ସଂଶୋଧିତ ଏମଏମଡିଆର ଆଇନ ଓଡିଶା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥରେ: ଡା.ସମ୍ବିତ ପାତ୍ର

34

 ସଂଘୀୟ ଢାଞ୍ଚା କ୍ଷୁର୍ଣ୍ଣ ହେବା ଓ ରାଜସ୍ୱ ଟିକସ ଆଦାୟ ଅଧିକାର ହ୍ରାସ ପାଇବା ଅଭିଯୋଗ ସଂପୂର୍ଣ୍ଣ ନିରାଧାର ଓ ମିଛ
 ୨୦୧୫ ମସିହା ପୂର୍ବରୁ ଖଣି ଖାଦାନ କହିଲେ କେବଳ ‘ଦୁର୍ନୀତି ଓ ଚୋରୀ’କୁ ବୁଝାଯାଉଥିଲା
 ୨୦୧୫ ଏମଏମଡିଆର ଆଇନ ସଂଶୋଧନ କାରଣରୁ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହୋଇଛି
 ୨୦୦୬ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ତତ୍କାଳୀନ ବିଜେଡି ସରକାର ଓରିସେଡ ଆଇନରେ ଉଚ୍ଚ ନ୍ୟାୟଳୟଙ୍କ ପ୍ରସ୍ତାବ ଅନୁସାରେ ଆବଶ୍ୟକ ସୁଧାର ଆଣିନଥିଲେ କାହିଁକି ଏବଂ କାହା ସ୍ୱାର୍ଥରେ?
 ଫ୍ରେମୱାର୍କ ନଥାଇ କେବଳ ଓରିସେଡ ନୀତିକୁ ଆଧାର କରି ବକେୟା ଟଙ୍କା ଆଦାୟ କରିବା ‘କଂସା ଅଛି କିନ୍ତୁ ପଖାଳ ନାହିଁ’ ସଦୃଶ
 କେନ୍ଦୁଝର ଜିଲ୍ଲାକୁ ‘ରିଚ୍ ଲ୍ୟାଣ୍ଡ, ପୁଅର୍ ପିପୁଲ’ ବୋଲି ଆଖ୍ୟା ଦିଆଯିବା ଏବଂ ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ତଳଆଡୁ ୨୪ ସ୍ଥାନରେ କେନ୍ଦୁଝର ଜିଲ୍ଲା ରହିବା ପାଇଁ ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ
 ବିଜେଡି ଶାସନରେ ବ୍ୟାପକ ମାତ୍ରାରେ ଖଣିଜ ପଦାର୍ଥ ବାବଦରେ ଆଦାୟ ହୋଇଥିବା ଟିକସ ଟଙ୍କା ହରିଲୁଟ ହୋଇଛି
 ସଂଶୋଧିତ ଏମଏମଡିଆର ଆଇନ ସଂସଦରେ ପାରିତ ହେବା ପରେ ବିଜୁ ଜନତା ଦଳର ପ୍ରତିବାଦ ଓ ହଙ୍ଗାମା ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ସାଂସଦ ଅପରାଜିତା ଷଡଙ୍ଗୀ
 ଯିଏ ଦୋଷୀ, ସେମାନେ ହଙ୍ଗାମା କରୁଛନ୍ତି
 ଓଡିଶାର ୨୦ ଜଣ ବିଜେପି ସାଂସଦ ସଂଶୋଧିତ ଏମଏମଡିଆର ଆଇନର ଉଦ୍ଦେଶ୍ୟ ଓ ସ୍ପିରିଟକୁ ଭଲ ଭାବେ ପଢିଛନ୍ତି, ବୁଝିଛନ୍ତି
 ବିରୋଧୀ ବିଜେଡି ଓ କଂଗ୍ରେସର ନେତାମାନେ ବାରମ୍ବାର ଏହି ସଂଶୋଧିତ ଏମଏମଡିଆର ଆଇନକୁ ପଢନ୍ତୁ ଓ ବୁଝନ୍ତୁ
