ମହାପ୍ରଭୁଙ୍କ ମହିମା ଓ ମହତ୍ତ୍ବ ପ୍ରସାର ପ୍ରଚାର ଉପରେ ଗୁରୁତ୍ବ; ରଥଯାତ୍ରା ରେ ଓଡ଼ିଆ ଅସ୍ମିତାର ହେବ ପ୍ରତଫଳନ
ପୁରୀ (ଅନିମେଶ ପଟ୍ଟନାୟକ): ବିଶ୍ୱ ନିୟନ୍ତାଙ୍କ ମହିମା ଓ ମହତ୍ତ୍ବକୁ ପ୍ରଚାର ଓ ପ୍ରସାର କରିବା ସରକାରଙ୍କ ମୂଳ ଲକ୍ଷ । ଏଥି ସହ ଚଳିତ ରଥଯାତ୍ରା ସମୟରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଉପରେ ମଧ୍ଯ ଗୁରୁତ୍ବ ଦିଆଯିବ ବୋଲି ଦ୍ୱିତୀୟ ସମନ୍ୱୟ ବୈଠକରେ କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବୁଧବାର ସ୍ଥାନୀୟ ଟାଉନ ହଲ ଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ । ସଫଳ ଓ ଶାନ୍ତି ଶୃଙ୍ଖଳା ରଥଯାତ୍ରା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ରଥଯାତ୍ରା ଏକ ସାମୁହିକ କାର୍ଯ୍ୟ।ପାରସ୍ପରିକ ସହଯୋଗ ସହ ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଏବଂ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଚଳିତ ରଥଯାତ୍ରା ରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ମହାପ୍ରଭୁଙ୍କ ପ୍ରଦର୍ଶନୀ ଓ ଅନ୍ୟାନ୍ୟ କାର୍ଯ୍ୟ ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୁରୀ ରେ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ସକ୍ରିୟ କରିବାକୁ ଜଣେ ଯୁଗ୍ମ ନିର୍ଦ୍ଦେଶକ ସ୍ତରର ଅଧିକାରୀ ନିୟୋଜିତ ହେବେ।
ସେହିପରି ପୌରପାଳିକା ପାଇଁ ଜଣେ ଅତିରିକ୍ତ ସଚିବ ସ୍ତରର ଅଧିକାରୀ କାର୍ଯ୍ୟ ଅନୁଧ୍ୟାନ କରିବେ। ରଥଯାତ୍ରା ସମୟରେ ଅଂଶୁଘାତର ମୁକାବିଲା ପାଇଁ ୧୦୦ ବେଡର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ମୁକେଶ ମହାଲିଙ୍ଗ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ର,ଇସ୍ପାତ, ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, କ୍ରିଡା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଜି ମାଥିଭାଥନନ, ମାନସ ରଞ୍ଜନ ବାରିକ, ଆଡିସିନାଲ ଡିଜି ସଞ୍ଜୟ କୁମାର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ବି ଯାଦବ, ପରିବହନ କମିଶନର ଅମିତାଭ ଠାକୁର, ଆରଡିସି ସନ୍ଥ ଗୋପାଳନ, ଓରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ପୁନମ ଗୁହା ତାପସ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାୟ, ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ଏସ ପି ପିନାକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ରଥଯାତ୍ରାକୁ ସମସ୍ତ ଙ୍କ ସହଯୋଗ ରେ ଶୃଙ୍ଖଳିତ ଭାବେ ସମାପନ କରିବାକୁ ଅନୁରୋଧ କରିଥିଲେ।
ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ସେବାୟତ, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।