• ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସହ ଦୁଇଟି ସମ୍ବର୍ଦ୍ଧନା ସଭାରେ ମଧ୍ୟ ଯୋଗଦେଲେ
• ଦେବଗଡ ଜିଲ୍ଲା ନାଗରିକ କମିଟି ଦ୍ୱାରା ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରମନ୍ତ୍ରୀ
• ଦେବଗଡ଼ ଜିଲ୍ଲାରେ ଫଳଚାଷକୁ ପ୍ରୋତ୍ସାହନ, ଚାଷୀଙ୍କ ଉନ୍ନତି, ଜଳସେଚନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ସହ ଜଡ଼ିତ ବିଷୟରେ ହେଲା ସମୀକ୍ଷା
• ସ୍ୱଚ୍ଛତା ଓ ପାରଦର୍ଶୀତା ଉପାୟରେ ସବୁ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ
• ଜଳ ସଂରକ୍ଷଣ ଦିଗରେ ବିଭିନ୍ନ ବିଭାଗ ସହ ମିଶି କାମ କରିବା ଓ ଲୋକଙ୍କ ଆୟକୁ ବଢାଇବା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଦେଲେ ପରାମର୍ଶ
• ଓଡ଼ିଆ ଭାଷାକୁ ଆଗକୁ ନେବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପାଇଁ ତାଳଚେର ବିମଳାଗଡ ରେଳଲାଇନ ଓ ବାରକୋଟରୁ ଦେବଗଡ଼ ପର୍ଯ୍ୟନ୍ତ ରେଳଲାଇନର କାର୍ଯ୍ୟ ତ୍ୱରାନ୍ୱିତ ହେଉଛି, ବାରକୋଟରୁ ହେବାକୁ ଥିବା ନୂଆ ଲାଇନ କୁଚିଣ୍ଡା ଦେଇ ଯିବାର ଯୋଜନା କରାଯାଇଛି
• ଦେବଗଡ ମୋର ଗଡ ଭଳି, ଏ ଅଞ୍ଚଳର ସେବା କରିବା ପାଇଁ ଆମେ ପ୍ରତିବଦ୍ଧ
• ଦେବଗଡ଼ ଗୋପାଳଜୀଉ ମନ୍ଦିର ଏବଂ ନିକ୍ତିମାଳ ସିଦ୍ଧେଶ୍ୱର ମନ୍ଦିରରେ କଲେ ଦର୍ଶନ
ତିଳେଇବଣି/ଦେବଗଡ, ଜୁଲାଇ ୦୫ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦେବଗଡରେ ‘ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ’ରେ ଯୋଗଦେବା ସହ ଦୁଇଟି ସମ୍ବର୍ଦ୍ଧନା ସଭାରେ ଯୋଗଦେଇଛନ୍ତି ।
ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଦେବଗଡରେ ମୌଳିକ ସମସ୍ୟା ସହ ଆଞ୍ଚଳିକ ପ୍ରସଙ୍ଗ ସହ ଜଡ଼ିତ ସମ୍ଭାବନା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଛି । ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ଜିଲ୍ଲାରେ ଫଳଚାଷକୁ ପ୍ରୋତ୍ସାହନ, ଚାଷୀଙ୍କ ଉନ୍ନତି, ଜଳସେଚନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ସହ ଜଡ଼ିତ ବିଷୟରେ ସମୀକ୍ଷା କରିଛନ୍ତି ଉଭୟ ମନ୍ତ୍ରୀ । ଜନକେନ୍ଦ୍ରୀକ ଓ ସୁଶାସନ ମଡେଲ୍ ମାଧ୍ୟମରେ କାର୍ଯ୍ୟ କରିବା ସହ ସ୍ୱଚ୍ଛତା ଓ ପାରଦର୍ଶୀତା ଉପାୟରେ ସବୁ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାରେ ଜଳ ସଂରକ୍ଷଣ ଦିଗରେ ବିଭିନ୍ନ ବିଭାଗ ସହ ମିଶି କାମ କରିବା ସହିତ ଅଞ୍ଚଳରେ ଲୋକଙ୍କ ଆୟକୁ ବଢାଇବା ତଥା ରୋଜଗାର ସୁଯୋଗ ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଏହା ପରେ ସେ ପୃଥକ ପୃଥକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି ଯେ ଦେବଗଡ ମୋର ଗଡ ଭଳି । ଏ ଅଞ୍ଚଳର ସେବା କରିବା ପାଇଁ ଆମେ ପ୍ରତିବଦ୍ଧ । ଦେବଗଡ ଜିଲ୍ଲା ସର୍ବଦା ଆମ ଦଳକୁ ଆଶୀର୍ବାଦ କରିଆସିଛି । ଜନଆଶୀର୍ବାଦ କାରଣରୁ ଓଡ଼ିଶାରେ ଆଜି ଜନକଲ୍ୟାଣକାରୀ ସରକାର ଗଠନ ହୋଇପାରିଛି । ଏଥିପାଇଁ ବ୍ୟକ୍ତିଗତ ଭାବେ ଦେବଗଡବାସୀଙ୍କ ପାଖରେ ଋଣୀ ଓ କୃତଜ୍ଞ । ଦେବଗଡ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ‘ନାଗରିକ ସମ୍ବର୍ଦ୍ଧନା ଉତ୍ସବ’ରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମାଜରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ତିଆରି କରିବା ଭଳି ଶକ୍ତି ଐତିହ୍ୟସମ୍ପନ୍ନ ଦେବଗଡ ପାଖରେ ଅଛି । ଓଡ଼ିଆ ଭାଷାକୁ ଆଗକୁ ନେବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି । ତତ୍କାଳୀନ ବାମଣ୍ଡା ରାଜ୍ୟରୁ ଓଡ଼ିଶା ସରକାରରେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ପଦବୀରେ ଅଭିସିକ୍ତ ହେବା ଖୁସିର ବିଷୟ । ଦୀର୍ଘ ୩୦ ବର୍ଷ ଧରି ଦେବଗଡ ସର୍ବଦା ବିଜେପି ଉପରେ ଭରସା କରିଆସିଛି । ଏହି ଆଶୀର୍ବାଦ ପାଇଁ ଆଜି ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାରର ସ୍ୱପ୍ନ ପୂରଣ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପାଇଁ ତାଳଚେର ବିମଳାଗଡ ରେଳଲାଇନ ହେଉ କିମ୍ବା ବାରକୋଟରୁ ଦେବଗଡ଼ ପର୍ଯ୍ୟନ୍ତ ରେଳଲାଇନର କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ବାରକୋଟରୁ ହେବାକୁ ଥିବା ନୂଆ ଲାଇନ କୁଚିଣ୍ଡା ଦେଇ ଯିବାର ଯୋଜନା କରାଯାଇଛି । ଦେବଗଡ଼ ଭଳି ଅଞ୍ଚଳକୁ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବା । ଏହି ସମୟ ସଠିକ୍ ସମୟ । ଏଠାରେ ବିକାଶକୁ ଗତି ଦିଆଯିବ । ଦେବଗଡକୁ ରାଜ୍ୟର ଏକ ଅଗ୍ରଣୀ ଅଞ୍ଚଳ ଭାବରେ ତିଆରି କରିବା ପାଇଁ ଆମେ ସମସ୍ତଙ୍କ ଦାୟିତ୍ୱ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ଲୋକମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଦେବଗଡ଼ ଗୋପାଳଜୀଉ ମନ୍ଦିର ଏବଂ ତିଲେଇବଣି ନିକ୍ତିମାଳ ସ୍ଥିତ ଓମ୍ ଶ୍ରୀ ସିଦ୍ଧେଶ୍ୱର ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଦର୍ଶନ କରିଥିଲେ ।
