ଦୁଇ ଦିନିଆ ଫିଶେରି ସମର ମିଟ – ୨୦୨୪ରେ ଦାବି ରଖିଲେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ମଦୁରାଇ : ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀରେ ଏକ ସ୍ମାର୍ଟ ଫିଶିଂ ହାର୍ବର ବା ଅତ୍ୟାଧୁନିକ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବାକୁ କେନ୍ଦ୍ର ନିକଟରେ ଦାବି କରିଛି ଓଡ଼ିଶାରେ ନୂଆ କରି ଦାୟିତ୍ୱ ନେଇଥିବା ବିଜେପି ସରକାର । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାମିଲନାଡୁର ମଦୁରାଇରେ ଆୟୋଜିତ ଦୁଇ ଦିନିଆ ଫିଶେରି ସମର ମିଟ – ୨୦୨୪ରେ ଯୋଗ ଦେଇ ଓଡ଼ିଶାରେ ମାଛ ଚାଷର ବିକାଶ ପାଇଁ ବିଭିନ୍ନ ଦିଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଅସ୍ତରଙ୍ଗ ରେ ଥିବା ଫିସିଂ ହାର୍ବର କେନ୍ଦ୍ର ଦେଇଥିବା ୮୨ କୋଟି ଟଙ୍କା ପର୍ଯ୍ୟାପ୍ତ ନୁହେଁ ଓ ଏଥିପାଇଁ ୧୮୦ କୋଟି ଟଙ୍କା ଅନୁଦାନ ପାଇଁ ମନ୍ତ୍ରୀ ଦାବି କରିଛନ୍ତି । ସେହିଭଳି ମାଛ ଚାଷୀଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ପାଇଁ ୨୦୨୩ରୁ କେନ୍ଦ୍ର ନିକଟରେ ଆବେଦନ କରାଯାଇଥିବା ୨ କୋଟି ଟଙ୍କାର ଆବେଦନକୁ ତୁରନ୍ତ ଦିଆଯାଉ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ମାଛ ଉତ୍ପାଦନ ଓ ବିକ୍ରି ପାଇଁ ରାଜ୍ୟରେ କ୍ଳସ୍ତର ନିର୍ମାଣ ନିମିତ୍ତ କେନ୍ଦ୍ର ସରକାର ୪୮୦ କୋଟି ଟଙ୍କା ଘୋଷଣା କରିଥିଲା । ଏବେ ରାଜ୍ୟରେ ମୋଟ ୩୧ ଟି କ୍ଲଷ୍ଟର ସୁଚାରୁ ରୂପେ କାମ କରୁଥିବା ବେଳେ ବକେୟା ଥିବା ୧୬୨ କୋଟି ଟଙ୍କାକୁ ତୁରନ୍ତ ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ଏହା ସହ ଓଡ଼ିଶାରେ ମାଛ ଚାଷ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବାରୁ ରାଜ୍ୟରେ ଏକ ଆଞ୍ଚଳିକ ମତ୍ସ୍ୟ ଗବେଷଣା କେନ୍ଦ୍ର ଖୋଲାଯାଉ ବୋଲି ଦାବି କରିଛନ୍ତି । ମାଛ ଚାଷୀ ଦଲାଲଙ୍କ ଦ୍ବାରା ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଥିବାରୁ ଏ ନେଇ ଆଇନ ଆଣିବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦାବି ଉପସ୍ଥାପନ କରିଛନ୍ତି ।ଓଡ଼ିଶାରେ ୪୮୦କିମିର ସୁଦୀର୍ଘ ବେଳାଭୂମି ରହିଥିବା ବେଳେ ମାଛ ଚାଷ ପାଇଁ ପ୍ରାକୃତିକ ସମ୍ପଦ ଭରପୁର ମାତ୍ରାରେ ରହିଛି । ଉନ୍ନତ ପ୍ରଣାଳୀରେ ଏହାକୁ କଲେ ଅଧିକ ଲାଭଜନକ ହୋଇପାରୁଥିବା କାରଣରୁ ଏବେ ଗ୍ରାମ ଓ ସହରର ଯୁବ ଗୋଷ୍ଠୀ ମଧ୍ୟ ମାଛ ଚାଷ ପ୍ରତି ଆକୃଷ୍ଟ ହେଲେଣି । ତେଣୁ ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ସରକାର ଆସିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀ ମଲ୍ଲିକ ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ , ପଶୁପାଳନ ଓ ଡାୟରିଂ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ସତ୍ୟ ପାଲ ସିଂହ ବାଘେଲ, ମତ୍ସ୍ୟ, ପଶୁପାଳନ ଓ ଡାୟରିଂ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନଙ୍କ ସମେତ ଅନେକ ରାଜ୍ୟର ବିଭାଗୀୟ ମନ୍ତ୍ରୀ ଓ ଉଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ ।
