https://youtu.be/ofius9gUz0w
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନବ ଉତ୍କଳର ନିର୍ମାତା , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା , ଓଡ଼ିଶା ଭାଷା-ଭିତ୍ତିକ ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ତଥା ସ୍ଵାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀଶ୍ରୀଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୧ ତମ ତିରୋଧାନ ଦିବସ ଉସବ “ପ୍ରଗତି” ମହିଳା ସଙ୍ଗଠନ ଏବଂ ୟୁ.ଟେକ୍.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମିଳିତ ଆନୁକୁଲ୍ୟେରେ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତି ସୌଧ-ପୀଠରେ “ପ୍ରଗତି” ମହିଳା ସଙ୍ଗଠନ ଏବଂ ୟୁ.ଟେକ୍.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର କର୍ମକର୍ତ୍ତା ଲୋକନାଥ ମିଶ୍ର , ଶରତ ପ୍ରଧାନ , ତନୁଜା ଶତପଥୀ , ବିଚିତ୍ରାନନ୍ଦ ବେବର୍ତ୍ତା , ହରିମୋହନ ପଟ୍ଟନାୟକ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ପରେ ସ୍ଥାନୀୟ ବଜାର ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ଠାରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଓ ପୁଷ୍ପ ଅର୍ପଣ କରି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ପୂର୍ବାହ୍ନରେ ୟୁ.ଟେକ୍.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସଭାଗୃହ ଠାରେ ଅନୁଷ୍ଠାନର ସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ଓ କର୍ମମୟ ଜୀବନୀ ଓ ତାଙ୍କର କୃତିତ୍ଵ ଓ ଅବଦାନର ବିଭିନ୍ନ ଦିଗ ସମ୍ପର୍କରେ ସ୍ମୃତିଚାରଣ କରି ସଙ୍କଟମୟ ସମୟରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସେ ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ ତାଙ୍କର ଯେଉଁ ଅସୀମ ତ୍ୟାଗ , ନିରବଚ୍ଛିନ୍ନ ପ୍ରଚେଷ୍ଟା ଓ କାୟାବିଷ୍ଠ ସାଧନା ଥିଲା , ତାହା ଅବିସ୍ମରଣୀୟ ବୋଲି କହିଥିଲେ।
ମୁଖ୍ୟବକ୍ତା ଭାଗବତ ପାଢୀ ଯୋଗଦେଇ ପ୍ରବାଦ ପୁରଷ ପୁଣ୍ୟଶ୍ଳୋକ ମହାରାଜାଙ୍କ ପଦାଙ୍କ ଅନୁକରଣ କରି ଯୁବପିଢୀ ଓଡ଼ିଆ ଅସ୍ମିତା ସୁରକ୍ଷା ଦେବା ସାଙ୍ଗକୁ ମା , ମାଟି , ମାତୃଭୂମି କୁ ଜୀବନ ଠାରୁ ଅଧିକ ଭଲ ପାଇବା ହେଉଛି ଆଜିର ସ୍ମୃତି ଚାରଣ ର ପ୍ରଧାନ ଲକ୍ଷ୍ୟ ଥିଲା ବୋଲି କହିଥିଲେ।
ବିଶିଷ୍ଟ ଅତିଥି ଭାବେ ହରିମୋହନ ପଟ୍ଟନାୟକ ଯୋଗ ଦେଇଥିବାବେଳେ ସ୍ନେହା ବେହେରା ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ପ୍ରଗତିର ସମ୍ପାଦିକା ତନୁଜା ଶତପଥି ପ୍ରାକ୍ ବକ୍ତା ଭାବେ ଏମାଟିର ଉତ୍ତର ପୀଢ଼ିଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରେରେ ପୂର୍ବାହ୍ନରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କୁଇଜ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥି ମାନଙ୍କ ଦ୍ବାରା କୃତି ପ୍ରତିଯୋଗୀଙ୍କୁ ପୁରଷ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ। ସମସ୍ତ କାର୍ଯ୍ୟକ୍ରମକୁ ମୁରଲୀଧର ପରିଚ୍ଛା , ପାୟଲ ପାତ୍ର , ସତ୍ୟବତୀ ଦାସ , ପଲକ୍ ପାତ୍ର, ସ୍ନେହା ବେହେରା , ପ୍ରଣବ ପଣ୍ଡା ପ୍ରଭୃତି ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।