ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ ମହିଳାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ – ରାଜ୍ୟପାଳ
“କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍କୃଷ୍ଟତାର ଏକ ପ୍ରକାଶସ୍ତମ୍ଭ ଅଟେ ଯାହାକି ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ଆଲୋକିତ କରୁଛି ।”
ଭୁବନେଶ୍ୱର- ସୁଖୀ ଏବଂ ସମୃଦ୍ଧ ପରିବାର ଗଠନରେ ମହିଳାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି । ଚଳିତ ଜୁଲାଇ ୦୨ ତାରିଖ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରଠାରେ ମାସିକ ଓଡ଼ିଆ ପତ୍ରିକା କାଦମ୍ବିନୀର ରଜତଜୟନ୍ତୀ ସମାରୋହକୁ ଉଦ୍ଘାଟନ କରି ରାଜ୍ୟପାଳ ଶ୍ରୀ ଦାସ ଏହି ମତବ୍ୟକ୍ତ କରିଛନ୍ତି ।
ନିଜ ଉଦ୍ବୋଧନରେ ରାଜ୍ୟପାଳ କହିଥିଲେ ଯେ, ପରିବାର ଏବଂ ସମାଜ ପାଇଁ ମହିଳା ସଶକ୍ତିକରଣ ଏକାନ୍ତ ଆବଶ୍ୟକ । ସମାଜରେ ବଂଚିତ, ଶୋଷିତ, ଅସହାୟ ମହିଳାମାନଙ୍କୁ ସଶକ୍ତ କରାଇ ସେମାନଙ୍କୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ । ମହିଳାମାନେ ଅନେକ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇ ଉତ୍କର୍ଷତା ହାସଲ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କାଦମ୍ବିନୀ ପତ୍ରିକା ମହିଳା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ସଶକ୍ତ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟପାଳ ଖୁସିବ୍ୟକ୍ତ କରିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ସର୍ବୋପରି ଓଡ଼ିଆ ଅସ୍ମିତା ପ୍ରତି ସମର୍ପିତ ରହି ପ୍ରତିମାସରେ “କାଦମ୍ବିନୀ” ପ୍ରକାଶ ପାଉଥିବା ଖୁସିର କଥା । ଓଡ଼ିଆ ଭାଷା ପ୍ରତିଟି ଓଡ଼ିଆଙ୍କର ହୃଦୟର ସ୍ପନ୍ଦନ । ଓଡ଼ିଆ ଭାଷା ସାଂସ୍କୃତିକ ଅଭିବ୍ୟକ୍ତି ଓ ଭାବନାର ଭଣ୍ଡାର, ଯାହା ପିଢ଼ି ପିଢ଼ି ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାଏ । ରାଜ୍ୟର ସାଂସ୍କୃତିକ ପରିଚୟକୁ ସଂରକ୍ଷଣ କରିବା ଏବଂ ଅଭିବ୍ୟକ୍ତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭାରତର ଏକ ଶାସ୍ତ୍ରୀୟ ଭାଷାରୂପେ ଓଡ଼ିଆ ଭାଷା ସାହିତ୍ୟର ଏକ ସମୃଦ୍ଧ ପରଂପରା ରହିଛି ।
କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍କୃଷ୍ଟତାର ଏକ ପ୍ରକାଶସ୍ତମ୍ଭ ଅଟେ ଯାହାକି ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ଆଲୋକିତ କରୁଛି । ଏହି ପତ୍ରିକାର ଲୋକପ୍ରିୟତା କେବଳ ଓଡ଼ିଶାର ସୀମାସରହଦ ଭିତରେ ସୀମିତ ନରହି ବାହାରକୁ ପରିବ୍ୟାପ୍ତ ହେଇଛି ଏବଂ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛି । ଏହି କୃତିତ୍ୱ ପାଇଁ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଏବଂ ସଂପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କର ଉଦ୍ୟମକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶଂସା କରିଥିଲେ ।
