ଜଗତସିଂହପୁର,ତା-୧୨.୦୭.୨୦୨୪/ସୁମନ୍ତ କୁମାର ଦାସ: ଗତକାଲି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠ ସିଦ୍ଧଳ ଠାରେ ପବିତ୍ର ହେରାପଞ୍ଚମୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି। ସନ୍ଧ୍ୟାରେ ଶହ ଶହ ସେବାୟତ ଓ ମନ୍ଦିର ପରିଚାଳନା ଟ୍ରଷ୍ଟର ସଦସ୍ୟମାନେ ବଳଦେବଜୀଉ ମନ୍ଦିର ରୁ ମା ଲକ୍ଷ୍ମୀଙ୍କୁ ସୁସଜ୍ଜିତ ପାଲିଙ୍କିରେ ଏକ ଶୋଭାଯାତ୍ରା ରେ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ମା ଲକ୍ଷ୍ମୀ ମହାପ୍ରଭୁ ଙ୍କୁ ଦର୍ଶନ କରି ରାଗରେ ଜର୍ଜରିତ ହୋଇ ରଥ ଭାଙ୍ଗି ପୁନର୍ବାର ବଳଦେବଜୀଉ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ।ଏହି ପ୍ରାରମ୍ଭିକ କାର୍ଯ୍ୟ ପରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଟ୍ରଷ୍ଟ ତଥା ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସଂପର୍କରେ ଉଦବୋଧନ ଦେଇଥିଲେ।ଏହି ଉପଲକ୍ଷେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡ଼ା,ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ରାମଚନ୍ଦ୍ର ଦାଶ ,କାଳିକିଙ୍କର ଆଚାର୍ଯ୍ୟ,ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ସୁରେନ୍ଦ୍ରନାଥ ଦାଶ , ନାରାୟଣ ଦାସ, ଅଭୟ କୁମାର ଦାସ, ତରଙ୍ଗ ସେନ ପରିଡା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଡକ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀଙ୍କ ଦ୍ଵାରା ପ୍ରକାଶିତ ତ୍ରୟମାସିକ ସାହିତ୍ୟ ପତ୍ରିକା ନବକାକଳି ର ରଥଯାତ୍ରା ବିଶେଷାଙ୍କକୁ ମଞ୍ଚାସିନ ଅତିଥିମାନେ ଉନ୍ମୋଚନ କରିଥିଲେ।
Sign in
Sign in
Recover your password.
A password will be e-mailed to you.