ପାର୍ବଣ ଋତୁରେ ଖାଦ୍ୟ ସୁରକ୍ଷା ଓ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ନିଷେଧ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱ

9

  • ନବରଙ୍ଗପୁର ପୌରପାଳିକାରେ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ
  • ୨୦୦ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ଓ ଖାଦ୍ୟ ସାମଗ୍ରୀ ଜବତ; ୩୨ ହଜାର ଟଙ୍କା ଜରିମାନା ଆଦାୟ

ନବରଙ୍ଗପୁର, ୭ ନଭେମ୍ବର ୨୦୨୬:
ପାର୍ବଣ ଋତୁରେ ଜନସାଧାରଣଙ୍କୁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଏନଫର୍ସମେଣ୍ଟକୁ ଜରଦାର କରିଛି।

ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ପୌରପାଳିକା ଅଞ୍ଚଳରେ ଏକ ମିଳିତ ଏନଫୋର୍ସମେଣ୍ଟ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟିଙ୍କ ଉପସ୍ଥିତି ଓ ମାର୍ଗଦର୍ଶନରେ ଏହି ଅଭିଯାନ ପରିଚାଳିତ ହୋଇଥିଲା।

ଏହି ଅଭିଯାନ ସମୟରେ ପ୍ରାୟ ୧୦୦ କିଲୋଗ୍ରାମ୍ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ୧୦୦ କିଲୋଗ୍ରାମ୍‌ରୁ ଅଧିକ ଖାଦ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଜବତ ଖାଦ୍ୟ ସାମଗ୍ରୀ ମଧ୍ୟରେ ଚିକେନ୍, ମାଛ, ଚିଙ୍ଗୁଡ଼ି, ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିଲା। ଏଥିସହ କେତେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ବ୍ୟବସାୟିକ କାର୍ଯ୍ୟରେ ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ବ୍ୟବହାର ହେଉଥିବା ମଧ୍ୟ ଚିହ୍ନଟ କରାଯାଇଥିଲା।

ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଅନୁଯାୟୀ ନିୟମ ଉଲ୍ଲଂଘନ ଯୋଗୁଁ ମୋଟ ୩୨,୦୦୦ (ବତିଶ ହଜାର) ଟଙ୍କା ଜରିମାନା ଆଦାୟ କରାଯାଇଥିଲା।

ଏହି ମିଳିତ ଅଭିଯାନରେ ନବରଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣ, ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ମଜୁମଦାର ଓ ତାଙ୍କ ଟିମ୍; ପୌରପାଳିକାର ଏନଫୋର୍ସମେଣ୍ଟ ଟିମ୍‌ର ଜ୍ୟୋତି ପରିଚ୍ଛା, ଶଶାଙ୍କ ବେହେରା, ରାଜେନ୍ଦ୍ର ନାଥ ସାହୁ, କମଲୁ ମାଝୀ, ସାଗର ମହାପାତ୍ର, ମଧୁସୂଦନ ନାୟକ, ମୋହନ ଓ ଅନ୍ୟମାନେ ସାମିଲ ହୋଇଥିଲେ। ଏଥିସହ ନବରଙ୍ଗପୁର ଥାନାର ଆଇଆଇସି ଶ୍ରୀ ସମ୍ବିତ କୁମାର ବେହେରା, ଏସ୍‌ଆଇ ଶ୍ରୀ ରଘୁନାଥ ହାଁସଦା ଏବଂ ଏସିଏସ୍‌ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦାସ ମଧ୍ୟ ଅଭିଯାନରେ ଅଂଶଗ୍ରହଣ କରିଥିଲେ।

ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା, ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ଅନୁପଯୁକ୍ତ ବ୍ୟବହାରକୁ ନିୟନ୍ତ୍ରଣ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଜନସ୍ୱାସ୍ଥ୍ୟ, ଖାଉଟି ସୁରକ୍ଷା ଓ ପରିବେଶ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନ ଏବଂ ନବରଙ୍ଗପୁର ପୌରପାଳିକା ପକ୍ଷରୁ ଏଭଳି ମିଳିତ ଯାଞ୍ଚ ଓ ଏନଫୋର୍ସମେଣ୍ଟ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave A Reply

Your email address will not be published.