ସୁନ୍ଦରଗଡ, (ବସନ୍ତ କୁମାର ଜେନା): ପ୍ରତ୍ୟେକ ପିଲାର କ୍ୟାରିୟରକୁ ନେଇ ଏକ ସ୍ୱପ୍ନ ଥାଏ । ବୟସ ବଢିବା ସଂଗେ ସଂଗେ ଏହି ସ୍ୱପ୍ନକୁ ସାକାର କରିବାକୁ ପିଲାମାନେ ଆପ୍ରାଣ ଉଦ୍ୟମ କରନ୍ତି । ତେବେ ଅନେକ ସମୟରେ ପିଲାମାନେ ନିଜର ଇପସିତ୍ କ୍ୟାରିୟର ଲକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇଥାଆନ୍ତି । ମାର୍ଗଦର୍ଶନର ଅଭାବ କିମ୍ବା ପରିବାର ତରଫରୁ ଉପଯୁକ୍ତ ସମର୍ଥନର ଅଭାବ ଯୋଗୁଁ ପିଲାମାନେ କ୍ୟାରିୟର ପଥରୁ ବିଚ୍ୟୁତ ହୋଇପଡନ୍ତି । କ୍ୟାରିୟରକୁ ନେଇ ସେମାନେ ଦେଖିଥିବା ସ୍ୱପ୍ନ ସବୁ ମଉଳି ପଡେ । ଏହି ଅସୁବିଧାକୁ ଲକ୍ଷ୍ୟ କରି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ପିଲାମାନଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ସୁନ୍ଦରଗଡ ଜିଲ୍ଲାର ପିଲାମାନଙ୍କୁ କ୍ୟାରିୟର ମନସ୍କ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଆରମ୍ଭ ହେବାକୁ ଯାଉଛି କ୍ୟାରିୟର ଟକ୍ ନାମକ ଏକ ସାକ୍ଷାତକାର ସିରିଜ । ଏହି ଭିଡିଓ ସିରିଜ୍ ଗତ ନଭେମ୍ବରରେ ଜୋନ୍ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ସମୟରେ ମାନ୍ୟବର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଥିବାବେଳେ ଏବେ ପିଲାମାନଙ୍କ ପାଇଁ ଏହା ପ୍ରଦର୍ଶନ ହେବାକୁ ଯାଉଛି । ସୂଚନା ଏବଂ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ପିଲାଙ୍କ ପାଖରେ କ୍ୟାରିୟର ସମ୍ବନ୍ଧୀୟ ତଥ୍ୟ ପହଁଚି ପାରିବ ସେ ନେଇ ଏହି ପ୍ରଚେଷ୍ଟାରେ ଭରପୁର ପ୍ରୟାସ କରାଯାଇଛି ।
୨୪ ଏପିସୋଡ୍ ବିଶିଷ୍ଟ ଏହି କାର୍ଯ୍ୟକ୍ରମର ପ୍ରତି ଏପିସୋଡ୍ ର ଅବଧି ର ସମୟସୀମା ୨୫ ରୁ ୩୦ ମିନିଟ୍ ରହିଛି । ଏହାର ପ୍ରସାରଣ ପ୍ରତିମାସରେ ପ୍ରଥମ ଏବଂ ତୃତୀୟ ଶନିବାର ଦିନ ୧୦ ଟାରୁ ୧୦ ୩୦ ମିନିଟ୍ ମଧ୍ୟରେ ହେବ ।ଏହା ଭର୍ଚୁଆଲ କ୍ଲାସରୁମ ମାଧ୍ୟମରେ ପିଲାଙ୍କ ପାଇଁ ପ୍ରସାରିତ ହେବ । ଏହି କ୍ୟାରିୟର ଟକ୍ ଭିଡିଓ ସିରିଜରେ କ୍ୟାରିୟର କ୍ଷେତ୍ରରେ ସଫଳ ହୋଇଥିବା ଜିଲ୍ଲାର ବିଭିନ୍ନ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସାକ୍ଷାତକାର ସ୍ଥାନ ପାଇଛି । ଏକ ନିର୍ଦ୍ଦିଷ୍ଟ କ୍ୟାରିୟର କରିବା ପାଇଁ କଣ ପଢିବାକୁ ହେବ, ଏ ନେଇ କିପରି ପ୍ରସ୍ତୁତି କରିବେ, , କେଉଁ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି, ଏହି କ୍ୟାରିୟର ଜନିତ ଚାପକୁ କିପରି ମୁକାବିଲା କରିବେ ଏବଂ ଜଣେ ଏହି କ୍ୟାରିୟରରେ କେଉଁ ସ୍ତରରେ ଯୋଗ ଦେବ ଏବଂ ପ୍ରାରମ୍ଭିକ ସ୍ତରରେ କେତେ ଦରମା ପାଇବେ ଇତ୍ୟାଦି ବିଷୟରେ ବ୍ୟାପକ ଆଲୋଚନା ହୋଇଛି । ଏଥିରେ ପୋଲିସ୍, ବନାଧିକାରୀ, ଡାକ୍ତର, ଶିକ୍ଷା ପ୍ରଶାସକ, କ୍ରୀଡାବିତ୍ ନର୍ସ ଆଦିଙ୍କ ସାକ୍ଷାତକାର ନିଆଯାଇଛି । ଏହାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପରାମର୍ଶ ଦାତା ରୁଦ୍ର ପ୍ରସନ୍ନ ରଥ ଏବଂ ଅପର୍ଣ୍ଣା ଆର୍ୟସୂତା ଭଦ୍ରା ପରିଚାଳନା କରିଛନ୍ତି । ଏହା ଦ୍ୱାରା ୩୦୦+ ସ୍କୁଲର ୪୦୦୦୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷଭାବେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇ ପାରିବେ ବୋଲି ଆଶା କରାଯାଉଛି । ଏହାଦ୍ୱାରା ଖଣି ପ୍ରଭାବିତ ଅଂଚଳର ପିଲାମାନେ କ୍ୟାରିୟରକୁ ନେଇ ସ୍ୱପ୍ନ ଦେଖିବା ସହ ଏହାକୁ ବାସ୍ତବରେ ହାସଲ କରିବା ପାଇଁ ଚେଷ୍ଟା କରିବା ଦିଗରେ ଯତ୍ନବାନ ହେବେ ବୋଲି ଆଶା କରାଯାଉଛି ।
Sign in
Sign in
Recover your password.
A password will be e-mailed to you.