ପଦ୍ମଗନ୍ଧ ପ୍ରତି ବିମୁଖ ଲେଖା ଫୁଙ୍କିଲେ ଶଙ୍ଖ

0

ଭୁବନେଶ୍ୱର : ସ୍ବର୍ଗତ କଳ୍ପତରୁ ଦାସଙ୍କ ସମୟରୁ ଲେଖାଶ୍ରୀ ସାମନ୍ତସିଂହାର ଆରମ୍ଭ କରିଥିବା ଉଦ୍ୟମ ଏତେବର୍ଷ ପରେ ସଫଳ ହେଇଛି | ବିଜେପିରେ ରହି ବିଜୁ ଜନତା ଦଳର ସାତ ପୁରୁଷ ଉଦ୍ଧରିବା ପରେ ଆଜି ଶେଷରେ ପଦ୍ମ ଗନ୍ଧ ପ୍ରତି ବିମୁଖ ହୋଇ ଆଜି ଫୁଙ୍କିଛନ୍ତି ଶଙ୍ଖ | ଆଜି ସକାଳେ ବିଜେପିରୁ ଇସ୍ତଫା ଦେଇଥିବା ଲେଖାଶ୍ରୀ ବିଜେଡିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜ, ଡ଼ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଛନ୍ତି |
ବିଜେଡିରେ ଯୋଗ ଦେବା ପରେ ବିଜେଡିର ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇବା ସହ ଲେଖାଶ୍ରୀ କହିଥିଲେ, ମୋର ଦକ୍ଷତା ଅନୁଯାୟୀ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିଥିଲି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ଅଭିଳାଷ ଥିଲା ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା ପାର୍ଟିରେ ପୂରଣ ହୋଇପାରିଲାନାହିଁ। ପ୍ରତିବଦ୍ଧତାର ସହିତ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ନିକଟରେ ମୁଁ ଆସ୍ଥାଭାଜନ ହୋଇପାରିଲି ନାହିଁ। କୌଣସି କାରଣରୁ ମୋ ଉପରେ ସେମାନେ ଭରସା କରିପାରିଲେ ନାହିଁ। ତେଣୁ ମୁଁ ଅନୁଭବ କଲି ଭାରତୀୟ ଜନତା ପାର୍ଟିରେ ମୋର ଆଉ ଆବଶକ୍ୟକତା ଓ ସୁଯୋଗ ନାହିଁ । ତେଣୁ ଆଗକୁ ବଢ଼ିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି।”
ସୂଚନାଯୋଗ୍ୟ ଯେ ସ୍ୱର୍ଗତ କଳ୍ପତରୁ ଦାସଙ୍କ ସମୟରୁ ଲେଖାଶ୍ରୀ ବିଜେଡିରେ ଯୋଗ ଦେବା ପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ କରିଥିଲେ ବୋଲି ଚର୍ଚା ହୋଇ ଆସୁଥିଲା | ପରେ ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ଅନେକ ବିବାଦୀୟ ଓ ଆପତ୍ତିଜନକ ମନ୍ତବ୍ୟ ଦେଇ ଆସୁଥିଲେ |

Leave A Reply

Your email address will not be published.