ଭୁବନେଶ୍ୱର: ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍ରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି । ଭାରତ ପର୍ବର ଉଦ୍ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲ୍ର ରିଲିଜ୍ ପାଇଁ ଫିଲ୍ମର ଟିମ୍କୁ ନିମନ୍ତ୍ରଣ ମିଳିଥିଲା । ଚଳିତ ବର୍ଷ ଇଣ୍ଡିଆ ପାଭିଲିଅନ୍ର ନାମ ଭାରତ ପର୍ବ ରଖାଯାଇଛି । ଏହା ଏନ୍ଏଫ୍ଡିସି ଓ ଫିକି ଦ୍ୱାରା ପରିଚାଳିତ । ଏହି ଚଳଚ୍ଚିତ୍ରର ଟ୍ରେଲର୍ଟି ଭାରତ ପାଭିଲିଅନ୍, ଇଣ୍ଟରନାସ୍ନାଲ୍ ରିଭେରା ଠାରେ ପ୍ରଦର୍ଶିତ ହୋଇଛି । ଅନ୍ୟାନ୍ୟ ଚଳଚ୍ଚିତ୍ର ମଧ୍ୟରେ ଅଜୟ ଦେବଗନ୍, ତବୁ ଓ ନିରଜ୍ ପାଣ୍ଡେଙ୍କ ‘ଔରୋ ମେଁ କାହାଁ ଦମ୍’, ଅଭିଜିତ ଅଧ୍ୟାୟଙ୍କ ‘ଆଡ୍ ରିକା’ ଦିବ୍ୟା ଖୋସଲାଙ୍କ ‘ସାଭୀ’ ପ୍ରତୀକ ଗାନ୍ଧୀଙ୍କ ‘ହାର୍ନା’ ମଧ୍ୟ ପ୍ରଦର୍ଶିତ ହୋଇଛି ।
ପ୍ରକାଶ ଯୋଗ୍ୟ ଯେ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ଗୋଟେ ଓଡ଼ିଆ ଚଳଚ୍ଚିତ୍ର କାନ୍ ଫିଲ୍ମ୍ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବା ଦୁର୍ଦ୍ଦିନ ଦେଇ ଗତି କରୁଥିବା ଓଡ଼ିଆ ସିନେ ଜଗତ ପାଇଁ ନିଶ୍ଚିତ ରୂପେ ଆଶାର କିରଣ ସଦୃଶ ।
ପ୍ରଣବ୍ ୫୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍ରେ ପ୍ରଶଂସିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ଜଣାଶୁଣା । ବେଜିଂ ଫିଲ୍ମ୍ ଫେଷ୍ଟିଭାଲ, ଡର୍ବାନ ଫିଲ୍ମ୍ ଫେଷ୍ଟିଭାଲ, ତିରାନା, ଇକୋଟପ୍ ଭଳି ଅନେକ ଜଣାଶୁଣା ଫିଲ୍ମ୍ ଫେଷ୍ଟିଭାଲ୍ରେ ତାଙ୍କ ସିନେମା ପ୍ରଶଂସା ସାଉଁଟିଛି ।
ଅଭିସ୍ମିତା ବ୍ୟନରରେ ନିର୍ମିତ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ଏବଂ ପୋଷ୍ଟର ସଫଳତାର ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଇଣ୍ଡିଆ ପାଭିଲିୟନରେ ଜଣେ କ୍ରୁ ସଦସ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏଥିରେ ସାରା ବିଶ୍ୱରୁ ନିର୍ମାତା, ବିତରକ, ଅଭିନେତା ଯୋଗ ଦେଇଥିଲେ । ସମସ୍ତେ ପଦ୍ମଶ୍ରୀ ନନ୍ଦ ମାଷ୍ଟରଙ୍କ ସରଳତା ଏବଂ ସଫଳତା ଦ୍ୱାରା ବିସ୍ମିତ ହୋଇଥିଲେ । ଶୋ’ରେ ଉପସ୍ଥିତ ସମସ୍ତେ ଅଭୟ ଓ ପ୍ରଣବଙ୍କ ଦ୍ଵାରା ଚୟନ କରାଯାଇଥିବା ଏପରି କାହାଣୀ ଓ ଟ୍ରେଲର୍କୁ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରଟି ବିଭିନ୍ନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭ୍ରମଣ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ଆଶା ରଖାଯାଇଛି ।