ସୋସିଆଲ ମିଡ଼ିଆରେ ନାବାଳିକାର ଆପତ୍ତି ଜନକ ଫଟୋ ଭାଇରାଲ , ୩ ଯୁବକ ଗିରଫ

0

ବାରିପଦା : ସୋସିଆଲ ମିଡ଼ିଆରେ ଜଣେ ନାବାଳିକାର ଆପତ୍ତିଜନକ ଫଟୋ ଭାଇରାଲ କରାଇଥିବା ଅଭିଯୋଗରେ ବାରିପଦା ସଦର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସଂଗେସଂଗେ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜନୈକ ନାବାଳିକା ସ୍ଥାନୀୟ ଏକ ଯୁବକକୁ ପ୍ରେମ କରୁଥିଲା । ଗତ ଅପ୍ରେଲ ମାସ ଅପରାହ୍ନରେ ଏମାନେ ବାରିପଦା ସହରଠାରୁ ୧୨/୧୩ କିଲୋମିଟର ଦୂର ଜ୍ୟୋତିପୁର ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ଫେରୁ ଫେରୁ ସନ୍ଧ୍ୟା ହୋଇଯାଇ ଥାଏ । ଏହି ସମୟରେ ଜ୍ୟୋତିପୁର ଅଞ୍ଚଳର କେତେକ ଯୁବକ ପ୍ରେମୀ ଯୁଗଳଙ୍କୁ ଅଟକ ରଖିବା ପରେ ସେମାନଙ୍କ ନିକଟରୁ ମୋବାଇଲ ଓ ଟଙ୍କା ପଇସା ଆଦିକୁ ଛଡ଼ାଇ ନେଇଥିଲେ । ଏଥି ସହିତ ନାବାଳିକାକୁ ବଳପୂର୍ବକ ବିବସ୍ତ୍ର କରାଇ ଫଟୋ ଉତ୍ତୋଳନ କରିଥିଲେ । ଘରକୁ ଫେରିବା ପରେ ନାବାଳିକା ତାର ପରିବାରର ସଦସ୍ୟମାନଙ୍କୁ ଏ ବିଷୟରେ ସମସ୍ତ ସୂଚନା ଦେଇଥିଲେ ମଧ୍ୟ ଲୋକ ଲଜ୍ୟାକୁ ଭୟ କରି ସମସ୍ତେ ନୀରବ ରହିଯାଇ ଥିଲେ ।  ହଠାତ ଭୂବନେଶ୍ୱରରୁ ଏହି ଫଟୋ ଭାଇରାଲ ହେବା ପରେ ସାଇବର ଥାନା ଘଟଣାଟି ମୟୂରଭଞ୍ଜ ଅଞ୍ଚଳର ହୋଇଥିବାରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ମାମଲା ରୁଜୁ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଉକ୍ତ ଘଟଣାକୁ ନେଇ ନାବାଳିକାର ପରିବାର ପକ୍ଷରୁ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ କେଶ ନମ୍ବର ୯୨/୨୦୧୭ରେ ଏକ ମାମଲା ରୁଜୁ କରାଯାଇ ଜ୍ୟୋତିପୁର ଗ୍ରାମର ଦୀପକ ମହାନ୍ତ, ମୋତିଲାଲ ମହାନ୍ତ ଓ ପୁରୁଷୋତ୍ତମ ମହାନ୍ତଙ୍କୁ ପୁଲିସ ଗିରଫ କରି  ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି ।  

 

Leave A Reply

Your email address will not be published.