(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ନେମାଳ ଠାରେ ଥିବା ଭବିଷ୍ୟମାଳିକାର ରଚୟିତା ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନିର୍ବିକଳ୍ପ ଶୂନ୍ୟ ସମାଧି ଦିବସ ଓ ଦେବସ୍ନାନ ଯାତ୍ରା ଆସନ୍ତା ୨୨ତାରିଖ ଦିନ ଅନୁଷ୍ଠିତ ହେବ । ଏହି ଯାତ୍ରାକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କର ସଭାପତିତ୍ବରେ ଏଥିରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀଙ୍କ ସମେତ ଜିଲ୍ଲା ସ୍ତରୀୟ ଓ ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଯାତ୍ରା ପାଇଁ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଦେବସ୍ନାନ ଯାତ୍ରା ଦିନ ଶ୍ରୀ ମନ୍ଦିର ପୁରୀରୁ ସୟଂ ଜଗନ୍ନାଥ ନେମାଳ ଧାମକୁ ଆସିଥାନ୍ତି ବୋଲି ଯେଉଁ ପରମ୍ପରା ରହିଛି ସେଥିରେ ଭକ୍ତମାନେ ବିଭୋର ହୋଇ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇ ମହାପୁରୁଷଙ୍କ ସାନ୍ନିଧ୍ୟ ଲାଭ କରିଥାନ୍ତି । ଚଳିତ ବର୍ଷ ଏହି ଯାତ୍ରା ମୁଖ୍ୟତଃ ୫ ଦିନ କରାଯିବା ପାଇଁ ସ୍ଥିର ହୋଇଛି । ଏହି ୫ଦିନ ଯାତ୍ରାରେ ରାଜ୍ୟ ସାଂସ୍କୃତିକ ବିଭାଗ ପକ୍ଷରୁ ମଧ୍ୟ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ମଧ୍ୟ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଯାତ୍ରାରେ ବିଭିନ୍ନ ବ୍ୟବସାୟୀ ମାନେ ସେମାନଙ୍କର ବ୍ୟବସାୟ କରିବା ପାଇଁ ପୂର୍ବ ବର୍ଷ ଭଳି ତହସିଲଦାରଙ୍କ ପରାମର୍ଶ ଅନୁଯାୟୀ ଜାଗା ବଣ୍ଟନ କରାଯିବାକୁ ଧାର୍ଯ୍ୟ ହୋଇଛି । ଏହି ଯାତ୍ରାରେ ବହୁ ଭକ୍ତ ସମାଗମ ହେବାର ଆକଳନ କରାଯାଇ ତଦନୁସାରେ ବିଭିନ୍ନ ବ୍ୟବସ୍ଥା ହାତକୁ ନିଆଯାଇଛି । ବିଶେଷ କରି ପୀଠ ଚତୁଃପାର୍ଶ୍ବରେ ଉଜ୍ଜ୍ଵଳୀ ଆଲୋକୀକରଣ ବ୍ୟବସ୍ଥା, ୨୪ ଘଣ୍ଟା ପାନୀୟ ଜଳ ଯୋଗାଣ, ପ୍ରବଳ ଗୁଳୁଗୁଳି ହେତୁ ଲୋକମାନଙ୍କର ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବ ଦିଆଯାଇଛି l ଏହାଛଡ଼ା ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୫ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ବହୁ ଅଫିସର ନିୟୋଜିତ ହେବାର ବ୍ୟବସ୍ଥା ହୋଇଛି । ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପୁରୁଷଙ୍କୁ ଦର୍ଶନ କରିବେ ସେଥିପାଇଁ ଧାଡ଼ିରେ ଯିବାକୁ ବାରିକେଟର ବ୍ୟବସ୍ଥା ହୋଇଛି, ପୀଠର ଚତୁଃପାର୍ଶ୍ଵରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ , ଚାରି ଚକିଆ, ଦୁଇ ଚକିଆ ଯାନର ପାର୍କି ବ୍ୟବସ୍ଥା ୩୦୦ ମିଟର ବାହାରେ କରାଯିବା ପାଇଁ ବ୍ୟବସ୍ଥା ହୋଇଛି, ଏହାଛଡ଼ା ଭକ୍ତମାନଙ୍କର ସୁରକ୍ଷା ପାଇଁ ଆହୁରି ଅନେକ ବ୍ୟବସ୍ଥା ହୋଇଥିବା ଜଣାଯାଇଛି । ଏହି ବୈଠକରେ ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ଅନିତା ନାୟକ, ସାଲେପୁର ଏସଡ଼ିପିଓ ନିହାରରଂଜନ ପ୍ରଧାନ, ଟ୍ରଷ୍ଟବୋର୍ଡ଼ ସଭ୍ୟ ଅଜୟ କୁମାର ପୃଷ୍ଟି, ଡ଼େପୁଟି କଲେକ୍ଟର ପ୍ରକାଶ ରାଉଳ ଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post