ସମ୍ବଲପୁର(ଲିପନ ନାଏକ ): ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ଓଡ଼ିଶାସ୍ଥିତ ତାଲାବିରା ଦ୍ଵିତୀୟ ଓ ତୃତୀୟ ଓପନ୍ କାଷ୍ଟ ପ୍ରୋଜେକ୍ଟ (ଓସିପି) ପକ୍ଷରୁ “ସମୃଦ୍ଧି ପାଇଁ ସଚୋଟତା” ବିଷୟବସ୍ତୁକୁ ଆଧାର କରି ଆୟୋଜିତ ସତର୍କତା ସଚେତନତା ଅଭିଯାନ-୨୦୨୬ ସଫଳତାର ସହ ଉଦ୍ଯାପିତ ହୋଇଛି। ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ନୈତିକ ପ୍ରଶାସନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଅଧୀନରେ ବିଭିନ୍ନ ସଚେତନତାମୂଳକ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କେନ୍ଦ୍ରୀୟ ସତର୍କତା ଆୟୋଗ (CVC)ଙ୍କ ପ୍ରତିଷେଧମୂଳକ ସତର୍କତା, ବ୍ୟବସ୍ଥାଗତ ସୁଧାର ଓ କ୍ଷମତା ବିକାଶ ଉପରେ ଗୁରୁତ୍ୱକୁ ଦୃଷ୍ଟିରେ ରଖି ୧୭ ଅଗଷ୍ଟ ରୁ ୧୬ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ତିନି ମାସ ବ୍ୟାପୀ ଏହି ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅବସରରେ କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ସତ୍ୟନିଷ୍ଠା ଶପଥ ପାଠ ଏବଂ ପ୍ରବନ୍ଧ, ସ୍ଲୋଗାନ, ବକ୍ତୃତା, ରଙ୍ଗୋଲି ଓ ବ୍ୟାନର ଡିଜାଇନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ନିକଟସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିସହ ସମ୍ବଲପୁର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବକ୍ତୃତା, କ୍ଷୁଦ୍ର ଚଳଚିତ୍ର ଓ କୁଇଜ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସତ୍ୟନିଷ୍ଠା, ନୈତିକତା, ସାଇବର ଅପରାଧ, ଡିଜିଟାଲ୍ ସୁରକ୍ଷା, ସୂଚନା ଅଧିକାର (RTI) ଓ କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରୋଧ (POSH) ସମ୍ପର୍କରେ ସଚେତନ କରାଯାଇଥିଲା।

ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ସମ୍ବଲପୁର ଚିଡ଼ିଆଖାନା ଓ ସମ୍ବଲପୁର ସିଟି ରେଳ ଷ୍ଟେସନ ରେ ସେଲ୍ଫି ଷ୍ଟାଣ୍ଡ ସ୍ଥାପନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରମୁଖ ସାର୍ବଜନୀନ ସ୍ଥାନରେ ପଥପ୍ରାନ୍ତ ନାଟକ, ସ୍ୱାକ୍ଷର ଅଭିଯାନ ଏବଂ ପ୍ରକଳ୍ପ କାର୍ଯ୍ୟାଳୟରୁ ସମ୍ବଲପୁର ସିଟି ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇ ପୁନଃର୍ବାର ଫେରିଥିବା ଏକ ସତ୍ୟ ନିଷ୍ଠା ପଦଯାତ୍ରା ଆୟୋଜିତ ହୋଇଥିଲା। ବ୍ୟବସାୟିକ କାରବାରରେ ସ୍ୱଚ୍ଛତା ଓ ନୈତିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରାୟ ୫୦ ଜଣ ଅଂଶୀଦାରଙ୍କୁ ନେଇ ଏକ କୋଇଲା ଉପଭୋକ୍ତା ଓ ବିକ୍ରେତା ବୈଠକ ଆୟୋଜିତ ହୋଇଥିଲା। ସାମାଜିକ ଗଣମାଧ୍ୟମ ଓ ସ୍ଥାନୀୟ ଗଣମାଧ୍ୟମ ମାଧ୍ୟମରେ ମଧ୍ୟ ଏହି ଅଭିଯାନର ବାର୍ତ୍ତା ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା।
ଏହି ଅଭିଯାନର ଉଦ୍ଯାପନୀ ସମାରୋହ ୫ ନଭେମ୍ବର ୨୦୨୬ରେ ସମ୍ବଲପୁର ସ୍ଥିତ ପ୍ରକଳ୍ପ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସତ୍ୟନିଷ୍ଠା ଶପଥ ପାଠ କରାଯାଇଥିଲା। ଏହାପରେ ନୋଡାଲ ଅଧିକାରୀଙ୍କ ଦ୍ୱାରା ଅଭିଯାନର ସମ୍ପୂର୍ଣ ବିବରଣୀ ଓ ବିଭିନ୍ନ କାର୍ଯ୍ୟକ୍ରମର ଭିଡିଓ ଉପସ୍ଥାପନ କରାଯାଇଥିଲା। ଅଭିଯାନ ଅବସରରେ ପ୍ରସ୍ତୁତ ସ୍ୱତନ୍ତ୍ର ସଚେତନତାମୂଳକ କ୍ଷୁଦ୍ର ଚଳଚିତ୍ର ଓ ରିଲ୍ ଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଜଗଦିଶ ଚନ୍ଦ୍ର ମଜୁମଦାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ, କର୍ମଚାରୀ ଓ ସମସ୍ତ ଅଂଶୀଦାରଙ୍କ ସାମୁହିକ ପ୍ରୟାସ ଏବଂ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ସତ୍ୟ ନିଷ୍ଠା ଓ ନୈତିକ ମୂଲ୍ୟବୋଧ ବଜାୟ ରଖିବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।