ଓକିଲମାନଙ୍କ ଆନ୍ଦୋଳନ ତେଜିଲା ; ଜେଲରେ କ୍ୟାମ୍ପ କୋର୍ଟ ଉଦ୍ୟମ ବିଫଳ ହେଲା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଓକିଲମାନଙ୍କ ଆନେ୍ଦାଳନ ଯୋଗୁ ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଫଳରେ କାରାଗାରର କ୍ଷମତାଠାରୁ ବହୁ ଅଧିକ କଏଦି ରହିଛନ୍ତି । ଅଦାଲତରେ ବିଚାରାଧୀନ କଏଦୀମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରୁନଥିବାରୁ ଜେଲ ପ୍ରଶାସନ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଗତ ଶନିବାର ଜେଲଗୁଡ଼ିକରେ କ୍ୟାମ୍ପକୋର୍ଟ କରି କଏଦୀମାନଙ୍କୁ ନ୍ୟାୟ ଦେବା ନିମନ୍ତେ ହାଇକୋର୍ଟ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରା ଜଜ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ, ମୟୂରଭଞ୍ଜ ବାର ଆସୋସିଏସନର ଆନ୍ଦୋଳନ ଫଳରେ ଏହା ସମ୍ଭବ ହୋଇପାରି ନ ଥିଲା ।

ଅକ୍ଟୋବର ୨୯ ସୋମବାର କୋର୍ଟର କାମ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ମୟୂରଭଞ୍ଜ ବାର ଆସୋସିଏସନର ସଭାପତି ପ୍ରବୀର ବସାଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ପ୍ରଦୀପ ରଥ, ସ୍ୱରୂପ ମିଶ୍ର, ବିଜୟ କୁମାର ଦାସ, ନରୋତ୍ତମ ପାଣିଗ୍ରାହୀ, ଧୀରେନ୍ଦ୍ର ନାଥ ସାସମଲ, ପ୍ରଦୀପ ମହାନ୍ତି, ଜ୍ୟୋତି ପ୍ରକାଶ ରଥ, ଡେ଼ନି ପରିଚ୍ଛା, ସଚ୍ଚିଦାନନ୍ଦ ଆଚାର୍ଯ୍ୟ, ବସନ୍ତ ନାୟକ, ପଦ୍ମଲୋଚନ ମହାନ୍ତ, ପ୍ରଭାତ କୁମାର ଦାସ, ପାର୍ବତୀ ବାରିକ ପ୍ରମୁଖ ଶତାଧିକ ଓକିଲ କୋର୍ଟର ପ୍ରବେଶ ପଥରେ ତାଲା ପକାଇବା ସହିତ ନିଆଁ ଜାଳି ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଇଥିଲେ । ବିଚାରପତିମାନଙ୍କ ସହିତ କର୍ମଚାରୀମାନେ କୋର୍ଟ ଭିତରକୁ ପ୍ରବେଶ କରିନପାରି ଫାଟକ ନିକଟରୁ ଫେରିଯାଇଥିଲେ । ଫଳରେ କୋର୍ଟରୁ କଏଦୀମାନଙ୍କର ଫାଇଲ ପତ୍ର ବାରିପଦା ମଣ୍ଡଳ କାରାଗାରରେ ପହଁଞ୍ଚିବା ସମ୍ଭବ ହୋଇନପାରିବାରୁ କାରାଗାର ପରିସରରେ କ୍ୟାମ୍ପ କୋର୍ଟର ଆୟୋଜନ ବିଫଳ ହୋଇଥିଲା ।

Leave A Reply

Your email address will not be published.