 ଡବଲଂ ଇଂଜିନ ସରକାର ଓଡିଶାର ସାଢେ ଚାରି କୋଟି ଜନସାଧାରଣ ଏବଂ ଖଣିଜ ପ୍ରଭାବିତ ଅଂଚଳର ଲୋକଙ୍କ ସ୍ୱାର୍ଥକୁ ସର୍ବୋପରୀ ମାନି କାର୍ଯ୍ୟ କରୁଛନ୍ତି

ଭୂବନେଶ୍ୱର, ତା.୨୮/୦୯: ଭାରତବର୍ଷରେ ଖଣି କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ସର୍ବପ୍ରଥମେ ୧୯୫୭ ମସିହାରେ ଏମଏମଡିଆର ଆଇନ ପ୍ରଣୟନ କରାଯାଇଥିଲା । ଦୀର୍ଘ ୪୮ ବର୍ଷ ପରେ ଅର୍ଥାତ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ୨୦୧୫ ମସିହାରେ ଏହି ଏମଏମଡିଆର ଆଇନରେ ବୈପ୍ଳବିକ ସଂସ୍କାର ଆସିଥିଲା । ୨୦୧୫ ମସିହା ପୂର୍ବରୁ ଖଣି ଖାଦାନ କହିଲେ କେବଳ ‘ଦୁର୍ନୀତି ଓ ଚୋରୀ’କୁ ବୁଝାଯାଉଥିଲା । ୨୦୧୫ ମସିହା ପୂର୍ବରୁ ଖଣି ଆବଂଟନରେ ସ୍ୱଚ୍ଛତା ନଥିଲା ଏବଂ ପ୍ରିୟାପ୍ରିତୀ, ପରିବାର ପ୍ରୀତି ତଥା ଦୁର୍ନୀତିର ଅଭିଯୋଗ ଆସୁଥିଲା । ୨୦୧୫ ସଂସ୍କାର ପରେ ଇ-ନିଲାମି ପ୍ରକ୍ରିୟା ଲାଗୁ କରାଗଲା, ଯାହା ଦ୍ୱାରା ରାଜ୍ୟ ଓ ଗରୀବଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ବ୍ୟକ୍ତି ବା ସଂସ୍ଥାକୁ ଖଣି ଖନନ ପାଇଁ ଅନୁମତି ମିଳିଲା । ଏହା ଦ୍ୱାରା ଓଡିଶାର ରାଜସ୍ୱ ଅଦ୍ଭୁତପୂର୍ବ ବୃଦ୍ଧି ପାଇଲା । ୨୦୧୪-୧୫ ମସିହା ପୂର୍ବରୁ ଓଡିଶା ସରକାର ଖଣି କ୍ଷେତ୍ରରୁ ବାର୍ଷିକ ମାତ୍ର ୩୩୦୦ କୋଟିରୁ ୫୦୦୦ କୋଟି ଟଙ୍କା ପାଉଥିବାବେଳେ ୨୦୧୫ ପରେ କ୍ରମାଗତ ଭାବେ ଏହି ପରିମାଣ ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଁ ବର୍ତ୍ତମାନ ୫୫ ରୁ ୬୦ ହଜାର କୋଟି ଟଙ୍କାରେ ପହଂଚି ସାରିଛି ଏବଂ ଆଗାମୀ ବର୍ଷମାନଙ୍କରେ ଏହି ପରିମାଣ ଆହୁରି ବୃଦ୍ଧି ପାଇବ । ଏହା ବ୍ୟତୀତ ପ୍ରଥମ ଥର ପାଇଁ ଡିଏମଏଫ ପାଂଠି ଗଠନ କରାଯିବା କାରଣରୁ ଓଡିଶାକୁ ପ୍ରାୟ ୩୭ ହଜାର କୋଟି ଟଙ୍କା ମିଳିଛି । ୨୦୧୫ ମସିହାରୁ ନିଲାମୀ ପ୍ରିମିୟମ ୧୫୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ରୟାଲ୍ଟିକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୫ ଏମଏମଡିଆର ଆଇନ ସଂଶୋଧନ କାରଣରୁ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହୋଇଛି । ସଂଘୀୟ ଢାଞ୍ଚା କ୍ଷୁର୍ଣ୍ଣ ହେବା ଓ ରାଜସ୍ୱ ଟିକସ ଆଦାୟ ଅଧିକାର ହ୍ରାସ ପାଇବା ଭଳି ବିରୋଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ନିରାଧାର ଓ ମିଛ । ସଂଶୋଧିତ ଏମଏମଡିଆର ଆଇନ ଓଡିଶା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥରେ ବୋଲି ପୁରୀ ସାଂସଦ ଡା.ସମ୍ବିତ ପାତ୍ର କହିଛନ୍ତି ।
ଖଣି ଅଂଚଳବାସୀ ତଥା ଆଦିବାସୀ ଓ ଗରୀବଙ୍କ କଲ୍ୟାଣ ପାଇଁ ୨୦୦୪ ମସିହାରେ ଓଡିଶା ସରକାର ଓରିସେଡ ଆଇନ ଆଣିଥିଲେ, ଯେଉଁଥିରେ ବକ୍ସାଇଟ (୨୦%), ଲୁହାପଥର (୧୫%) ଭଳି ଖଣିଜ ଉପରେ ଅତିରିକ୍ତ ଟିକସ ଲଗାଇବାର ପ୍ରାବଧାନ ଥିଲା । ଓରିସେଡ ଆଇନ ବିରୋଧରେ କେନ୍ଦ୍ରୀୟ ସଂସ୍ଥା ନାଲକୋ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏବଂ ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା । ମାତ୍ର ମାନ୍ୟବର ଓଡିଶା ହାଇକୋର୍ଟ ୨୦୦୫ ମସିହା ଡିସେମ୍ବର ମାସରେ ଉକ୍ତ ଆଇନ ଉପରେ ରହିତାଦେଶ ଲଗାଇଥିଲେ । ୨୦୦୬ ମସିହାରେ ତତ୍କାଳୀନ ଓଡିଶା ସରକାର ମାନ୍ୟବର ସୁପ୍ରିମକୋର୍ଟରେ ଏକ ଏସଏଲପି (ବିଶେଷ ଅନୁମତି ଯାଚନା) ଦାୟର କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଏକ ସିଭିଲ ସୁଟ୍ ରେ ପରିଣତ ହୋଇଥିଲା । ଏହି ସିଭିଲ ସୁଟ୍ ଟି ୨୦୦୬ ମସିହାରୁ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ୧୮ ବର୍ଷ ଧରି ମାନ୍ୟବର କୋର୍ଟରେ ବିଚାରଧିନ ହୋଇ ରହିଥିଲା । ତାଙ୍କ ଆଡଭୋକେଟ ଜେନେରାଲ କଣ କରୁଥିଲେ ? ଏହି ସମୟ ଅବଧିରେ ମାନ୍ୟବର ହାଇକୋର୍ଟ ଆଇନକୁ ସଂଶୋଧନ କରି ପୁନଃସ୍ଥାପିତ କରିବାକୁ ସୁଯୋଗ ଦେଇଥିଲେ ମଧ୍ୟ ତତ୍କାଳୀନ ବିଜେଡି ସରକାର ଆଇନରେ ଆବଶ୍ୟକ ସୁଧାର ଆଣିନଥିଲେ କାହିଁକି ଏବଂ କାହା ସ୍ୱାର୍ଥରେ ବୋଲି ଡା.ପାତ୍ର ପ୍ରଶ୍ନ କରିଛନ୍ତି?
ରାଜ୍ୟଗୁଡିକ ୧ ଏପ୍ରିଲ ୨୦୦୫ ରୁ ୧ ଏପ୍ରିଲ ୨୦୨୬ ମଧ୍ୟରେ ଥିବା ବକେୟା ଜୋରିମାନା ଅର୍ଥ ଖିଲାପକାରୀଙ୍କଠାରୁ ଆଦାୟ କରିପାରିବେ ବୋଲି ଗତ ୨୫ ଜୁଲାଇ ୨୦୨୪ ମସିହାରେ ‘ମାଡା ବନାମ ସେଲ’ କେସର ଶୁଣାଣୀ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଜଜ୍‌ଙ୍କ ଖଣ୍ଡପୀଠ ରାୟ ଦେଇଥିଲେ । ଏହାକୁ ଆଧାର କରି ବର୍ତ୍ତମାନ ବିରୋଧୀ ଦଳଗୁଡିକ ରାଜ୍ୟ ୧ ଲକ୍ଷ କୋଟି ଟଙ୍କା ହରାଇବାର ଅଭିଯୋଗ କରୁଛନ୍ତି, ତାହା ବାସ୍ତବରେ ସଂପୂର୍ଣ୍ଣ ମିଥ୍ୟା । ବିଜେଡି ସରକାର ଆଇନଗତ ସଂଶୋଧନ କରିନଥିବାରୁ ଏବଂ ୧୮ ବର୍ଷ ଧରି ମାମଲା ଗଡେଇ ଚାଲିଥିବାରୁ, ଆଜି ଓଡିଶା ପ୍ରାୟ ୬୨ ହଜାର କୋଟିର ବକେୟା ରାଜସ୍ୱ ହରାଇଛି । ରାଜ୍ୟଗୁଡିକ ପୁରୁଣା ବକେୟା ଟିକସ ଟଙ୍କା ପାଇବାର ସଂପୂର୍ଣ୍ଣ ଅଧିକାର ରହିଛି, କିନ୍ତୁ ଯେତେବେଳେ ସଠିକ୍ ଆଇନ ପ୍ରଣୟନ କରାଯାଇ ନାହିଁ ଏବଂ ଯେତେବେଳେ ଓରିସେଡ ଆଇନ ବିଚାରଧିନ ଅଛି, ସେତେବେଳେ କେଉଁ ଆଧାରରେ ବକେୟା ଟଙ୍କା ଆଦାୟ କରାଯିବ ? ଫ୍ରେମୱାର୍କ ନଥାଇ କେବଳ ନୀତିକୁ ଆଧାର କରି ବକେୟା ଟଙ୍କା ଆଦାୟ କରିବା ‘କଂସା ଅଛି କିନ୍ତୁ ପଖାଳ ନାହିଁ’ ସଦୃଶ । ଅର୍ଥାତ ଆଇନଗତ ସଂଶୋଧନ ନଥିବାରୁ ବାସ୍ତବରେ ଟିକସ ଆଦାୟ କରିବା ଅସମ୍ଭବ । ଆମ ରିପୋର୍ଟ ଧରି ବସିଛୁ, ଯେଉଁ ମାନେ ଆମ ବିରୋଧରେ ମିଛ କଥା କହୁଛନ୍ତି, ସେମାନେ କୁହନ୍ତୁ କେତେ ଟଙ୍କା ଆଦାୟ କରିଛନ୍ତି ବୋଲି ଡା.ପାତ୍ର ପ୍ରଶ୍ନ କରିଛନ୍ତି ।
ଓଡିଶାରେ ଖଣି ଖାଦାନ କ୍ଷେତ୍ରରେ ବ୍ୟାପକ ଭ୍ରଷ୍ଟାଚାର ଚାଲୁଥିବାର ୨୦୧୦ ମସିହାରେ ଶାହା କମିଶନ ରିପୋର୍ଟରେ ଉଲ୍ଲେଖ କରିଥିବା ଏବଂ ଖଣି ଦୁର୍ନୀତିରେ ଲିପ୍ତ ଥିବା ଖଣି ମାଲିକମାନଙ୍କ ଉପରେ ପାଖାପାଖି ୬୦ ହଜାର କୋଟି ଟଙ୍କାର ଜୋରିମାନା ଲଗାଇଥିବାର ଆମେ ସମସ୍ତେ ଭଲ ଭାବେ ଜାଣିଛୁ । କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ ଭଳି ଖଣିଜ ଜିିଲ୍ଲାରେ ବ୍ୟାପକ ପରିବେଶ ନଷ୍ଟ ହେବା ସହ ସ୍ଥାନୀୟ ଆଦିବାସୀମାନଙ୍କୁ ଅସହ୍ୟ କଷ୍ଟ ସହିବା ସହିତ ବ୍ୟାପକ ଖଣି ଦୁର୍ନୀତି ହୋଇଛି ବୋଲି ୨୦୧୭ ମସିହାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ (ଜଷ୍ଟିସ ମଦନ ଲୋକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତା) ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ପାଇଁ ଗଠିତ ଡିଏମଏଫ ପାଂଠି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା