ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ଥିତି ଓ ଏହାର ମୁକାବିଲା ନିମନ୍ତେ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ
ଜନସଚେତନତା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ବଢାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଓ ଏହା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଗତ କିଛି ଦିନ ହେଲା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ଯୋଗୁଁ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ପାଣି ପାଗ ବିଭାଗର ଆକଳନ ଅନୁସାରେ ଏହା ଆଗକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ପୂର୍ବାହ୍ନରେ ରାଜ୍ୟରେ ବିଭିନ୍ନ ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ଏଥି ନିମନ୍ତେ ସତର୍କତାମୂଳକ ପଦକ୍ଷେପ ନେବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ସମେତ ଏସ୍ଆରସିଙ୍କକାର୍ଯ୍ୟାଳୟ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଗ୍ରୀଷ୍ମ ଋତୁରେ ଏହି ସମୟରେ ସାଧାରଣତଃ ତାତି ଅଧିକ ରହିଥାଏ ।ତେବେ ଏବେ ରାଜ୍ୟର କେତେକ ଜିଲ୍ଲାରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଦୃଷ୍ଟିରୁ ଅସ୍ୱାଭାବିକ ସ୍ଥିତି ଉପୁଜିଛି । ଗ୍ରୀଷ୍ମ ପ୍ରବାହ ଜନିତ ସତର୍କତା ଅବଲମ୍ବନ ପାଇଁ ବ୍ୟାପକ ଜନ ସଚେତନତା ଅପରିହାର୍ଯ୍ୟ ।ଏ ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଓ ପରାମର୍ଶ ଦିଆଯାଉଛି ।ଏହି ପରାମର୍ଶକୁ ମାନିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।ରାଜ୍ୟରେ ବିଭିନ୍ନ ସମୟରେ ପୂର୍ବରୁ ଏ ସମ୍ପର୍କରେ ସଚେତନ କରାଯାଇଥିଲେ ମଧ୍ୟ, ଜାରି ରହିଥିବା ଏପରି ସ୍ଥିତିରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପୁଣିଥରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାରକୁ ବଢାଇ ବ୍ୟାପକ ସଚେତନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ, ଏପରିକି ଗ୍ରୀଷ୍ମ ତାପ ନକମିବା ପର୍ଯ୍ୟନ୍ତ ଅତି ଜରୁରୀ କାମ ନଥିଲେ ଜନସାଧାରଣଙ୍କୁ ବାହାରକୁ ନ ଯିବାକୁ ସେ ଅନୁରୋଧ କରିଛନ୍ତି ।ଯେଉଁମାନେ ଅତି ଜରୁରୀ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ସାଙ୍ଗରେ ଛତା, ଯୋତା ବା ଚପଲ, ପାଣି, ଓଦା ତଉଲିଆ ବା ଗାମୁଛା, ହେଲମେଟ ଆଦି ନିଶ୍ଚିତ ଭାବେ ନେବା ଓ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ପାଇଁ ଏବଂ ଟ୍ରକ୍ ଚାଳକମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ସମୟ ପୁନଃ ନିର୍ଦ୍ଧାରଣ କରିବାକୁ ସେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଶ୍ରମିକମାନେ କାର୍ଯ୍ୟକରୁଥିବା କାର୍ଯ୍ୟସ୍ଥଳୀ ନିକଟସ୍ଥ କ୍ୟାମ୍ପରେ ଯଥେଷ୍ଟ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍, ପ୍ରାଥମିକ ଚିକିତ୍ସା ବାକ୍ସ ବ୍ୟବସ୍ଥା ରଖିବାକୁ ସେ ନିର୍ଦ୍ଦେଶଦେଇଛନ୍ତି । ବସ୍ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ନିଶ୍ଚିତ ଭାବେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହ ଓଆରଏସ୍ ପ୍ୟାକେଟ, ପାନୀୟ ଜଳ ରଖିବାକୁ ନିଶ୍ଚିତ କରିବା ଓ ଏଥି ପ୍ରତି ଯାଂଚ କରିବାକୁ କହିଛନ୍ତି । ନିର୍ବାଚନ ମତଗଣନା କାର୍ଯ୍ୟରେ ଯେଉଁମାନେ ନିୟୋଜିତ ରହିଛନ୍ତି, ସେମାନଙ୍କ ପାଇଁ ଯେପରି ଦହି, ଲସି, ପାଣି, ବରଫ ମହଜୁଦ ରହେ, ତାହାକୁ ନିଶ୍ଚିତ କରିବାକୁ କୁହାଯାଇଛି ।ସେହିପରି ନିର୍ବାଚନ କାର୍ଯ୍ୟ ଓ ମତଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ, ପୋଲିଂ ଏଜେଣ୍ଟ ଆଦି ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।ଯେଉଁସବୁ ସ୍ଥାନରେ ଜଳଛତ୍ର ଖୋଲାଯାଇଛି, ସେସବୁ ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉଛି କି ନାହିଁ, ତାହା ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା ଆମର ପ୍ରାଥମିକତା ରହିଛି । ଏଣୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ଜନିତ ସମସ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି ।
ଅନ୍ୟପକ୍ଷରେ ଡାକ୍ତରଖାନାରେ ସମସ୍ତ ପ୍ରସ୍ତୁତି ରହିଥିବା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ପ୍ରକାଶ କରିଥିଲେ ।ଗ୍ରୀଷ୍ମ ପ୍ରବାହ ସମୟରେ ଡାକ୍ତରଖାନା ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗ ସହିତ ଜଡ଼ିତ ଅନ୍ୟ ସମସ୍ତ ସଂସ୍ଥାଙ୍କ ସହିତ ସମନ୍ୱୟ ରଖାଯାଇ ସ୍ୱାସ୍ଥ୍ୟ ସେବା ପରିଚାଳନା କରାଯାଉଛି।ହସ୍ପିଟାଲ୍ ଗୁଡ଼କରେ ଆବଶ୍ୟକ ଯଥେଷ୍ଟ ସଂଖ୍ୟକ ଓଆର୍ଏସ୍, ବରଫ ପ୍ୟାକେଟ ଆଦି ରଖାଯାଇଛି ।ଡାକ୍ତରଖାନାଗୁଡିକରେ ଯେପରି କୁଲର, ଏସି ଆଦି କାର୍ଯ୍ୟକ୍ଷମ ରୁହେ, ତାହାକୁ ନିଶ୍ଚିତ କରିବାକୁ ବିଦ୍ୟୁତ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଥିଲା ।ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏପରି ଅସ୍ୱାଭାବିକ ସ୍ଥିତିରେ କାହାରି ମୃତ୍ୟୁ ଘଟିଲେ ଏଥି ନିମନ୍ତେ ରହିଥିବା ପ୍ରୋଟୋକଲ ଓ ଗାଇଡ୍ଲାଇନ୍ ଅନୁସାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଯେଉଁ ସବୁ ଡାକ୍ତରଖାନାରେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର(ଏସି) ନିରନ୍ତର ଚାଲୁ ରହୁଛି, ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହାର ସ୍ଥିତିକୁ ନିୟମିତ ଭାବେ ଯାଂଚ କରିବାକୁ ସେ ପରାମର୍ଶ ଦେଇଥିଲେ ।