ଲେଖିକା ସୁଜାତା ପ୍ରହରାଜଙ୍କ ଦୁଇଟି ନିବନ୍ଧ ସଙ୍କଳନ ଉନ୍ମୋଚିତ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଲେଖିକା ସୁଜାତା ପ୍ରହରାଜଙ୍କର ‘ସ୍ବପ୍ନର ସୌଦାଗରମାନେ ଓ ଅନ୍ଯାନ୍ଯ ପ୍ରସଙ୍ଗ’ ଏବଂ ‘ଉଡ଼ିବେନି ଗେଣ୍ଡାଳିଆ ଝାଡ଼ିବେନି ପର’ ନାମରେ ଦୁଇଟି ନିବନ୍ଧ ସଂକଳନ ପାଠକାର୍ପିତ ହୋଇଛି। ସମାଜ,ପ୍ରମେୟ,ଧରିତ୍ରୀ ଇତ୍ୟାଦି ଦୈନିକ ଖବରକାଗଜ ଓ କେତେକ ପତ୍ରିକାରେ ପ୍ରକାଶିତ ଆଲେଖଗୁଡ଼ିକୁ ନେଇ ସାଳନ୍ଦୀ ବୁକ୍ସ ଏବଂ ରତ୍ନଚିରା ପବ୍ଲିକେସନ୍ସ ଦ୍ବାରା ପ୍ରକାଶିତ ଏହି ନିବନ୍ଧ ସଂକଳନ ଓଡ଼େଶା ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଛି। ଉନ୍ମୋଚନ ଉତ୍ସବରେ ବିକ୍ରମଦେବ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଦେବୀପ୍ରସାଦ ମିଶ୍ର ପୌରୋହିତ୍ୟ କରିଥିବା ବେଳେ ବିଶିଷ୍ଟ ରସାୟନ ବୈଜ୍ଞାନିକ ତଥା ଲୋକପ୍ରିୟ ପ୍ରାବନ୍ଧିକ ଡ. ଚିତ୍ତରଞ୍ଜନ ମିଶ୍ର, ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ,ଏବଂ ସଙ୍ଗୀତ ନାଟକ ଏକାଡେମୀର ସଦସ୍ଯ ଡକ୍ଟର ନରେନ୍ଦ୍ର ମିଶ୍ର ଉଦବୋଧନ ଦେଇଥିଲେ। ପ୍ରଖ୍ୟାତ ସ୍ତମ୍ଭକାର ଶ୍ରୀଯୁକ୍ତ ଚିନ୍ନୟ କୁମାର ହୋତା ଏବଂ ବିଶିଷ୍ଟ ଲେଖିକା ଶ୍ରୀମତୀ ଚିରଶ୍ରୀ ଇନ୍ଦ୍ରସିଂ ପୁସ୍ତକ ଦୁଇଟି ଉପରେ ଆଲୋକପାତ କରିଥିଲେ। ପ୍ରଫେସର ଲୋକନାଥ ତ୍ରିପାଠୀ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ଲେଖକ ତପନ କୁମାର ପଣ୍ଡା, ବରିଷ୍ଠ ପ୍ରଶାସକ ତଥା ଲେଖକ ଡକ୍ଟର ଗଣେଶ୍ଵର ଜେନା, ଦୂରଦର୍ଶନ ସଂଚାଳିକା ଡକ୍ଟର ବିଜୟା ମିଶ୍ର ଲେଖିକା- ପ୍ରଶାସିକା ସୁମିତ୍ରା ପଟ୍ଟନାୟକ ପ୍ରଫେସର କିଶୋର କୁମାର ଦାସ, ପ୍ରଫେସର ସୁଧାଂଶୁ ଶେଖର ଦାଶ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଶବ୍ଦବିନ୍ୟାସ, ସମସ୍ୟା ବା ବିଷୟବସ୍ତୁର ବର୍ଣ୍ଣନା, ବିଷୟର ବିଶଦ ଆଲୋଚନା, ତଥ୍ଯ ଓ ପରିସଂଖ୍ୟାନ, ତଜ୍ଜଡ଼ିତ ସରକାରୀ ଆଇନକାନୁନ, ତା’ର କାରଣ-ନିରାକରଣ ଏବଂ ପୌରାଣିକ ଗ୍ରନ୍ଥର ଉଦ୍ଧୃତାଂଶ ଦ୍ବାରା ପରିପୁଷ୍ଟ ନିବନ୍ଧଗୁଡ଼ିକ ବିଦ୍ୟାଳୟ, ମହାବିଦ୍ୟାଳୟର ପିଲାମାନଙ୍କର ଜ୍ଞାନବୃଦ୍ଧି କରିବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉପାଦେୟ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

 

Leave A Reply

Your email address will not be published.