ସତ୍ୱେ କେନ୍ଦୁଝର ଜିଲ୍ଲାବାସିଙ୍କ କୈାଣସି ଉନ୍ନତି ହୋଇନଥିଲା । ତେଣୁ ଆଜି ବି କେନ୍ଦୁଝର ଜିଲ୍ଲାକୁ ‘ରିଚ୍ ଲ୍ୟାଣ୍ଡ, ପୁଅର୍ ପିପୁଲ’ ବୋଲି ଆଖ୍ୟା ଦିଆଯାଇଛି । ଏପରିକି ରାଜ୍ୟର ୩୦ ଟି ଜିଲ୍ଲା ମଧ୍ୟରୁ ତଳଆଡୁ ୨୪ ସ୍ଥାନରେ କେନ୍ଦୁଝର ଜିଲ୍ଲା ରହିଛି । ସେଥିପାଇଁ ପୂର୍ବ ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଡା.ପାତ୍ର କହିଛନ୍ତି ।
ବିଜେଡି ସରକାର ସମୟରେ ଡିଏମଏଫ ଟଙ୍କା ବ୍ୟାପକ ମାତ୍ରାରେ ବାଟମାରଣା ଓ ହରିଲୁଟ ହୋଇଥିବାର ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ୯୮୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟରୁ ୯୭୬ କୋଟି ଟଙ୍କା ଅଣ ପ୍ରଭାବିତ ଗ୍ରାମାଗୁଡିକରେ ଖର୍ଚ୍ଚ କରାଯାଇଛି । ଖଣି ପ୍ରଭାବିତ ୫୮୪ଟି ଗ୍ରାମ କୈାଣସି ଅନୁଦାନ ନପାଇ ବଂଚିତ ହୋଇରହିଲେ । ବିନା ଗ୍ରାମସଭା ଅନୁମତିରେ ୧୭୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବାର ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ବିଜେଡି ଶାସନରେ ବ୍ୟାପକ ମାତ୍ରାରେ ଖଣିଜ ପଦାର୍ଥ ବାବଦରେ ଆଦାୟ ହୋଇଥିବା ଟିକସ ଟଙ୍କା ହରିଲୁଟ ହୋଇଛି ବୋଲି ଡା.ପାତ୍ର କହିଛନ୍ତି ।
ଖଣିଜ ସଂପଦ କେବଳ ସଂପତ୍ତି ନୁହେଁ, ଏହା ଜାତୀୟ ସୁରକ୍ଷା ମଧ୍ୟ ଜଡିତ । ସମଗ୍ର ଦେଶରେ ଖଣି ନୀତି ଓ ଟିକସରେ ସମାନତା ରହିବା ନିହାତି ଆବଶ୍ୟକ । ଯଦି ଦେଶ ଭିତରେ ଖଣିଜ ଦ୍ରବ୍ୟର ମୂଲ୍ୟ ଅଧିକ ହେବ, ତାହେଲେ ଶିଳ୍ପସଂସ୍ଥାଗୁଡିକ ଚୀନ କିମ୍ବା ବିଦେଶରୁ କଞ୍ଚାମାଲ ଆମଦାନୀ କରିବେ, ଯାହା ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ । କୋଇଲା, ଲୁହାପଥର, ବକ୍ସାଇଟ ଆଦି ଖଣିଜ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଲେ ଲୁହାଛଡ, ସିମେଂଟ, ବିଜୁଳି ଦର ମଧ୍ୟ ବୃଦ୍ଧି ପାଇବ । ଏହାର ପ୍ରତ୍ୟକ୍ଷ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ । ତେଣୁ ସଂଶୋଧିତ ଏମଏମଡିଆର ଆଇନର ଆବଶ୍ୟକତା ରହିଛି ବୋଲି ଡା.ପାତ୍ର କହିଛନ୍ତି ।
୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ବଜେଟ ବାବଦରେ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଆସୁଥିବାବେଳେ ୨୦୨୫-୨୬ରେ ତାହା ବୃଦ୍ଧି ପାଇ ୧୦୫୯୯ କୋଟି ଟଙ୍କାକୁ ପହଂଚିଛି । ରାଜ୍ୟ ଜିଏସଟି ବାବଦରେ ୨୦୧୭-୧୮ର ୬୬୦୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ରେ ୨୫୦୬୧ କୋଟି ଟଙ୍କାକୁ ପହଂଚିଛି । ୧୩ଶ ଅର୍ଥ ଆୟୋଗରେ ରାଜ୍ୟଗୁଡିକୁ ୩୨ ପ୍ରତିଶତ ମିଳୁଥିବାବେଳେ ୧୪ଶ ଅର୍ଥ ଆୟୋଗରେ ତାହାକୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି ଏବଂ ଏହା ଦ୍ୱାରା ଓଡିଶାକୁ କେନ୍ଦ୍ରୀୟ ଟିକସରୁ ମିଳୁଥିବା ଭାଗ ବହୁଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ‘ସବ୍‌କା ସାଥ୍‌, ସବ୍‌କା ବିକାଶ୍‌’ ନୀତିରେ ଓଡିଶାର ଗରୀବ, ଆଦିବାସୀ ଓ ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଡା.ପାତ୍ର କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ବିଜେଡିର ୨୫ ବର୍ଷର ଶାସନର କୁପରିଚାଳନା କାରଣରୁ ଓଡିଶା ଏବଂ ଓଡିଶାବାସୀ ପ୍ରାୟ ୧୦୩୨୨୦ କୋଟି ଟଙ୍କା କ୍ଷତି ସହିଛନ୍ତି । ୨୦୧୦ ରୁ ୨୦୧୩ ମଧ୍ୟରେ ୬୦ ହଜାର କୋଟି ଟଙ୍କା କ୍ଷତି ହୋଇଥିବାର ଶାହା କମିଶନଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସିଏଜିଙ୍କ ୮ଟି ଅଡିଟ ରିପୋର୍ଟରେ ହଜାର ହଜାର କୋଟି ଟଙ୍କା କ୍ଷତି ଦର୍ଶାଯାଇଛି । ଓରିସେଡ ମାମଲାରେ ତତ୍କାଳୀନ ବିଜେଡି ସରକାର ପ୍ରଭାବଶାଲୀ ଭାବେ ନିଜ ପକ୍ଷ ରଖିବାରେ ବିଫଳ ହୋଇଥିଲେ, ଯାହା ଫଳରେ ମାନ୍ୟବର ହାଇକୋର୍ଟରେ ଏହା ରଦ୍ଦ ହୋଇଥିଲା । ଅନ୍ୟ ପଟେ ସଂଶୋଧିତ ଏମଏମଡିଆର ଆଇନ ସଂସଦରେ ପାରିତ ହେବା ପରେ ବିଜୁ ଜନତା ଦଳର ପ୍ରତିବାଦ ଓ ହଙ୍ଗାମା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଯିଏ ଦୋଷୀ, ସେମାନେ ହଙ୍ଗାମା କରୁଛନ୍ତି । ଓଡିଶାର ୨୦ ଜଣ ବିଜେପି ସାଂସଦ ଏହି ସଂଶୋଧିତ ଆଇନର ଉଦ୍ଦେଶ୍ୟ ଓ ସ୍ପିରିଟକୁ ଭଲ ଭାବେ ପଢିଛୁ, ବୁଝିଛୁ । ଠିକ୍ ଉଦ୍ଦେଶ୍ୟ ନେଇ ଏହି ଆଇନ ଆସିଛି । ଏହି କାରଣରୁ ସଂସଦରେ ପାରିତ କରିଛୁ । ବିରୋଧୀ ବିଜେଡି ଓ କଂଗ୍ରେସର ନେତାମାନେ ବାରମ୍ବାର ଏହି ସଂଶୋଧିତ ଏମଏମଡିଆର ଆଇନକୁ ପଢନ୍ତୁ ଓ ବୁଝନ୍ତୁ । ଡବଲଂ ଇଂଜିନ ସରକାର ଓଡିଶାର ସାଢେ ଚାରି କୋଟି ଜନସାଧାରଣ ଏବଂ ଖଣିଜ ପ୍ରବାବିତ ଅଂଚଳର ଲୋକଙ୍କ ସ୍ୱାର୍ଥକୁ ସର୍ବୋପରୀ ମାନି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ସାଂସଦ ଡ.ବିଭୁପ୍ରସାଦ ତରାଇ, ଶ୍ରୀମତୀ ଅନୀତା ଶୁଭଦର୍ଶିନୀ, ଡା.ରବିନାରାୟଣ ବେହେରା ଏବଂ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.