ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଭଞ୍ଜ ଜୟନ୍ତୀ ସମାରୋହ

0

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଅତ୍ୟନ୍ତ ଗୈାରବମୟ ଇତିହାସକୁ ବହନ କରି ୧୮୮୪ ମସିହାରୁ ଅଦ୍ୟାବଧି ସଗର୍ବେ ଦଣ୍ଡାୟମାନ ହୋଇ ରହିଥିବା ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଆନନ୍ଦ ଉଲ୍ଲାସର ସହ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସମାରୋହ ପାଳନ ହୋଇଯାଇଛି।

ବିଶ୍ଵ ବିଖ୍ୟାତ କଵି ଉପେନ୍ଦ୍ର ଭଞ୍ଜଙ୍କ ନାମରେ ନାମିତ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଉମାକାନ୍ତ ନାହାକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା ଭଞ୍ଜ ସାହିତ୍ୟ ବିଶାରଦ ଶ୍ରୀଯୁକ୍ତ ଡକ୍ଟର କମ୍ଵୁପାଣି ସାମନ୍ତ । ଭଞ ସାହିତ୍ୟରେ ରହିଥିବା ସାମାଜିକ ତତ୍ତ୍ଵ ତଥା ସକାରାତ୍ମକ ଚେତନା ର ଅନେକ ଦୃଷ୍ଟାନ୍ତ ଦେଇ ସେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଞ୍ଜ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିଵାର ପ୍ରଯତ୍ନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟରେ ରହିଥିବା ଆଧ୍ୟାତ୍ମିକ ଚେତନା ସହିତ ଉପେନ୍ଦ୍ର ଭଞ୍ଜଙ୍କ ଆତ୍ମ ପରିଚୟ ଏବଂ
ସାଧନାର ଅନେକ ଦୃଷ୍ଟାନ୍ତ ପ୍ରଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଞ୍ଜ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିଵାର ପ୍ରୟାସ କରିଥିଲେ। ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଶ୍ରୀଯୁକ୍ତ ଶ୍ୟାମା ପ୍ରସାଦ ମିଶ୍ର। ସଂଯୋଜନା ମଧ୍ୟରେ ସେ ତାଙ୍କ ସାହିତ୍ୟ ସାଧନାର ଝଲକ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଅନ୍ୟତମ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ରେ ହୋଇଥିବା ବକ୍ତୃତା , ପ୍ରବନ୍ଧ ଏବଂ ସଙ୍ଗୀତ ପ୍ରତିଯୋଗିତାରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ପ୍ରଧାନ ଶିକ୍ଷକ ନିଜ ସଭାପତିତ୍ବ ଭାଷଣରେ ଅତିଥି ମାନେ ପ୍ରଦାନ କରିଥିବା ଦୃଷ୍ଟାନ୍ତ ସବୁ ସ୍ମରଣ କରି ଭଞ୍ଜସାହିତ୍ୟ ପ୍ରତି ଅନୁପ୍ରାଣିତ ହେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ବିଳାସିନୀ ଜେନା ସମସ୍ତ ପ୍ରତିଯୋଗିତା ଆୟୋଜନ କରିବାରେ ସହଯୋଗ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ସଭା ପରିଚାଳନାରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସଂଯୋଜକ ଶ୍ୟାମା ପ୍ରସାଦ ମିଶ୍ର ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.