ପ୍ରକୃତ ହିତାଧିକାରୀଙ୍କ ତ ଦିନ ବିତୁଛି ଭଙ୍ଗା ଦଦରା ଘରେ
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୨୭/୦୫-କେନ୍ଦ୍ର ସରକାର ଦେଶର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗେଇ ଦେଉଛି କହି ବାହାସ୍ପୁଟ ମାରୁଛନ୍ତି |ହେଲେ ଦେଖିଲା ବେଲକୁ ଏହି ଯୋଜନାର ଲାଭ ଉଠାଉଛନ୍ତି ମଧ୍ୟବିତ ଶ୍ରେଣୀର ଲୋକେ |ଯାହାକୁ ଘର ଖଣ୍ଡିଏ ନିହାତି ଦରକାର ତାକୁ ତ ଘର ମିଳୁନି, ଆଉ ଯାହାର ଭଲ ଘର ଅଛି ତାକୁହିଁ ଏହି ଯୋଜନାରେ ସାମିଲ କରି ଘର ଯୋଗେଇ ଦିଆ ଯାଉଛି |ଗରିବ ଶ୍ରେଣୀର ଲୋକେ ଘର ଖଣ୍ଡିକ ପାଇବା ପାଇଁ ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ ଗୁହାରି ହତାଶ ହୋଇ ପଡୁଛନ୍ତି ସିନା ଘର ମିଳୁନି |ଆଉ ଏପଟେ ମଧ୍ୟବିତମାନେ ଘରେ ବସି ବସି ଘରସବୁ ହାତେଇ ନେଉଛନ୍ତି |ଗରିବ ବିଚାରାର ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଧାଇଁ ଧାଇଁ ପାଦର ଚପଲ ଛିଣ୍ଡି ଯାଉଛି |ଝରୀଗାଁ ବ୍ଲକରେ ପ୍ରହସନ ପାଲଟି ଯାଇଛି ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା |ବ୍ଲକର ଅନେକ ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ଘର |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବଡ଼ ଟେମରା ପଂଚାୟତ ଅଧିନସ୍ଥ ପିପଲଗୁଡା ଗ୍ରାମର ଦଶରୁ ଯାନୀ (୬୫), ଯିଏକି ସ୍ତ୍ରୀ ଆମଦାଏ ଯାନୀ ଓ ଗୋଟିଏ ୧୬ବର୍ଷୀୟା ଝିଅ ସାବିତ୍ରୀ ଯାନୀଙ୍କୁ ଧରି ବର୍ଷ ବର୍ଷ ଧରି ଦିନ କାଟୁଛନ୍ତି ଏକ ଭଙ୍ଗା ଦଦରା ଘରେ |ତାଙ୍କର ବଳ ବୟସ ଥିବା ସମୟରେ ତୋଳିଥିବା ଘର ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଗଲାଣି |ଘରେ ଲାଗିଥିବା ଆଡ଼ଭେଷ୍ଟ ଟିଣ ସବୁ ଭାଙ୍ଗି ଯିବାରୁ ତାରି ଉପରେ ଜରି ଟାଙ୍ଗୀ ରହୁଛନ୍ତି, ଆଉ କାନ୍ଥ କଥା କହିବା ତେଵେ କାନ୍ଥ ସବୁ ବି ଫାଟି ଆଃ କରିଛି |ଏବେ ଆଉ କଣ ଦେହରେ ବଳ ଅଛି ଯେ ସେ ଘରକୁ ସଜାଡିବ? ସେ ସରକାରଙ୍କ ଘର ଅପେକ୍ଷାରେ ଦିନ କାଟୁଛି |ସରକାର ଘରଟିଏ ଦେଲେ ସେ ଘରେ ସେ ତା ସ୍ତ୍ରୀ ଓ ବଢ଼ୁଆ ଝିଅକୁ ଧରି ଶାନ୍ତିରେ ରହିବ |ହେଲେ ସରକାରଙ୍କୁ ତ ଦଶରୁ ର ଦୁଃଖ ଦେଖା ଯାଉନି |ଦଶରୁକୁ ରାତିରେ ଶୋଇଲେ ନିଦ ହେଉନି |ଘରର ଅବସ୍ଥା ଏମିତି ହୋଇଛି ଯେ ରାତିରେ ବିଷଧର ସରୀସୃପ ଆରାମରେ ଭିତରେ ପଶିଯିବେ |ତାଛଡା ଘରେ ଗୋଟେ ଯୁବା ଝିଅ ଟିଏ ରହିଥିବାରୁ ସେଥିପାଇଁ ମଧ୍ୟ ସେ ଚିନ୍ତିତ |ପ୍ରଶାସନ ଦଶରୁ ଯାନୀର ପରିସ୍ଥିତିକୁ ଦେଖି ଅତିଶୀଘ୍ର ଘରଟିଏ ଯୋଗାଇ ଦେବା ଉଚିତ ବୋଲି ଗ୍ରାମବାସୀମାନେ ମଧ୍ୟ ଦାବୀ କରୁଛନ୍ତି |