ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ ଏଣୁ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ମାସ ଗୁଡିକରେ ସମସ୍ତ ଜନସାଧାରଣ ସତର୍କ ରହିବା ଓ ଗ୍ରୀଷ୍ମ ପ୍ରଭାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା କରଯାଇଥିଲା ଓ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରୀଷ୍ମ ପ୍ରବାହ ର ପରିଚାଳନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତିବ୍ର ରୂପ ନେବାର ଆଶଙ୍କା ରହିଛି । ତେଣୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି , ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ପକ୍ଷରୁ ଉପଯୁକ୍ତ ପରିମାଣ ଓଆରଏସ ପେକେଟ ଓ ଔଷଧ ମଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଗୁଡିକରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି।
ସେହିପରି ସମସ୍ତ ଗ୍ରାମାଞ୍ଚଳ , ପାରଳାଖେମୁଣ୍ଡି ପୌରପରିଷଦ , କାଶୀନଗର ଏନ୍ଏସି , ସମସ୍ତ ବ୍ଲକ ପକ୍ଷରୁ ବିଭିନ୍ନ ଜାଗାରେ ଜଳଛତ୍ର ମାନ ଖୋଲା ଯିବାକୁ କୁହାଯାଇଛି। ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ସମସ୍ୟା ରହିଥିବାରୁ ଖରାପ ଥିବା ନଳ କୂଅକୁ ତୁରନ୍ତ ମରାମତି କରିବାକୁ କୁହାଯାଇଛି।
ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ସମୟରେ ପାଣି ବୋତଲ , ଛତା , ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ଓ ମଧ୍ୟାହ୍ନ ସମୟରେ କୌଣସି କାମ ନଥିଲେ ଟାଣ ଖରାରେ ପଦାକୁ ନବାହାରିବାକୁ କୁହାଯାଇଛି। ସେହିପରି ଜିଲ୍ଳାର ସମସ୍ତ ସ୍କୁଲ ସକାଳ ୬:୩୦ ଠାରୁ ୧୦:୩୦ ସମୟ ପର୍ଯ୍ୟନ୍ତ ଖୋଲିବା ଓ ଅଙ୍ଗନୱାଡ଼ି କେନ୍ଦ୍ର ସକାଳ ୬.୩୦ ଠାରୁ ୯:୩୦ ସମୟ ପର୍ଯ୍ୟନ୍ତ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଶ୍ରମିକମାନଙ୍କ କାର୍ଯ୍ୟ ସରକାରଙ୍କ ସମୟ ସାରଣୀ ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି।
ଗ୍ରୀଷ୍ମ ଋତୁରେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ , ବିଦ୍ୟୁତ ବିଭ୍ରାଟ କିପରି ନ ଘଟେ , ପଶୁ ପକ୍ଷୀ ମାନଙ୍କ ଯତ୍ନ ନେବା , ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା , ଜୀବ ଜନ୍ତୁଙ୍କ ସୁରକ୍ଷା , ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ଘଟେ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ପାଢ଼ୀ ଓ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା ପରାମର୍ଶ ଦାତା ଶ୍ରୀ ପ୍ରଦୋଷ କୁମାର ଶତପଥୀ ସମେତ ଜିଲ୍ଲାର ସମସ୍ତ ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ସମସ୍ତ ଲାଇନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.