶ୍ରୀ ବାବୁ ସିଂ, ପ୍ରଥିତଯଶା ସାହିତ୍ୟିକ ଏବଂ ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଶ୍ରୀ ଦିପ୍ତୀରଂଜନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏବଂ ଅନ୍ୟ ଅତିଥିମାନଙ୍କ ଦ୍ୱାରା ଓଡିଶା ରାଜ୍ୟ ସଂଗ୍ରହାଳୟ ଠାରେ ଆଜି ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି |
ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସନ୍ଥ କବି ଭୀମ ଭୋଇଙ୍କ ଦ୍ୱାରା ରଚିତ ଜଣାଣ ଗ୍ରନ୍ଥ ସ୍ତୁତିଚିନ୍ତାମଣି ଅନନ୍ୟ । ନିଜ ଲେଖା ମାଧ୍ୟମରେ ସେ ପ୍ରକୃତ ମାନବତାର ବାର୍ତ୍ତା ଦେଇଛନ୍ତି । ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ଜାତିପ୍ରଥା ବିରୋଧର କଥା କହିଛନ୍ତି । ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରିଥିଲେ । ଏଭଳି ଓଡ଼ିଆ ଓଡ଼ିଆ ଭାଷା ଓ ସାହିତ୍ୟକୁ ସମଗ୍ର ଦେଶ ତଥା ବିଶ୍ଵରେ ଲୋକପ୍ରିୟ କରିବାର ସଂକଳ୍ପ କରିବାକୁ ହେବ । ବର୍ତ୍ତମାନ ସମୟରେ ଲୋଲମାନଙ୍କ ମଧ୍ୟରେ ମାନବିକତା ଓ ସଂସ୍କାର ଦେଖିବାକୁ ମିଳୁନଥିବା ବେଳେ ସେ ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଶହୀଦ ବାଜି ରାଉତ ଦେଶକୁ ସ୍ୱାଧୀନତା ଦେବା ପାଇଁ ପଛାଇ ନଥିଲେ । ସେହିପରି ମହାପ୍ରଭୁଙ୍କ ସୁନାବେଶ ନେଇ ଲୋକଚରିତ୍ର କଣ ରହିଛି, ତାହା ସବୁ ଗବେଷଣାର ବିଷୟ ।
ପୁସ୍ତକ ବିଷୟରେ ଟିପ୍ପଣୀ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ସାହିତ୍ୟ ଜୀବନର ମହାନୁଭବଙ୍କ ଉପସ୍ଥିତିରେ ଏହି ପୁସ୍ତକ ଉନ୍ମୋଚନ କରି ଆନନ୍ଦିତ । ଦୁଃଖ, କଷ୍ଟ ଓ ସମାଜିକ ଚରିତ୍ରକୁ ବର୍ଣ୍ଣନା କରିବାର ନାଁ ହେଲା ସାହିତ୍ୟ । ଏଭଳି ଏକ ମହାନ ରଚନାର ଇଂରାଜୀ ଅନୁବାଦ ଫଳରେ ଏଣିକି ସମଗ୍ର ବିଶ୍ଵର ପାଠକ-ପାଠିକା ଓ ସାହିତ୍ୟିକଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ବହୁଗୁଣିତ ହେବ । ଓଡ଼ିଆ ସାହିତ୍ୟ ଏହି ଦୁର୍ମୂଲ୍ୟ କାବ୍ୟର ଇଂରାଜୀ ଅନୁବାଦ ପାଇଁ ଆମେରିକୀୟ ଗବେଷକ ଡେଭିଡ୍ ଡେନିନ ତଥା ରାଜ୍ୟ ସଂଗ୍ରହାଳୟ ଏବଂ ପ୍ରକାଶକ ବିଦ୍ୟାପୁରୀକୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ପୁସ୍ତକକୁ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମସ୍ତ ଭାରତୀୟ ଭାଷାକୁ ପ୍ରାଧାନ୍ୟ ଦିଆଯାଉଛି । ଭାରତ ସରକାର ବୃହତ ଭାଷାକୋଷ ଉପରେ ଗୁରୁତ୍ୱ ଦେଉଛନ୍ତି । ଭାରତୀୟ ଭାଷାକୁ ଯୋର୍ ଦିଆଗଲେ ଆମ ସମାଜ ଭିତରେ ସ୍ପଷ୍ଟତା ବଢିବ । କ୍ରିଟିକାଲ ଥିଙ୍କିଂ ମୂଳ ଭାଷାରେ ପରିପ୍ରକାଶ ହେଲେ ଆଉଟପୁଟ୍ ଅଧିକ ହେବ । ଭାଷା ଅର୍ଥନୈତିକ ସଶକ୍ତିକରଣ ଉପକରଣ । ସ୍ୱାଭିମାନ ବଢାଇବା ସହ ଦାରିଦ୍ୟ୍ଟରୁ ସମ୍ପନ୍ନତାକୁ ନେବାର ମାଧ୍ୟମ ବୋଲି ସେ କହିଛନ୍ତି ।କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ | ପୂର୍ବରୁ ଓଡ଼ିଆ ସାହିତ୍ୟାନୁରାଗୀମାନେ ପାଶ୍ଚାତ୍ୟ ସାହିତ୍ୟ ସୃଜନର ଅନୁବାଦ କରୁଥିଲେ | କିନ୍ତୁ ଏବେ ସେ କଥାରେ ପରିବର୍ତ୍ତନ ପରିଲିକ୍ଷିତ ହେଲାଣି ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି | ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଶ୍ରୀ ଦିପ୍ତୀରଂଜନ ପଟ୍ଟନାୟକଙ୍କ ସହଯୋଗରେ ବିଶିଷ୍ଟ ଲେଖକ ଡେଭିଡ ଡେନିନଙ୍କ ଏହି ଇଂରାଜୀ ଅନୁବାଦ ପୁସ୍ତକ ..ଏହି ପୁସ୍ତକ ମାଧ୍ୟମରେ ଅନ୍ୟଦେଶର ସାହିତ୍ୟ ଓ ସଂଗୀତ ଅନୁରାଗୀମାନେ ଓଡ଼ିଆ କାବ୍ୟ କୃତିର ଲାଳିତ୍ୟ ଓ ମାଧୁର୍ଯ୍ୟକୁ ଅନୁଭବ କରିବେ | ଏଭଳି ପ୍ରୟାସ ଦ୍ୱାରା ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ହୋଇପାରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଶାବ୍ୟକ୍ତ କରିଥିଲେ |
ରାଜ୍ୟ ସଂଗ୍ରହାଳୟରେ ଥିବା ମୂଲ୍ୟବାନ ତାଳପତ୍ର ପୋଥିର ସଠିକ ଭାବରେ ଅନୁବାଦ ଓ ପ୍ରକାଶନ ଉପରେ ଲୋକସଭା ସଦସ୍ୟ ଶ୍ରୀ ଭତ୍ତୃହରି ମହତାବ ଗୁରୁତ୍ୱାରୋପ କରିବା ସହ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପାଶ୍ଚାତ୍ୟ ଦେଶର ସାହିତ୍ୟାନୁରାଗୀଙ୍କ ଦ୍ୱାରା ବିଶେଷଭାବରେ ଗୃହୀତ ହେବ ବୋଲି ସେ ଆଶାପୋଷଣ କରିଥିଲେ |
ପ୍ରଥିତଯଶା ସାହିତ୍ୟିକ ଏବଂ ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ଏହି ଅନୁବାଦ ପୁସ୍ତକର ସମୀକ୍ଷା କରିଥିବା ବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର ଶ୍ରୀ ଦିପ୍ତୀରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣରେ ଓଡ଼ିଆ ସାହିତ୍ୟର ସାମ୍ପ୍ରତିକ ସ୍ଥିତି-ଅବସ୍ଥିତି ଓ ଲେଖକଙ୍କର ଗବେଷଣା ଓ ଅନୁବାଦ ସମୟର କଷ୍ଟର ଅଙ୍ଗେନିଭା ଅନୁଭୂତି ବିଷଦ ଭାବରେ ବ୍ୟାଖ୍ୟା କରିଥିଲେ |
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୁସ୍ତକର ପ୍ରକାଶକ ଧନ୍ୟବାଦ ଅର୍ପଣ କରିଥିଲେ | ଓଡିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |
ମାନ୍ୟଗଣ୍ୟବ୍ୟକ୍ତିଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀ ଦାସ ବେନହୁର, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ ପଣ୍ଡା, ପ୍ରଫେସର ଯତୀନ ନାୟକ, ପ୍ରଫେସର ନଟବର ଶତପଥି, ଶ୍ରୀ ରାମହରି ଜେନା, ଶ୍ରୀ ସଂଗ୍ରାମ ଜେନା, ନିବେଦିତା ମହାନ୍ତି, ପ୍ରଫେସର ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |