ନବୀନଙ୍କ ବିକାଶର ବାର୍ତ୍ତା ବାଣ୍ଟିଲେ ଅରୁଣ, ଜନତାଙ୍କୁ ମାଗଣା ବିଜୁଳିର ଗ୍ୟାରେଣ୍ଟି
“ବିରୋଧୀଙ୍କ ଲଢେଇ ମୋ ବିରୁଦ୍ଧରେ ହୋଇଥିବା ବେଳେ ମୋର ଲଢେଇ ନୟାଗଡ଼ର ସମସ୍ୟା ବିରୁଦ୍ଧରେ ଓ ଓଡ଼ଗାଁର ଉନ୍ନତି ପାଇଁ”

ଓଡ଼ଗାଁ, ୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ଗାଁ ବ୍ଲକର ୧୮ଟି ପଞ୍ଚାୟତ ଓ ଓଡ଼ଗାଁ ଏନ୍ଏସିରେ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ଆଗାମୀ ଦିନର ନୂତନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ରାସ୍ତାଘାଟ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ଓଡ଼ଗାଁ ସହରର ସାହିକୁ ସାହି ବୁଲି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଜୋର୍ଦାର୍ ପ୍ରଚାର କରିଥିବା ବେଳେ ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ହୋଇଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ ।
ଲୋକଙ୍କ ସେବା ପାଇଁ ମୁଁ ସବୁବେଳେ ତତ୍ପର ଏବଂ କାର୍ଯ୍ୟ କରିବା ମୋର ଏକ ନିଶା । ଆପଣମାନଙ୍କ ଆଶିର୍ବାଦ ଯୋଗୁଁ ସବୁ ସମ୍ଭବ ହୋଇପାରିଛି । ଆଗାମୀ ଦିନର ବିଜୟ ମୋର ନୁହେଁ, ତାହା ହେବ ଓଡ଼ଗାଁ ଅଞ୍ଚଳବାସୀଙ୍କର ବିଜୟ । ଓଡ଼ଗାଁ ଆଜି ଗାଁରୁ ସହରରେ ପରିଣତ ହୋଇଛି । ଏବଂ ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ସେ ଆଜି ଓଡ଼ିଶା ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଶିଶୁଟିକୁ ମଣିଷ କରିବା ପାଇଁ ଜନ୍ମକଲା ମା’ ହିଁ ତାର କଷ୍ଟକୁ ବୁଝିପାରିବା ପରି କୌଣସି ଏକ ବିକାଶମୂଳକ କାର୍ଯ୍ୟର ସଫଳତା ପାଇଁ କେତେ କଷ୍ଟ ସ୍ୱୀକାର କରିବାକୁ ପଡିଥାଏ, ତାହା ଜଣେ ଉଦ୍ୟକ୍ତା ହିଁ ଅନୁଭବ କରିଥାଏ । ଏଣୁ ଆଶା କରୁଛି ଆପଣ ସେ କଷ୍ଟକୁ ବୁଝିପାରିବେ। ସେ କଷ୍ଟକୁ ସହ୍ୟ କରିବା ଲାଗି ଶକ୍ତି ଓ ସାହସ ଯୋଗାଇ ଦେବେ ଓ ୨ ଥର ଶଙ୍ଖଚିହ୍ନର ସୁଇଚ୍ ଚିପ ଆମକୁ ଆଶୀର୍ବାଦ କରିବା ସହିତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଭାରତବର୍ଷରେ ଏକ ଇତିହାସ ସୃଷ୍ଟି କରିବେ ବୋଲି ନିବେଦନ ରଖିଥିଲେ ଅରୁଣ ।
ଅନ୍ୟପକ୍ଷେ ବିରୋଧୀଙ୍କ ଲଢେଇ ମୋ ବିରୁଦ୍ଧରେ ହୋଇଥିବା ବେଳେ ମୋର ଲଢେଇ ନୟାଗଡ଼ର ସମସ୍ୟା ବିରୁଦ୍ଧରେ ଓ ଓଡ଼ଗାଁର ଉନ୍ନତି ପାଇଁ ବୋଲି କହିଥିଲେ। ଆଜି ବିଜେଡି ବିଧାୟକ ପ୍ରାର୍ଥୀ ଓଡ଼ଗାଁ ଏନଏସି ଅନ୍ତର୍ଗତ କୁମ୍ଭୀଆପଲ୍ଲୀ, ପାଇକ ସାହି, ଖଜୁରିଆ, କୁମ୍ଭାର ସାହି, ଖାଡିତେଲି ସାହି, ହାଇସ୍କୁଲ ପଛପାଖ ସାହି, ସୀତାକୁଣ୍ଡ ଗଳି, ବିଜୟମଣ୍ଡପ ସାହି, ତୋଟା ସାହି, ଖେଳପଡିଆ ସାହି, ଶିଳ୍ପୀନଗର ସାହି, ଗାନ୍ଧୀ ନଗର ସାହି, ନିତ୍ୟାନନ୍ଦ ସାହି, ଶ୍ରୀ ରାମ ନଗର (ଦଲକ), ଟିଚର କଲୋନୀ, ଗୁପ୍ତମଠ ସାହି ଓ ଦଲକ ଅଞ୍ଚଳରେ ଜୋରଦାର ପ୍ରଚାର କରିବା ଅବସରରେ ସଭା ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶର ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ରଖିଛନ୍ତି।ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧ଶହ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନେଇଛି ବୋଲି କହିଥିଲେ । ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ଓ କୃଷି, ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା କହିଛନ୍ତି। ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ନକ୍ସା ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ସୂର୍ଯ୍ୟନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ, ବିଭୁପ୍ରସାଦ ସାହୁ, ବିଜନ ପାଇକରାୟ, ବିରଜାଲକ୍ଷ୍ମୀ ସାହୁଙ୍କ ସମେତ ସମସ୍ତ ଗ୍ରାମର ଆଗଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।