ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: :ଭଞ୍ଜନଗରକୁ ପୌରପାଳିକା ମାନ୍ୟତା ବି ନାଲିଫିତା ତଳେ ଅଟକି ଯାଇଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା,ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ ଟି ଜିଲ୍ଲାରେ ୩୪ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ଏବଂ ୪ ଟି ଜିଲ୍ଲାର ୫ ଗୋଟି ଏନ ଏ ସି ମୁନିସିପାଲିଟି କୁ ଉନ୍ନୀତ କରାଯିବା ନେଇ ଶନିବାର ଘୋଷଣା କରିଛନ୍ତି। ହେଲେ କଳା,ସାହିତ୍ୟ,ସଂସ୍କୃତି,ସାମାଜିକ,ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ବହନ କରୁଥିବା ଗଞ୍ଜାମ ଜିଲ୍ଲାର ସର୍ବ ପୁରାତନ ସହର ଭଞ୍ଜନଗର ଏନ୍ ଏ ସି କୁ ପୌରପାଳିକା ର ମାନ୍ୟତା ମିଳିନାହିଁ। ସ୍ଥାନୀୟ ଅଞ୍ଚଳ ପ୍ରତି ସରକାର ଙ୍କ ଏଭଳି ଅଣଦେଖା ପରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭଞ୍ଜନଗର ଏନ୍ ଏ ସି ୧୯୫୭ ମସିହାରେ ଗଠିତ ହୋଇଥିଲା ଏନ୍ ଏ ସି ରେ ରସଲକୋଣ୍ଡା ପାହାଡ଼ ଓ ବିରାଟ ଲୋହରାଖଣ୍ଡି ନଦୀ ଜଡିତ ଥିବାରୁ ଏହା ସହରକୁ ସ୍ବତନ୍ତ୍ର ପରିଚୟ ଦେଇଛି। ବର୍ଷ ପରେ ବର୍ଷ ବିତୁଥିବା ସାଙ୍ଗକୁ ସେହି ଅନୁପାତରେ ଜନସଂଖ୍ୟା ଓ ସହରର ପରିସୀମା ମଧ୍ୟ ବଢ଼ିଛି। ହେଲେ ଦୁଃଖର ବିଷୟ କଳା, ସାହିତ୍ୟ, ସଂସ୍କୃତି, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ବହନ କରୁଥିବା ଏହି ପୁରାତନ ସହରକୁ ପୌରପାଳିକା ମାନ୍ୟତା ଦେବା କଥାକୁ ସରକାର ବିଚାରରେ ନେଲେ ନାହିଁ। ଫଳରେ ଏହି ଆଶା ଆଜି ପର୍ଯ୍ୟନ୍ତ ସ୍ବପ୍ନ ହୋଇ ରହି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲା ର ଶୁଣାଣି କରି ହାଇକୋର୍ଟ ୨୦୧୯ ଅଗଷ୍ଟ ୫ ତାରିଖରେ ଭଞ୍ଜନଗର ସମେତ ଆସ୍କା ଓ ଛତ୍ରପୁର କୁ ପୌରପାଳିକା ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦେଶ ଦେଇଥିଲେ। ଦୀର୍ଘ ବର୍ଷ ପରେ ଶନିବାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ଆସ୍କା ଓ ଛତ୍ରପୁର କୁ ପୌରପାଳିକା ଘୋଷଣା କରିଥିଲେ ସୁଦ୍ଧା ଭଞ୍ଜନଗର କୁ ଘୋଷଣା କରି ନାହାନ୍ତି। ଏ ନେଇ ବିଭିନ୍ନ ଅନୁଷ୍ଠାନ, ସଂଘଠନ, ଯୁବବର୍ଗ ସମେତ ବୃଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୧ ଜନଗଣନା ଅନୁଯାୟୀ, ଭଞ୍ଜନଗର ଏନ୍ଏସିରେ ମୋଟ ୨୦ ହଜାର ୪୮୨ ଜନସଂଖ୍ୟା ଥିଲା। ସେଥିମମଧ୍ୟରୁ ପୁରୁଷ ସଂଖ୍ୟା ୧୦,୩୦୮ ଓ ମହିଳାଙ୍କ ସଂଖ୍ୟା ୧୦ ହଜାର ୧୭୪ ରହିଥିଲା ୧୬,୫୩୧ ଜଣ ଶିକ୍ଷିତ ରହିଥିବା ବେଳେ ସେଥିରୁ ୮,୭୦୬ ଜଣ ପୁରଷ ଓ ୭,୮୨୫ ଜଣ ମହିଳା ଅଟନ୍ତି। ବର୍ତ୍ତମାନ ସ୍ଥିତିରେ ଏହି ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇଛି। ଏଥିସହ ଆଗରୁ ସହରରେ ୪,୮୮୪ ଟି ଘର ଥିଲା। ବର୍ତ୍ତମାନ ଏହି ସଂଖ୍ୟା ୬ ହଜାରରୁ ଅଧିକକୁ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି। ଘୁମୁସର ଜିଲ୍ଲା ଭଳି ଭଞ୍ଜନଗରକୁ ପୌରପାଳିକା ମାନ୍ୟତା ବି ନାଲିଫିତା ତଳେ ଚାପି ହୋଇ ଯିବା ସହ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ସରକାର ଅଣଦେଖା କରିଛନ୍ତି। ଯାହାର ପ୍ରଭାବ ଚଳିତ ସାଧାରଣ ନିର୍ବାଚନରେ ପଡିବ ବୋଲି ରାଜନୈତିକ ସମୀକ୍ଷକ ଆଶଙ୍କା କରିଛନ୍ତି। ଅପରପକ୍ଷରେ ସରକାର ଏ ନେଇ ପୁନର୍ବାର ବିଚାର ନ କଲେ ବିଭିନ୍ନ ସଂଘଠନ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଉଚ୍ଚ ନ୍ୟାୟାଳୟ ଆଦେଶକୁ ବିଭାଗ ଏବଂ ସରକାର ମାନନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.