ଦେବୀପ୍ରସାଦ ହେଲେ ଭଏସ ଅଫ ନୟାଗଡ଼ ବିଜେତା

0 3

ନୟାଗଡ,(ଲକ୍ଷ୍ମୀଧର ସାହୁ): ନୟାଗଡର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ନୟାଗଡ଼ କ୍ଳବ ତରଫରୁ ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ଚତୁର୍ଥ ସିଜିନର ଫାଇନାଲ୍ ପ୍ରତିଯୋଗିତା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗତ ଏକମାସ ଧରି ନୟାଗଡ଼ର ବିଭିନ୍ନ ବ୍ଲକ ମଧ୍ୟରେ ସଂଗୀତ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟକୁ ଚୟନ କରାଯାଇଥିଲା। ଚୂଡ଼ାନ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ନୟାଗଡର ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ନୟାଗଡ଼ କ୍ଳବର ଏହି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉପସ୍ଥିତ ଥିବା ବେଳ ନୟାଗଡ଼ କ୍ଲବ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ସଂପାଦକ ମହିର ରଂଜନ ନାୟକ ଓ ବରିଷ୍ଠ ସଦସ୍ୟ ଅରୁଣ କୁମାର ମହାନ୍ତି, ଅଶୋକ କୁମାର ନାୟକ, ସୁବୋଧ ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।ଶରତ ଆଚାର୍ଯ୍ୟ ଏବଂ ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ, ସୁରଗନ୍ଧର୍ବ ନବକିଶୋର ମିଶ୍ର ଏବଂ ସସ୍ମିତା ମିଶ୍ର ଯୋଗଦେଇ ଭଏସ୍ ଅଫ୍ ନୟାଗଡ଼ର ଶ୍ରେଷ୍ଠ ତିନିଜଣ ଯୁବ କଣ୍ଠଶିଳ୍ପୀଙ୍କୁ ଚୟନ କରିଥିଲେ। ଦେବୀପ୍ରସାଦ ନନ୍ଦ ଭଏସ୍ ଅଫ୍ ନୟାଗଡ଼ର ବିଜେତା ହୋଇ ଦଶହଜାର ଟଙ୍କା ଓ ଟ୍ରଫି ପାଇଥିଲେ ଏବଂ ଦ୍ୱିତୀୟ ସ୍ଥାନରେ ଆଶୁତୋଷ ବେହେରା, ତୃତୀୟ ସ୍ଥାନରେ କିର୍ତ୍ତୀକା ମଣ୍ଡଳ ରହିଥିଲେ। ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କ୍ଲବର ସଦସ୍ୟ ପ୍ରସନ୍ନ ବସନ୍ତିଆ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.