ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟରେ ବିଶ୍ରାମର ଦୃଶ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

0 2

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟା

ଓଡ଼ଗାଁ,୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡଗାଁ ପ୍ରସିଦ୍ଧ ଶ୍ରୀ ରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟାରେ ବନବାସୀ ଶ୍ରୀରାମ ଥକା ଲାଘବ ପାଇଁ ଚିତ୍ରକୂଟ ପର୍ବତରେ ବିଶ୍ରାମ ନେବାର ଦୃଶ୍ୟ ଦର୍ଶନ ଭକ୍ତ ମାନଙ୍କୁ ଭାବ ବିହ୍ଵଳ କରିଦେଇଥିଲା । ପିତୃ ସତ୍ୟ ପାଳନ ଉଦେଶ୍ୟରେ ଭାଇ ଭାର୍ଯ୍ୟାଙ୍କୁ ସାଙ୍ଗରେ ନେଇ ବନବାସରେ ଜାଇଥିବା ବେଳେ ପଦଯାତ୍ରା କାରଣରୁ କ୍ଲାନ୍ତ ହୋଇପଡିଥିବା ପ୍ରଭୁ ଶ୍ରୀରାମ ମା’ ସୀତାଙ୍କୁ କୋଳରେ ଧରି ବିଶ୍ରାମ ନେଉଥିବା ବେଳେ ଅନୁଜ ଲକ୍ଷ୍ମଣ ଆହାର ନିଦ୍ରା ପରିତ୍ୟାଗ କରି ସୁରକ୍ଷା ପାଇଁ ଜଗି ବସିଛନ୍ତି । ଅନ୍ୟ ପକ୍ଷରେ ଭରତ ଅଯୋଧ୍ୟା ଫେରି ଆସି ସମସ୍ତ ଘଟଣା ଜାଣିବା ପରେ ମା’ କୈକେୟୀଙ୍କୁ ଭର୍ଛନା କରି କ୍ଷଣେ ମାତ୍ର ବିଳମ୍ବ ନକରି ଭ୍ରାତା ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ ଅଯୋଧ୍ୟା ନଗର ବାସୀଙ୍କ ସହିତ ଚିତ୍ରକୂଟରେ ପହଂଚିଛନ୍ତି । ବହୁ ଅନୁନୟ ବିନୟ ପରେ ମଧ୍ୟ ପ୍ରଭୁ ଶ୍ରୀରାମ କୌଣସି ମତେ ଅଯୋଧ୍ୟା ଫେରି ଆସିବାକୁ ମନା କରିଛନ୍ତି। ଏବଂ ଭରତଙ୍କ ଇଛାକୁ ସମ୍ମାନ ଦେଇ ନିଜର ପାଦୁକା ଦେଇଛନ୍ତି । ଭ୍ରାତୃ ଭକ୍ତ ଭରତ ସମ୍ମାନର ସହ ପାଦୁକାକୁ ମସ୍ତକରେ ରଖି ଫେରି ଆସିବା ପରେ ନନ୍ଦୀ ଗ୍ରାମରେ ପାଦୁକାକୁ ଆସିନ କରି ସମସ୍ତ ପ୍ରକାର ବିଳାସ ବ୍ୟସନକୁ ପରିତ୍ୟାଗ ସହ ନିଜକୁ ବନବାସୀ ରୁପରେ ରଖି ଶ୍ରୀରାମଙ୍କ ଜଣେ ପ୍ରତିନିଧି ଭାବରେ ଅଯୋଧ୍ୟାର ପ୍ରଜାଙ୍କୁ ପାଳନ କରିଛନ୍ତି । ସାମ୍ପ୍ରତିକ ସମାଜରେ ଭାଇକୁ ଭଗାରୀ ବୋଲି ସାଧାରଣରେ ବିବେଚନା କରୁଥିବା ବେଳେ ଅନ୍ତତଃ ପକ୍ଷେ ଶ୍ରୀରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ଚାରି ଭାଇଙ୍କ ତ୍ୟାଗ ଓ ବଳିଦାନକୁ ଆଜିର ଦିନରେ ସ୍ମରଣ କରିବାର ଆବଶ୍ୟକତା ରହିଛି । ଆସନ୍ତାକାଲି ଗୁରୁବାର ରହୁଥିବାରୁ ଶୁକ୍ରବାର ସନ୍ଧ୍ୟାରେ ଅଷ୍ଟାଅବଧାନ ବେଶରେ ଶ୍ରଦ୍ଧାଳୁ ମାନେ ଦର୍ଶନ ଲଭିବେ ।

Leave A Reply

Your email address will not be published.