.ମିଡ଼ିଆ କ୍ଲବ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ
ରାଉରକେଲା(ବସନ୍ତ କୁମାର ଜେନା): ଜନପ୍ରତିନିଧିଙ୍କ ଅଭିମୁଖ୍ୟର ପରିବର୍ତନ ହେଲେ ବିକାଶ ଜନାଭିମୁଖୀ ହେବ l ନିଜ ସ୍ୱାର୍ଥ ଛାଡି ଜନସାଧାରଣଙ୍କ ବାସ୍ତବ ସମସ୍ୟା ପ୍ରତି ଜନପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି l ରାଉରକେଲା ମିଡ଼ିଆ କ୍ଲବ ପକ୍ଷରୁ ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ହୋଟେଲ ସୋଲେସ ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ବକ୍ତା ମାନେ ଏହି ମନ୍ତବ୍ୟ ଦେଇଥିଲେ l ଜିଲ୍ଲା କିମ୍ବା ରାଜ୍ୟ ର ଆନୁସଙ୍ଗିକ ବିକାଶ ସହ ଜନସାଧାରଣଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ର ଆବଶ୍ୟକତା ରହିଛି ବୋଲି ଅତିଥି ଓ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି l
ଏଥିରେ ନବ ନିର୍ବାଚିତ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀର ବିଧାୟକ ଦୁର୍ଗା ଚରଣ ତନ୍ତୀ, ବିରମିତ୍ରପୁରର ବିଧାୟକ ରୋହିତ ଜୋସେଫ ତୀର୍କୀ ଅତିଥି ଭାବେ ଯୋଗ ଦେଇ ଥିଲେ l କ୍ଲବ ପକ୍ଷରୁ ସେମାନଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l କ୍ଲବର ଉପଦେଷ୍ଟା ଡ଼ ପୀତବାସ ମିଶ୍ର ଏଥିରେ ଅଧକ୍ଷତା କରିଥିଲେ l କାର୍ଯ୍ୟକ୍ରମକୁ କ୍ଲବର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସଂଚାଳନ କରିଥିଲେ l ଉପ ସଭାପତି ନିରଞ୍ଜନ ଦାସ ମିଡ଼ିଆ କ୍ଲବ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସ୍ବାଗତ ଭାଷଣ ରଖିଥିଲେ।ରାଉରକେଲା ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ରାଉରକେଲା ର ବିକାଶ ପ୍ରକ୍ରିୟା ଜାରି ରହିବ, ଏଥିରେ ସମସ୍ତଙ୍କ ସହଭାଗିତା ରହିଲେ ସଫଳତା ନିଶ୍ଚିତ ବୋଲି ମତ ରଖିଥିଲେ । ରଘୁନାଥପାଲୀ ବିଧାୟକ ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ରଘୁନାଥପାଲୀ ରାଉରକେଲାର ଅଂଶବିଶେଷ। ସମସ୍ତେ ଚାହୁଁଛନ୍ତି ବିକାଶ। ବିକଶିତ ରଘୁନାଥପାଲୀ ତାଙ୍କର ଲକ୍ଷ୍ୟ ଓ ସେ ଏଦିଗରେ ତାଙ୍କର ପ୍ରଚେଷ୍ଟ ଜାରି ରଖିବେ ବୋଲି କହିଥିଲେ । ବିରମିତ୍ରପୁର ବିଧାୟକ ଶ୍ରୀ ତିର୍କୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଅଞ୍ଚଳ ବାସୀଙ୍କ ଆଶୀର୍ବାଦ ରୁ ସେ ପ୍ରଥମ କରି ବିଧାୟକ ହେବାର ସୌଭାଗ୍ୟ ପାଇଛନ୍ତି l ବିକାଶ ଏକ ପ୍ରକ୍ରିୟା। ଖଣି ଖାଦାନ ଓ ନିଯୁକ୍ତି କୁ ଗୁରୁତ୍ବ ଦେବେ ବୋଲି ସେ କହିଥିଲେ l ଏହି ଅବସରରେ ଧୀରେନ ସେନାପତି, ସୁଦାମ ଦାଶ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ସାମାଜିକ ପ୍ରତିବଦ୍ଧତା, ଜନପ୍ରତିନିଧି ଙ୍କ ଦାୟିତ୍ଵବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ସଭାପତିତ୍ବ ଅଭିଭାଷଣ ରେ ଡ଼ଃ ମିଶ୍ର ନବନିର୍ବାଚିତ ବିଧାୟକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁନ୍ଦରଗଡ ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା କରିବା ତଥା ବିଏସଏଲ ର ପୁନରୁଦ୍ଧାର କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟତମ ଉପଦେଷ୍ଟା ବୈଦ୍ୟନାଥ ମିଶ୍ର ବେଦବ୍ୟାସ କୁ ପର୍ଯ୍ୟଟନ ସ୍ଥଳୀ ଓ ଖଣ୍ଡାଧାର ପର୍ଯ୍ୟନ୍ତ ଏକ ପର୍ଯ୍ୟଟନ କରିଡର କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ରୀନା କଦମ୍ବାଲ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଶୁଭଶ୍ରୀ ଦାସ, ମୋନାଲିସା ଗୈାଡ, ନୀଲମ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫେସର ହୃଷିକେଶ ନାଏକ, ଲତିକା ପଟ୍ଟନାୟକ, କୁମାର ବେହେରା, ଡ଼ଃ ସୁବାସ ଲେଙ୍କା, ଗଙ୍ଗାଧର ଦାଶ, ପୁଷ୍ପା ଲେଙ୍କା, ବନ୍ଦିତା ମାହାତୋ, କାମିନୀ ମହନ୍ତ, ଅକ୍ଷୟ ଧଳ, ନଳିନୀକାନ୍ତ ଧର, ଡ଼ଃ ପ୍ରମୋଦ କୁମାର ଜଗଦେବ, ନବୀନ କୁମାର ପ୍ରଧାନ, ବସନ୍ତ କୁମାର ଜେନା ଙ୍କ ସମେତ ଶତାଧିକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।