ଗଣଶିକ୍ଷା ବିଭାଗର ମୂଷିକ ପ୍ରସବ

0

 

ପିଲା ଓ ଅଭିଭାବକଙ୍କ ଭାବପ୍ରବଣତା ସହ ଖେଳୁଛି ଦାଇତ୍ୱହୀନ ଶିକ୍ଷା ବିଭାଗ

 

ବାରିପଦାରୁ ଦିଲ୍ଲୀପ ମହାନ୍ତି : ନଭେମ୍ବର ୧୪ ପବିତ୍ର ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ନିଜର ମନର କଥା କହି ପାଳନ କରିଥିଲେ ଶିଶୁ ଦିବସ । ଏଥିରେ  ମୁଖ୍ୟମନ୍ତ୍ରୀ ନବୀନଙ୍କ ଗୁରୁମନ୍ତ୍ର ଓଡ଼ିଆ ଭାଷା ବୃତ୍ତି, ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ପୁରସ୍କାର ସହିତ ବାପା-ମାଆ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା, ଶ୍ରେଷ୍ଠ  ବିଦ୍ୟାଳୟକୁ ପ୍ରୋତ୍ସାହନ ଆଦି ରହିଥିଲା । ଶିଶୁ ଦିବସ ଅବସରରେ ନାରା ଦେଇଥିଲେ ଭଲ ପଢ଼, ଦେଶ ଗଢ଼ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରାଧାନ୍ୟ ଦେଉଥିବା ବେଳେ ମୟୂରଭଞ୍ଜ ଜିଲାରେ ଶିକ୍ଷା ବ୍ୟବସ୍ଥା କିପରି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି ତାର ଏକ ନମୁନା ଦେଖିବାକୁ ମିଳିଛି ।

               ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କରାଯାଇ ସେମାନଙ୍କର ମେରିଟ ତାଲିକା ପ୍ରସ୍ତୁତ କରାଯାଇ ଉପର ଶ୍ରେଣୀକୁ ଉତ୍ତିର୍ଣ୍ଣ କରାଯାଇ ଥାଏ । ଶିକ୍ଷା ବ୍ୟବସ୍ଥାରେ ବିଦ୍ୟାଳୟରେ ପ୍ରଥମେ ୪ଟି ଗଠନ ମୂଳକ ପରୀକ୍ଷା ଓ ଏହାପରେ ସମାପ୍ତି ସୂଚକ ପରୀକ୍ଷା-୧(ଷାଣ୍ମାସିକ), ସମାପ୍ତି ସୂଚକ-୨( ବାର୍ଷିକ ପରୀକ୍ଷା) ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଓ ଗୁଣାତ୍ମକ ବିକାଶ ପରୀକ୍ଷା  କରାଯାଇ ଥାଏ । ପରୀକ୍ଷାଗୁଡ଼ିକରେ ଯେଉଁ ଛାତ୍ରଛାତ୍ରୀମାନେ ଦୁର୍ବଳ ରହିଛନ୍ତି ସେମାନଙ୍କ ଉପରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ବିଶେଷ ଭାବେ ଧ୍ୟାନ ଦେଇ ଦୋଷ ଦୁର୍ବଳତାକୁ ସୁଧାରିବା ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିଥାନ୍ତି । ଗତ ଅକ୍ଟୋବର ୯ରେ ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ରାଜ୍ୟ ତଥା ମୟୂରଭଞ୍ଜ ଜିଲାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ସମାପ୍ତି ସୂଚକ-୧(ଷାଣ୍ମାସିକ) ପରୀକ୍ଷା ଶେଷ ହୋଇଥିବା ବେଳେ ବାରିପଦା, ରାଇରଙ୍ଗପୁର, କୁଳିଅଣା ଓ ଖୁଣ୍ଟା ଆଦି ବିଇଓଙ୍କ ଅଧୀନରେ ରହିଥିବା ପ୍ରାୟ ଏକ ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସମସ୍ତ ପରୀକ୍ଷା ଖାତାକୁ ବାରିପଦା ଡ଼ାଏଟରେ ଜମା କରାଇବାକୁ ବିଭାଗର ନିର୍ଦ୍ଦେଶ ରହିଥିବା ଫଳରେ ସମ୍ପୃକ୍ତ ବିଦ୍ୟାଳୟ ପରୀକ୍ଷାଖାତାଗୁଡ଼ିକ ଯତ୍ନର ସହକାରେ ପେକେଟ କରି ସବିଶେଷ ବିବରଣୀ ଅନୁସାରେ ଜମା ଦେଇଥିଲେ । ଏହାପରେ ବାରିପଦା ଡାଏଟ ଉକ୍ତ ପରୀକ୍ଷା ଖାତାଗୁଡ଼ିକରେ କେଉଁ ଛାତ୍ରଛାତ୍ରୀ କେତେ ମାର୍କ ରଖିଛନ୍ତି ତାହା ମୂଲ୍ୟାୟନ କରି ସାରିବା ପରେ ବିଦ୍ୟାଳୟଗୁଡ଼ିକକୁ ସିଆରସିସି ମାଧ୍ୟମରେ ରଦି କାଗଜ ଭଳି ବାନ୍ଧି ଫେରସ୍ତ ଦେଇଛନ୍ତି ।  ବିଦ୍ୟାଳୟରେ ଉକ୍ତ ପରୀକ୍ଷା ଖାତା ବାଣ୍ଡିଲକୁ ଖୋଲିବା ପରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଅକଲ ଗୁଡ଼ୁମ୍ ହୋଇଯାଇଛି । ବିଦ୍ୟାଳୟର ବିଭିନ୍ନ ଶ୍ରେଣୀ ଓ ବିଷୟଗୁଡ଼ିକର ପରୀକ୍ଷା ଖାତା  ବଣ୍ଡଲ ମଧ୍ୟରେ ନ ଥିବା ବେଳେ ଅନ୍ୟ କେତେକ ବିଦ୍ୟାଳୟର ଖାତା ରହିଥିବାର ଦେଖିବାକୁ ପାଇ ଥିଲେ । ବର୍ତ୍ତମାନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କ ପିଲାର ପରୀକ୍ଷା ଖାତା ଓ ପାଇ ଥିବା ନମ୍ବର ଦେଖିବାକୁ ଆସିଲେ କଣ କରିବେ ଏବଂ ଏହାକୁ କେନ୍ଦ୍ର କରି ସମ୍ଭାବ୍ୟ ପରିସ୍ଥିକୁ କିପରି ସମ୍ନାସାମ୍ନି ହେବେ ସେହି ଚିନ୍ତା ତାଙ୍କର ରକ୍ତଚାପକୁ ଦ୍ୱିଗୁଣିତ କରାଇ ଦେଇଛି । ଏହି ପ୍ରକାରର ଅବ୍ୟବସ୍ଥା ଖବର ପାଇବା ପରେ ଆମ ମୟୂରଭଞ୍ଜ ପ୍ରତିନିଧି ଘଟଣା ଅନୁଧ୍ୟାନ କରିବା ନିମନ୍ତେ ପହଁଞ୍ଚି ଥିଲେ ନହରପଦା ପ୍ରକଳ୍ପ ବିଦ୍ୟାଳୟରେ । ସେଠାରେ ସେହି ସମୟରେ ସିଆରସିସି ବବିତା ସାହା ମଧ୍ୟ ଉପସ୍ଥିତ ରହିଥିଲେ । ନହରପଦା ବିଦ୍ୟାଳୟରେ ୪ର୍ଥ ଶ୍ରେଣୀର ମାତୃଭାଷା, ୫ମ- ଇଂରାଜୀ, ୬ଷ୍ଠ – ଭୂଗୋଳ, ୭ମ- ଭୂଗୋଳ ଓ ବିଜ୍ଞାନ, ୮ମ ଶ୍ରେଣୀ- ହିନ୍ଦି ବିଷୟ ପରୀକ୍ଷା ଖାତା ମିଳି ପାରି ନାହିଁ । ଏଥି ସହିତ ତାଙ୍କ ବଣ୍ଡଲରେ ଲାଲବଜାର, ପାଣ୍ଡେ, ଗୁଞ୍ଜୁସାହି, ରାଧାରାଣୀ ଆଦି ବିଦ୍ୟାଳୟଗୁଡ଼ିକର କେତେକ ପରୀକ୍ଷା ଖାତା ଖୋଲା ଅବସ୍ଥାରେ ଆସିଥିବାର ଜଣାପଡ଼ି ଥିଲା । ସେହିପରି ବାରିପଦା ସହରର ବିଭିନ୍ନ ବିଦ୍ୟାଳୟଗୁଡ଼ିକର ପରୀକ୍ଷା ଖାତା ନ ଥିବା ବିଷୟକୁ ନେଇ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ପ୍ରମାଦ ଗଣିବା ଆରମ୍ଭ କରି ଦେଇଛନ୍ତି । ଏବିଷୟରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୯୪୩୭୪୦୪୧୫୯ରେ ଯୋଗାଯୋଗ କରିବାରୁ ଭିଡ଼ରେ ରହିଛି କଣ ହୋଇଛି ପରେ କଥା ହେବି କହିଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁଙ୍କ ସେଲ ନମ୍ବର ୯୦୯୦୫୧୪୧୩୩ ସୁଇଚ ଅଫ୍ ରହିଥିବାରୁ  ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ସରକାରୀ ବିଦ୍ୟାଳୟଘୁଡ଼ିକରେ ଶୈଖିକ ବ୍ୟବସ୍ଥାରେ ବିକାଶ ନିମନ୍ତେ ଉଦ୍ୟମ ଚଳାଇ ବିଭିନ୍ନ ପ୍ରକାରର ଯୋଜନା ଗୋଟାକ ପରେ ଗୋଟାଏ ପ୍ରଚଳନ କରିଚାଲି ଥିବା ବେଳେ ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷା ପର୍ବତର ମୂଷିକ ପ୍ରସବ ନୀତିକୁ ଆପଣେଇ ନେଉଥିବାରୁ ରାଜ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ହ୍ରାସ ପାଇଚାଲିଛି ଓ ଘରୋଇ ବିଦ୍ୟାଳୟର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.