‘ମୋ ସ୍କୁଲ’ର ୪୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

2
  • ▪ ‘ମୋ ସ୍କୁଲ’ ଜରିଆରେ ୮ଲକ୍ଷ ୩୧ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସଂଯୋଗ

  • ▪ ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଡ଼ିହେବ ୨୮୩୭ଟି ନୂଆ ସ୍ମାର୍ଟ ଶ୍ରେଣୀଗୃହ

  • ▪୩୧ କୋଟି ୮୧ଲକ୍ଷ ୫୯ ହଜାରରୁ ଅଧିକ ଟଙ୍କାର ୧୫୮୯ଟି ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର, ୨୨/୨: ଉଚ୍ଚ ବିଦ୍ୟାଳୟଗୁଡି଼କରେ ଆକାଂକ୍ଷୀ କାର୍ଯ୍ୟକ୍ରମକୁ ଦ୍ୱିତୀୟ ବର୍ଷରେ ଅଧିକ ତ୍ୱରାନ୍ୱିତ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇ ରାଜ୍ୟସ୍ତରରେ ୧୨୫୬ ଜଣ ଶିକ୍ଷକଙ୍କୁ ଅପ୍ରେଲ ଶେଷ ସପ୍ତାହରୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାସ୍ତରରେ ମଧ୍ୟ ୩୪ ହଜାର ୭୨୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ‘ମୋ ସ୍କୁଲ ଅଭିଯାନ’ର ୪୬ ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ସେହିପରି ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡି଼କରେ ନବମ ଏବଂ ଦଶମ ଶ୍ରେଣୀପାଇଁ ୨୮୩୭ଟି ଅତିରିକ୍ତ ସ୍ମାର୍ଟ ଶ୍ରେଣୀଗୃହର ସ୍ଥାପନା କରାଯିବ । ଏଥିନେଇ ପ୍ରତ୍ୟେକ ବିଦ୍ୟାଳୟକୁ ସ୍ୱତନ୍ତ୍ରଭାବେ ଶ୍ରେଣୀଗୃହ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ‘ମୋ ସ୍କୁଲ’ ମାଧ୍ୟମରେ ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ୮ଲକ୍ଷ ୩୧ହଜାରରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ସେଥିମଧ୍ୟରୁ ୧୧ ହଜାର ୩୪୫ ଜଣ ପୁରାତନ ଛାତ୍ରଛାତ୍ରୀ ନୂତନ ଭାବେ ନିଜ ବିଦ୍ୟାଳୟ ସହ ଯୋଡି଼ହୋଇଛନ୍ତି ।
ରାଜ୍ୟର ଉଚ୍ଚ ବିଦ୍ୟାଳୟଗୁଡି଼କରେ ବିଜ୍ଞାନ ଏବଂ ଗଣିତ ଶିକ୍ଷକମାନଙ୍କୁ ଅଧିକ ଦକ୍ଷ କରିବା ପାଇଁ ବିଭିନ୍ନ ଜାତୀୟସ୍ତରୀୟ ଅନୁଷ୍ଠାନ ସହାୟତାରେ ରାଜ୍ୟ ସାଧନକର୍ମୀ ଦଳ ଗଠନ କରି ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାପାଇଁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ଦେଇଛନ୍ତି । ସେହିପରି ଜେଏସଡବ୍ଲ୍ୟୁ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡି଼କୁ ବିକଶିତ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ୫୦୦ ସ୍କୁଲକୁ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତା ରାଶିକୁ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁର କରିଛନ୍ତି । ଖାନ୍ ଏକାଡ଼େମୀ ସହଯୋଗରେ ନବମ ଏବଂ ଦଶମ ଶ୍ରେଣୀପାଇଁ ଓଡିଆରେ ଗଣିତ ପୁସ୍ତକ ପ୍ରସ୍ତୁତ ହେଉଥିବା ବେଳେ ଶିକ୍ଷକମାନଙ୍କୁ ଏ ନେଇ ପ୍ରଶିକ୍ଷଣ ପ୍ରଦାନ ପାଇଁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ଦେଇଛନ୍ତି ।
ଏହି ୪୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପୂର୍ବ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡି଼କର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ବିଭିନ୍ନ ଜିଲ୍ଲା ଓ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଦ୍ୱାରା ଆଗତ ପ୍ରକଳ୍ପ ପ୍ରସ୍ତାବଗୁଡି଼କୁ ଯାଞ୍ଚ ପରେ ଅନୁମୋଦନ କରାଯାଇଥିଲା । ସମୁଦାୟ ୨୮ ଜିଲ୍ଲାର ୧୦୭୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପୁରାତନ ଛାତ୍ରଛାତ୍ରୀମାନଙ୍କ ୬ କୋଟି ୨୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ଅନେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି । ମୋଟ୍ ୩୧ କୋଟି ୮୧ ଲକ୍ଷ ୫୯ ହଜାର ଟଙ୍କାର ୧୫୮୯ଟି ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛନ୍ତି।
ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଯୋଗ ଦେଇ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ପରିଷଦର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ପରାମର୍ଶଦାତା ଶ୍ରୀ ରତିକାନ୍ତ ମହାପାତ୍ର,ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆରଟି)ର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅମରଜିତ୍ ଜେନା, ମୁଖ୍ୟ ପରିଚାଳନା ଅଧିକାରୀ ରାଜଲକ୍ଷ୍ମୀ ଦାଶ, ଭାରପ୍ରାପ୍ତ ଅଧିକାରୀ ଡ଼ଃ ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.