ଭୁବନେଶ୍ୱର, ୦୭/୦୬: ବିଶ୍ୱ ପରିବେଶ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ସୋଆ କୃଷି ମହାବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଜୁନ୍ ୫ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ଦିବସକୁ ପାଳନ କରିବା ଅବସରରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚାରଲ୍ ସାଇନ୍ସେସ୍ କ୍ୟାମ୍ପସ୍ରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୂଷଣ ପୃଥିବୀ ପାଇଁ ବଡ଼ ବିପଦ ସୃଷ୍ଟି କରିଥିବା ପ୍ରକାଶ କରି ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ । ପରିବେଶ ପ୍ରଦୂଷଣ ମନୁଷ୍ୟର ସ୍ୱାସ୍ଥ୍ୟ, ଜୀବନ ଏବଂ ଖାଦ୍ୟ ଉପରେ ପ୍ରଭାବ ପକାଉଛି ବୋଲି ସେ କହିଥିଲେ ।
ସୋଆ ପକ୍ଷରୁ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ଉଲ୍ଲେଖ କରି ସେ କହିଥିଲେ ଯେ ପାଣିପାଗର ପ୍ରକୃତ ଆକଳନ ଏହି କେନ୍ଦ୍ର ପକ୍ଷରୁ କରାଯାଉଛି । ସେହିପରି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସେଂଟର ଫର୍ କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍ଚର ଆରମ୍ଭ କରାଯାଇ କୃଷିଜାତ ଦ୍ରବ୍ୟକୁ କିଭଳି ପରିବେଶର କୁପ୍ରଭାବରୁ ରକ୍ଷା କରାଯାଇପାରିବ ସେନେଇ ଆକଳନ ଓ ପ୍ରଚେଷ୍ଟା କରାଯାଉଛି । ଆଉ ଏକ ପୃଥିବୀ ସୃ୍ଷ୍ଟି କରିବା ସମ୍ଭବ ନୁହେଁ ତେଣୁ ଏହାର ସୁରକ୍ଷା ପାଇଁ ପରିବେଶକୁ ସ୍ୱଚ୍ଛ ରଖିବା ଜରୁରୀ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି ଅବସରରେ କଟକ ସ୍ଥିତ ଆଇସିଏଆର୍-ଏନ୍ଆରଆର୍ଆଇର ନିର୍ଦ୍ଦେଶକ ଡକ୍ଟର ଅମରେଶ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପରିବେଶର ସୁରକ୍ଷା ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ‘ଲ୍ୟାଣ୍ଡ ରେଷ୍ଟୋରେସନ୍, ଡିଜର୍ଟିଫିକେସନ୍ ଆଣ୍ଡ ଡ୍ରଟ୍ ରେସିଲିଆନ୍ସ’ ଉପରେ ଆଲୋଚନା କରି ଡକ୍ଟର ନାୟକ କୃଷି ଅନୁପୋଯୋଗୀ ଜମିକୁ ପୁନଃରୁଦ୍ଧାର କରି କୃଷି କ୍ଷେତ୍ରର ପରିସୀମା ବୃଦ୍ଧି କରିବା, ଚାଷ ଜମିକୁ ମରୁଭୂମି ହେବାରୁ ରକ୍ଷା କରିବା, ମରୁଭୂମି ଅଂଚଳକୁ କୃଷି କ୍ଷେତ୍ରରେ ପରିଣତ କରିବା, ମରୁଡି ପରିସ୍ଥିତିର ମୁକାବିଲା କରିବା ଓ କୃଷି କ୍ଷେତ୍ର କିପରି ମରୁଡ଼ି ଗ୍ରସ୍ତ ନ ହେବ ତାହାର ବ୍ୟବସ୍ଥା କରିବା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ସେହିପରି ଜଳବାୟୁ ପରିବର୍ତନର ମୁକାବିଲା କରିବା ଓ ଏହି ପରିବର୍ତନ ସହିତ ଖାପ ଖୁଆଇ କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କୃଷିର ଭିତିଭୂମି ତଥା ମୃତିକାର ଗୁଣାତ୍ମକ ମାନ ବୃଦ୍ଧି କରିବା ଏବଂ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଉନ୍ନତ ମାନର କୃଷି ଉତ୍ପାଦ ପ୍ରସ୍ତୁତ କରିବା ଏବଂ କୃଷି କ୍ଷେତ୍ରରେ ମାନବକୃତ ଅନାବଶ୍ୟକ ବା କ୍ଷତିକାରକ ପ୍ରୟୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ବିଷୟରେ ଡକ୍ଟର ନାୟକ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ବାର୍ତା ପ୍ରଦାନ କରିଥିଲେ ।
ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫସର ବିଭୁତି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଡେମୀର ସମ୍ପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ବକ୍ତବ୍ୟ ରଖିଥିବା ବେଳେ ଆଇଏଏସ୍ର ପ୍ରଫେସର ପ୍ରଭାତ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post