କାଦମ୍ବିନୀ ସାହିତ୍ୟ ପତ୍ରିକା ଉତ୍କୃଷ୍ଟତାର ଏକ ପ୍ରକାଶସ୍ତମ୍ଭ ଅଟେ ଯାହାକି ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳକୁ ଆଲୋକିତ କରୁଛି । ଏହି ପତ୍ରିକାର ଲୋକପ୍ରିୟତା କେବଳ ଓଡ଼ିଶାର ସୀମାସରହଦ ଭିତରେ ସୀମିତ ନରହି ବାହାରକୁ ପରିବ୍ୟାପ୍ତ ହେଇଛି ଏବଂ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛି । ଏହି କୃତିତ୍ୱ ପାଇଁ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ଏବଂ ସଂପାଦିକା ଡ଼ଃ ଇତିରାଣୀ ସାମନ୍ତଙ୍କର ଉଦ୍ୟମକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶଂସା କରିଥିଲେ । ସ୍ୱାଗତ ଭାଷଣ ଦେଇ କାଦମ୍ବିନୀ ଓ କୁନିକଥାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କାଦମ୍ବିନୀ ପତ୍ରିକାରେ ୨୫ ବର୍ଷ ମଧ୍ୟରେ ଏମିତି କିଛି ଲେଖା ବାହାରିନାହିଁ ଯାହାକୁ ଲୋକେ ସମାଲୋଚନା କରିଛନ୍ତି । କାଦମ୍ବିନୀ ଆରମ୍ଭ ହେବାଠାରୁ ଏହି ପତ୍ରିକାରେ ଗୋଟିଏ ହେଲେ ନକରାତ୍ମକ ଶବ୍ଦ ବ୍ୟବହାର ନ କରିବାକୁ ମୁଁ ଏହାର ସମ୍ପାଦିକା ଡ. ଇତି ସାମନ୍ତଙ୍କୁ ପରାମର୍ଶ ଦେଇଥିଲି । ସେ ମଧ୍ୟ ଏହାକୁ ଆଜି ପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ପାଳନ କରିଆସିଛନ୍ତି । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ପ୍ରଚାର ଓ ପ୍ରସାର କରିବାରେ କାଦମ୍ବିନୀର ଉଦ୍ୟମ ପ୍ରଶଂସନୀୟ । ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ ବର୍ଷ ସାରା କାଦମ୍ବିନୀ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରୌପ୍ୟ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୫ଜଣ ଯୁବ ସାହିତ୍ୟିକଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା ନିମନ୍ତେ ସେମାନଙ୍କୁ ଫେଲୋସିପ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟି ନାଟ୍ୟକାର ଅନନ୍ତ ମହାପାତ୍ର କହିଲେ, ଆମେ ନିଷ୍ଠାର ସହ ସଫଳ ଭାବେ କୌଣସି କାମ କଲେ କୃତୀ ମିଳିପାରିବ । ଆତ୍ମ ବିଶ୍ୱାସ ଥିଲେ କୌଣସି କାମ କଠିନ ହେବନାହିଁ । ଏହାର ଉଦାହରଣ ହେଉଛି କାଦମ୍ବିନୀ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, କାଦମ୍ବିନୀର ୨୫ବର୍ଷ ସଫଳତାର ଜୟଯାତ୍ରାର ମୂଲ୍ୟାୟନ କରିହେବ ନାହିଁ । କାଦମ୍ବିନୀ ବରିଷ୍ଠଙ୍କୁ ପ୍ରଣାମ ଓ କନିଷ୍ଠଙ୍କୁ ପ୍ରୋତ୍ସାହନ ଦେଇ ନୂଆ ଇତିହାସ ଓ ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଥିବା କାଦମ୍ବିନୀ ରୌପ୍ୟ ଜୟନ୍ତୀ ସ୍ମାରକୀ ଡାକ ଟିକଟ, କାଦମ୍ବିନୀ ରୌପ୍ୟ ଜୟନ୍ତୀ ସଂଖ୍ୟା ଓ କୁନିକଥା ଜୁଲାଇ ସଂଖ୍ୟାର ଉନ୍ମୋଚନ କରାଯାଇଥିଲା । ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ଦିନ ତମାମ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅଧିବେଶନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ବିଶିଷ୍ଟ ସାହିତ୍ୟିକା ଅର୍ଚ୍ଚନା ନାୟକ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ବିଶିଷ୍ଟ ଗବେଷକ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ, ବିଶିଷ୍ଟ ନୃତ୍ୟଗୁରୁ, ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ଆଇମି ବରୁଆ, ବଲିଉଡ଼ ଅଭିନେତ୍ରୀ ମୀରା ଚୋପ୍ରା, ବଲିଉଡ଼ ଅଭିନେତା ଅଭୟ ବର୍ମା, କ୍ରୀଡ଼ାବିତ୍ ଅନୁରାଧା ବିଶ୍ୱାଳ, କରାଟିକା ଭାଲିନା ଭାଲେଣ୍ଟିନା, ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ବିଶିଷ୍ଟ ସେଫ ସୁଶ୍ରୀ ସ୍ମୃତିଶ୍ରୀ ସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ସେହିପରି କିସ୍ ଛାତ୍ରଛାତ୍ରୀ, ଆନନ୍ଦପୁର ବୀଣାପାଣି କଳା ନିକେତନ, ଗୁରୁ ରଞ୍ଜନ କୁମାର ସାହୁ ଏବଂ ସାଥୀ, ଗୁରୁ ଧନେଶ୍ୱର ସ୍ୱାଇଁ ଓ ସାଥୀ ଏବଂ ଅକ୍ଷୟ ମହାନ୍ତି ମାସ ଅପ୍ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ସ୍ୱୟଂ ପାଢ଼ିଙ୍କ ଦ୍ୱାରା କାଦମ୍ବିନୀ ଥିମ୍ ସଙ୍ଗ୍ ଗାନ କରାଯାଇଥିଲା ।