ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ୯୦୦ କୋଟି ପୁଞ୍ଜିନିବେଶରେ ହେବାକୁ ଥିବା ୧୦୨ ମେଗାୱାଟ୍ କ୍ଷମତା ସଂପନ୍ନ ଅକ୍ଷୟଶକ୍ତି ପ୍ରକଳ୍ପ ଅନୁମୋଦିତ

5

ଭୁବନେଶ୍ୱର: ୨୭.୦୬: ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷଷ୍ଠ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୧୦୨. ୨୨ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୯୦୩ .୪୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି ।
ସବୁଜଶକ୍ତି ପ୍ରକଳ୍ପ ସ୍ଥାପନ ଉଦେଶ୍ୟରେ ଉତ୍ସର୍ଗୀକୃତ ଏହି ଅର୍ଥ ବିନିଯୋଗ ପ୍ରଦୂଷଣ ହ୍ରାସ ଲାଗି ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଅଛି ।
ଏହି ଷଷ୍ଠ ସିଙ୍ଗଲ୍ ୱିଣ୍ଡୋ କମିଟି ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଏଚପିସିଏଲ୍ ରିନୁଏବଲ୍ ଆଣ୍ଡ୍ ଗ୍ରୀନ ଏନର୍ଜୀ ଲିମିଟେଡ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ସ୍ଥାପିତ ହେବାକୁ ଥିବା 48 ମେଗାୱାଟ କ୍ଷମତା ସଂପନ୍ନ ପବନଶକ୍ତି ପ୍ରକଳ୍ପ ଓ ଓଏନଜିସି ତ୍ରିପୁରା ପାୱାର୍ କମ୍ପାନୀ ଲିମିଟେଡ୍ ପକ୍ଷରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଠାରେ ସ୍ଥାପିତ ହେବାକୁ ଥିବା 49.5 ମେଗାୱାଟ କ୍ଷମତା ସଂପନ୍ନ ପବନଶକ୍ତି ପ୍ରକଳ୍ପ । ଏହି ଦୁଇଟି ପ୍ରକଳ୍ପ ନିମନ୍ତେ ମୋଟ 881.28 କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।
ସେହିପରି ସୌରଶକ୍ତି କ୍ଷେତ୍ରରେ ଭିଶାଖା ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ସମ୍ବଲପୁରର ମାନେଶ୍ୱର ଠାରେ 0.72 ମେଗାୱାଟ୍ କ୍ଷମତା ସଂପନ୍ନ ସୌର ପ୍ରକଳ୍ପ, ଆଇ.ଟି.ସି ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ 0.8 ମେଗାୱାଟ୍ କ୍ଷମତା ସଂପନ୍ନ ସୌର ପ୍ରକଳ୍ପ, ଆମ୍ପ୍ ଏନର୍ଜୀ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲ ଠାରେ 2.2 ମେଗାୱାଟ୍ କ୍ଷମତା ସଂପନ୍ନ ସୌର ପ୍ରକଳ୍ପ, ଏବଂ ଓଡ଼ିଶା ଟେଲିଭିଜନ ଲିମିଟେଡ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ସାରୁଅ ଠାରେ 1 ମେଗାୱାଟ୍ କ୍ଷମତା ସଂପନ୍ନ ସୌର ପ୍ରକଳ୍ପ ସ୍ଥାପିତ କରିବା ନିମନ୍ତେ ହୋଇଥିବା ପୁଞ୍ଜିନିବେଶ ଲାଗି ଆଜି କମିଟି ଅନୁମୋଦନ କରିଛି । ଏହି ସୌରଶକ୍ତି ପ୍ରକଳ୍ପ ଗୁଡ଼ିକ ନିମନ୍ତେ ମୋଟ 22.13 କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍‌.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ଆଜି ସୁଦ୍ଧା ୪୯୯.୪୮ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୩୭୨୩ .୫୭ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି ।

 

Leave A Reply

Your email address will not be published.