କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ

5

ରାଉରକେଲା(ବସନ୍ତ କୁମାର ଜେନା): ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ପାନପୋଷ ବିଦ୍ୟୁତ କଲୋନୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଲା ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇ କର୍ମବୀର ଙ୍କ ଜୀବନୀ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ଗୈାରୀଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡିଆ ଅସ୍ମିତା ପାଇଁ ଓଡ଼ିଶା ଇତିହାସରେ ଯେଉଁମାନେ ଗଳଦଘର୍ମ ଯୋଦ୍ଧୃତ୍ବର ସଂଗ୍ରାମୀ ପରିଚୟ ଛାଡି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଗୈାରୀଶଙ୍କର ରାୟ ଅନ୍ୟତମ। ସେଥିଲେ ଓଡ଼ିଆ ପ୍ରାଣ,ଓଡିଆ ଭାଷା ପ୍ରତି ମମତାବଦ୍ଧ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରାପ୍ତି ନିମିତ୍ତ ଆକୁଳ ପ୍ରାଣ, ମହାଭାରତୀୟ ଚେତନାସ୍ନାତ ମହାପ୍ରାଣ ଚମତ୍କାର ଚରିତ୍ର । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡିଆ ଭାଷା ସାହିତ୍ୟ ଓ ସାମ୍ବାଦିକତା ଜଗତ ପ୍ରତି କର୍ମବୀର ଗୌରୀଶଙ୍କର ରାୟଙ୍କ ରହିଛି ଅତୁଳନୀୟ ଯୋଗଦାନ। ସବୁବେଳେ କର୍ମରେ ବିଶ୍ବାସ ଓ ନିଷ୍ଠାପର କର୍ମପାଇଁ ତାଙ୍କୁ କର୍ମବୀର ଆଖ୍ୟା ଦିଆଯାଇଥିଲା । ସେ ଥିଲେ ଏକାଧାରରେ ଜଣେ ନିଷ୍ଠାପର ସମାଜ ସଂସ୍କାରକ,ଦକ୍ଷ ସଂଗଠକ, ଓଡ଼ିଆ ସାମ୍ବାଦିକତାର ଜନକ, ପ୍ରଚଣ୍ଡ ଜାତୀୟତାବାଦୀ ନେତା ତଥା ଶିକ୍ଷା ଓ ସଂସ୍କୃତି ପ୍ରେମୀ ବଳିଷ୍ଠ ସ୍ଵାଭିମାନୀ ବ୍ୟକ୍ତିତ୍ବ । ସଭାପତିତ୍ବ ଅଭିଭାଷଣ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ କର୍ମବୀର ଙ୍କୁ ଶୃଙ୍ଖଳା,ନିୟମାନୁବର୍ତ୍ତିତା ଓ ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା ର ପ୍ରତୀକ ରୂପେ ଅବହିତ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ବିଣାପାଣୀ ରାୟ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଛାତ୍ରୀ ସୁଶ୍ରୀ ପ୍ରିୟାଲକ୍ଷ୍ମୀ ପୁରୋହିତ କର୍ମବୀର ଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁସ୍ତକ ଓ କଲମ ପ୍ରଦାନ କରି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ସଞ୍ଜୁଲତା ଚିନ୍ନରା,ଅମର କୁମାର ସାମଲ ପ୍ରମୁଖ ସହଯୋଗ କରିଥିବାବେଳେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.