ଅତଃ ଶ୍ରୀ ଚାଷୀ ମହାପୁରାଣେ ଦାମୋଦର ଉଵାଚ : Recent News By SPNEWS On Nov 16, 2017 0 Share ପିଲାଦିନେ ଶୁଣିଥିଲି ଚାଷ ଆମର ବୃତ୍ତି ଏବଂ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ପାଠ ପଢ଼ିକି ଏକଥା ମଧ୍ୟ ବହିରୁ ଜାଣିଲି । ବୟସ୍କ ଲୋକମାନଙ୍କଠାରୁ ଆମର ବୃତ୍ତି କେବେ ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ତାକୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବଂ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ କେମିତି ଯୋଡ଼ି ବାର ମାସରେ ତେର ପର୍ବ ହେଲା ତାକୁ ମଧ୍ୟ ଜାଣିବା ସହିତ ଉପଭୋଗ କରି ଅନୁଭୂତି ଅର୍ଜନ କଲି । ଆମର ସଂସ୍କୃତିରେ ଲୋକେ ଅକ୍ଷୟ ତୃତୀୟା ଦିନ ଗଉଣି ପୂଜା କରି ଓଳିଆରୁ ବିହନ କାଢ଼ିଲେ । ବିଲରେ ପୂଜା କରି ବିହନ ବୁଣିଲେ: ଅକ୍ଷୟ ତୃତୀୟା ଦିନ । ଏବଂ ସେହିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ରଜ ଆସିଲା । ଘରେ ଘରେ ଉତ୍ସବ ପାଳନ ହେଲା । ତିନି ଦିନ । କୁଆଁରୀ ଝିଅମାନେ ଗାଇଲେ- ମେଘ ବରଷିଲା ଟୁପୁରୁ ଟୁପୁରୁ କେଶର ମାଇଲା ଗଜା କେଉଁ ରାଇଜରେ ରହିଲେ ମୋ ରଜା ତେଲିଙ୍ଗି ବାଇଦ ବଜା । ସେ ରଜା ଇନ୍ଦ୍ର ଦେବତାଙ୍କୁ ଗୁହାରୀ କଲେ ଅଧିକ ବର୍ଷା ହେବ, ଅଧିକ ଧାନ ଅମଳ ହେବ । ଗହ୍ମା ପୂର୍ଣ୍ଣମୀ ଆସିଲା । ବେଉଷଣ ସରିଲା । ଚାଷୀ ଲଙ୍ଗଳ ସଙ୍ଗାରେ ରଖ#ଲା । ବଳଦକୁ ଗାଧୋଇ ଦେଲା । ତା’ର ଶିଂଘରେ ରଙ୍ଗ ବୋଳି ସଜାଇଲା । ପୂଜା କଲା । କଦଳୀ ପତ୍ରରେ ଗଢ଼ା ପିଠା ଖାଇବାକୁ ଦେଲା ଏବଂ ସେ ଦିନଟି ହେଲା ମହାପ୍ରଭୁ ବଡ଼ଭାଇ ବଳଭଦ୍ରଙ୍କ ଜନ୍ମଦିନ । ଆୟୁଧ ତାଙ୍କର ଲଙ୍ଗଳ । ଗର୍ଭଣା ସଂକ୍ରାନ୍ତି ଆସିଲା । ଧାନ ଗର୍ଭ ଧାରଣ କଲା । ଘରେ ଘରେ ମା’ଲକ୍ଷ୍ମୀଙ୍କୁ ପୂଜା କରି କୁଳବଧୂ ଧାନଗର୍ଭରୁ ଅଧିକ ଫଳ ଫଳୁ ବୋଲି ମାଗୁଣି କଲା । କାର୍ତ୍ତିକ ମାସରେ କଦଳୀ ପାଟୁକାରେ ଡଙ୍ଗା ଭସାଇ ପୂର୍ବପୁରୁଷଙ୍କୁ ଆମନ୍ତ୍ରଣ କଲା । ସେହିପରି ପୂର୍ବପୁରୁଷର କୃତିକୁ ସ୍ମରଣ କରି ପୂଜାର୍ଚ୍ଚନା କଲା । ଆଶ୍ୱିନ ମାସରେ ରହଣି ଫୁଲ ହସୁଥିବ, ଜହ୍ନମାମୁଁକୁ ପୂଜା କଲା । ମାର୍ଗଶୀର ଗୁରୁବାରରେ ଘରେ ଘରେ ଚିତା ପଡ଼ିଲା । ମା’ଲକ୍ଷ୍ମୀ ଠାକୁରାଣୀଙ୍କ ପାଦଚିହ୍ନ ଘରେ ଘରେ ଲେଖା ହେଲା । ମା’ ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରି ଅଧିକ ଫସଲ ହେବା ପାଇଁ ପ୍ରାର୍ଥନା କରାଗଲା । ପୁଷ ମାସରେ ପୁଷ ପୁନେଇଁ । ମାଘ ମାସରେ ମକର ଚାଉଳ ଖାଇଲା । ସେତେବେଳେ ଶ୍ରୀଜଗନ୍ନାଥ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କଲା । ଅଗ୍ନି ଉତ୍ସବ ପାଳିଲା । ପ୍ରତି ଗାଁରେ ଅଗି ଜଳିଲା । ନିଆଁ ଧାସରେ ପୋକଜୋକ ମରିବାରୁ ଆକାଶ ନିର୍ମଳ ହେଲା । ଜଳୁଥିବା ଅଗିରେ ବାଡ଼ିରେ ଫଳିଥିବା ବାଇଗଣ ପୋଡ଼ିଲା । ବାଇଗଣ ଭର୍ତ୍ତା ଖାଇଲା । ବିଶ୍ୱାସଥିଲା-ଏ ଅଗିରେ ପୋଡ଼ା ବାଇଗଣ ଖାଇଲେ କୃମି ହେବ ନାହିଁ । ତା’ପରେ ଆସିଲା ଫଗୁଣ ମାସ । ପୁନେଇଁରେ ଫଗୁ ଖେଳିଲା । ଦୋଳ ଦଶମୀ ପାଳିଲା । ଦୋଳ-ମେଲଣକୁ ଠାକୁର ଯାଇ ପୂଜା ପାଇଲେ । ମନ ଆନନ୍ଦରେ ଖେଳିଲେ, ବୁଲିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ମୃତି ପାଳି ପୂଜାର୍ଚ୍ଚନା କଲା । ଏଇ ତ ଆମର ବୃତ୍ତି । ଏଇ ତ ଆମର ସଂସ୍କୃତି । ଆଜି ନୁହେଁ, ହଜାର ହଜାର ବର୍ଷରୁ କୃଷି ଆମର ବୃତ୍ତି ଏବଂ ଶ୍ରୀଜଗନ୍ନାଥଙ୍କ ଲୀଳାଖେଳା ଆମର ସଂସ୍କୃତି । ମାତ୍ର ଆଜି କ୍ଷମତା ପାଇଁ ବୃତ୍ତିରେ ଏବଂ ସଂସ୍କୃତିରେ ରାଜନୀତିକୁ ପ୍ରବେଶ କରାଯାଉଛି । ଜାତିକୁ ଆହାର ଯୋଗାଉଥିବା ଚାଷୀକୁ ଆତ୍ମହତ୍ୟା ଅପରାଧରେ ଅପରାଧୀ କରାଯାଉଛି । ଚାଷୀର ମୃତ୍ୟୁକୁ ରାଜନୀତି ଉଦ୍ଦେଶ୍ୟରେ ବିଚିତ୍ର୍ର ଭାବେ ବର୍ଣ୍ଣନା କରାଯାଉଛି । ଗଲାଥର ମୁଁ ମନ୍ତ୍ରୀ ଥିଲାବେଳେ କ୍ରାଇମ୍ ବ୍ୟୁରୋର ରିପୋର୍ଟ ଆଣିଥିଲି । ୧୯୯୭-୨୦୦୨, ପାଞ୍ଚ ବର୍ଷରେ ଓଡ଼ିଶାର ଆତ୍ମହତ୍ୟା ଘଟିଥିଲା ୪୫୦୩ । ସେଥି ଭିତରେ ଚାଷୀ କୁହାଯାଉଥିବା ଆତ୍ମହତ୍ୟା କରିଥିବା ବ୍ୟକ୍ତି ଥିଲେ ୩୦୫ ଜଣ । ଏବଂ ଅବଶିଷ୍ଟ ପ୍ରାୟ ୪୨୦୦ ଜଣ କେଉଁ କାରଣରୁ ଆତ୍ମହତ୍ୟା କରିଥିଲେ ତା’ର ହିସାବ କେହି ରଖୀ ନାହାନ୍ତି । ତେବେ ୫ ବର୍ଷରେ ୩୦୫ ଜଣ ଚାଷୀ ଆତ୍ମହତ୍ୟା କଲେ ଏବଂ ସେମାନେ ଚାଷ ପାଇଁ ଆତ୍ମହତ୍ୟା କରିଛନ୍ତି, ଏ କଥା କହିହେବ କେମିତି? ଚାଷୀ ବି ଜଣେ ସାମାଜିକ ପ୍ରାଣୀ । ଏଇ କେତେଦିନ ତଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକରେ ଜଣେ ବ୍ୟକ୍ତି ବାସୁ ହେମ୍ବ୍ରମ୍ ଲେମ୍ବୁପଲା ସାହି, ଗ୍ରାମ ବାଉଁଶପାଳ, ଥାନା-କାମାକ୍ଷାନଗର ପେଟ ଭରି ହାଣ୍ଡିଆ ପିଇଲା । ନିଶାଗ୍ରସ୍ତ ହେଲା । ଏବଂ ନିଶାଗ୍ରସ୍ତ ଅବସ୍ଥାରେ ନିଜ ଧର୍ମପତ୍ନୀ ସହିତ ଝଗଡ଼ା କରି ତା’ସ୍ତ୍ରୀକୁ ତୁହାକୁ ତୁହା ବାଡେ଼ଇଲା । ସେଦିନ ଥିଲା ୨୦୧୭ ମସିହା ଅକେଫାବର ୧୯ ତାରିଖ, ଦୀପାବଳୀ । ମଦ ନିଶାରେ ବାଡ଼ି ଧରି ସ୍ତ୍ରୀକୁ ବାଡେ଼ଇଲା । ସ୍ତ୍ରୀ ମାଳତି ବିକଳରେ ଦେଉଳସାହି ବାପଘରକୁ ଯାଇ ଡାକ୍ତରଖାନାରୁ ଔଷଧ ଆଣି ଖାଇ କଷ୍ଟ ଲାଘବ କରିବା ସହିତ ଭାଇ ଆଗରେ ନିଜର ଦୁଃଖ କହିଲା । ତା’ର ଭାଇ ଭଉଣୀ ଶାଶୁ ଘର ଲେମ୍ବୁପଲା ଯାଇ ଗାଁ ସଭା ଡାକିଲା ଏବଂ ସବୁକଥା ଜଣାଇଲା । ଗାଁ ସଭାରେ ଆସାମୀ ବାସୁ ହେମ୍ବ୍ରମକୁ ଦୋଷୀ କରାଗଲା ଏବଂ ଧମକ ଦିଆଗଲା-ଏଣିକି ଯେମିତି ହାଣ୍ଡିଆ ପିଇବ ନାହିଁ ଓ ସ୍ତ୍ରୀକୁ ମାଡ଼ ମାରିବ ନାହିଁ । ଏ ଘଟଣାରେ ବାସୁ ହେମ୍ବ୍ରମ୍ ନିଜକୁ ଅପମାନିତ ଅନୁଭବ କଲା ଏବଂ ବିଷ ପିଇ ଆତ୍ମହତ୍ୟା କଲା । ଏହାକୁ ଚାଷୀ ଆତ୍ମହତ୍ୟା କହିବା କେମିତି? ସେହିପରି ବରଗଡ଼ ଜିଲ୍ଲାର ବୃନ୍ଦାବନ ସାହୁ । ନିଜର ଜମି ନାହିଁ । ଅନ୍ୟମାନଙ୍କ ଜମିକୁ ଭାଗ ଆଣି ପ୍ରାୟ ୧୬ ଏକର ଜମିରେ ଚାଷ କରିଥିଲା, ଦୁଇଟି ଗ୍ରାମରେ । ଏ ବର୍ଷ ୧୬ ଏକର ଜମିରୁ ପ୍ରାୟ ୬ ଏକର ଜମିରେ ଚକଡ଼ା ପୋକ ଲାଗିଥିଲା । କିଛି ଫସଲ କ୍ଷତି ଘଟିଥିଲା ସତ । ସେଥି ମଧ୍ୟରୁ ପ୍ରାୟ ୧୮ ଡେସିମଲ ଜମିରେ ସଂପୂର୍ଣ୍ଣ ଫସଲ କ୍ଷତି ହୋଇଥିବା ଅନୁଭବ କରି ନିଆଁ ଲଗାଇଦେଲା । ଏ ସଂପର୍କରେ ପରିବାର ଆଗରେ କିଛି କହିଲା ନାହିଁ । ତା’ ପରଦିନ ସକାଳୁ ପୋଡ଼ା ଧାନ କିଆରୀକୁ ଯାଇ ବିଷ ପିଇଲା ବହୁ ଲୋକଙ୍କ ଉପସ୍ଥିତିରେ ଏବଂ ଗୋଟିଏ ବୈଦୁୟତିକ ଗଣମାଧ୍ୟମର ପ୍ରତିନିଧି ନିଜ କ୍ୟାମେରାରେ ଫଟୋ ଉଠାଇଲେ: ବୃନ୍ଦାବନ ବିଷ ପିଉଥିବା ଅବସ୍ଥାରେ । ବିଷପାନ କରି ଅଚେତ ହୋଇଗଲା । ତାକୁ ଡାକ୍ତରଖାନା ନିଆଗଲା । ଡାକ୍ତର ତାକୁ ମୃତ ବୋଲି ଘୋଷଣା କଲେ । ୧୬ ଏକର ଜମିରେ ଭାଗଚାଷ କରିଥିବା ମୃତ ବୃନ୍ଦାବନ ସମବାୟ ବା ବ୍ୟବସାୟିକ ବ୍ୟାଙ୍କ, କୌଣସିଠାରୁ ଋଣ ନେଇନାହିଁ । ତଦନ୍ତ ବେଳେ ପରିବାରର ଲୋକ କହିଲେ ମହାଜନଠାରୁ ଋଣ ଆଣିଥିଲା । ମାତ୍ର ଘରେ ମହାଜନ ନାମ କେହି କହିପାରିଲେ ନାହିଁ । ସେ ଯାହା ହେଉ ୧୬ ଏକର ଜମି ଭାଗଚାଷ କରୁଥିବା ବୃନ୍ଦାବନ ସାହୁ ମୃତ୍ୟୁବରଣ କଲେ । ସମସ୍ତଙ୍କ ପାଇଁ ଏହା ଏକ ଦୁଃଖଦ ଘଟଣା । ବୃନ୍ଦାବନର ପରିବାରକୁ ତତ୍କ୍ଷଣାତ୍ ୧୨ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଇଛି । ତା’ କ୍ଷେତର ଫସଲହାନିକୁ ଆକଳନ କରାଯିବା ସଙ୍ଗେ ସଙ୍ଗେ ପୋକ ଆକ୍ରମଣ ଯୋଗୁ ଫସଲ କ୍ଷତି ହୋଇଥିବା ସବୁ ଚାଷୀଙ୍କ କ୍ଷତି ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଏବଂ ଚକଡ଼ା କ୍ଷତିଗ୍ରସ୍ତଙ୍କ ପାଇଁ ୧୩୭ କୋଟି ଅନୁକମ୍ପା ସହାୟତା ଦିଆଗଲା । ସେହିଭଳି ଚଳିତ ବର୍ଷ ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟି ଏବଂ ଅନାବୃଷ୍ଟି ଯୋଗୁଁ ପ୍ରାୟ ୩ ଲକ୍ଷରୁ ଅଧିକ ହେରଫର ଜମିରେ ଫସଲ କ୍ଷତି ହୋଇଥ#ବା ସରକାରୀ ଆକଳନରୁ ଜଣାଯାଏ । ସେମାନଙ୍କ ପାଇଁ ପ୍ରାୟ ୨୧୬ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଆଗୁଆ ରବି ଫସଲ କରିବା ପାଇଁ ରବି ଋଣ, ରବି ଫସଲ ପାଇଁ ବିହନ, ମଂଜି, ସାର, ପୋକମରା ଔଷଧ ସବୁକିଛିର ବ୍ୟବସ୍ଥା କରାଯାଇଛି । ଗୋଟିଏ ନିର୍ବାଚିତ ସରକାର ଏହାଠାରୁ ଅଧିକ କ’ଣ କରିପାରନ୍ତେ । ପେଟକୁ ଦାନା ଯୋଗାଉଥ#ବା ଚାଷୀଙ୍କ ପାଇଁ ନିର୍ବାଚିତ ସରକାରର ଯାହା ନୈତିକ ଓ ସାମ୍ବିଧାନିକ ଦାୟିତ୍ୱ ତାହା ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହେଳା ନକରି ତୁରନ୍ତ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ପାଖରେ ଏ ବାବଦ ଯଥେଷ୍ଟ ପାଣ୍ଠି ଗଚ୍ଛିତ ଅଛି । ଏ ଗଚ୍ଛିତ ପାଣ୍ଠିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶ ରହିଛି । ଏସବୁ ସତ୍ତେ୍ୱ ଚାଷୀଙ୍କ ମୃତୁ୍ୟକୁ ନେଇ ରାଜନୈତିକ ଫାଇଦା ପାଇଁ ଯେଭଳି ରାଜନୀତି କରାଯାଉଛି, ଧାନ କ୍ଷେତରେ ନିଆଁ ଲଗାଇ ଦିଆଯାଉଛି ଏବଂ ଏ ଘଟଣାକୁ ଯଦି କେହି ପ୍ରୋତ୍ସାହିତ କରୁଛି: ଆତ୍ମହତ୍ୟା କରିବା ପାଇଁ, ଚାଷୀର ମାନସିକତାକୁ ଦୁର୍ବଳରୁ ଦୁର୍ବଳତର କରିବା ପାଇଁ, ତେବେ ସେମାନଙ୍କର ରାଜନୀତିକୁ କ’ଣ ରାଜନୀତି କହିବା? ଆମ ଗଣତନ୍ତ୍ରରେ କୃଷି ହେଉଛି ରାଜ୍ୟ ବିଷୟ । ଚାଷୀଙ୍କର ଭଲମନ୍ଦ, ତାଙ୍କର ସ୍ୱାର୍ଥର ସୁରକ୍ଷା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ । ଆମର ଯେହେତୁ ଏକ ସଂଘୀୟ ଗଣତନ୍ତ୍ର, ଏ କ୍ଷେତ୍ରରେ ସହାୟତା ଯୋଗାଇବା ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ସରକାର ସହାୟତା ଯୋଗାଇ ଦିଅନ୍ତି । ଏଥିପାଇଁ ତ ସବୁ ରାଜ୍ୟରେ ବିପର୍ଯ୍ୟୟ ପାଣ୍ଠି ସୃଷ୍ଟି କରାଯାଇଛି । ଏ ପାଣ୍ଠିର ସିଂହଭାଗ କେନ୍ଦ୍ର ସରକାର ଦିଅନ୍ତି ଏବଂ ରାଜ୍ୟ ସରକାର ତାଙ୍କ ଅଂଶ ପଇଠ କରିଥାଆନ୍ତି । ଏ ବିପର୍ଯ୍ୟୟ ପାଣ୍ଠି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଯଥେଷ୍ଟ ନହେଲେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ସରକାର ଯଥାର୍ଥତା ପରୀକ୍ଷାନିରୀକ୍ଷା କରି ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ସହାୟତା ଯୋଗାଇ ଦିଅନ୍ତି । ଏସବୁ ଜାଣି ମଧ୍ୟ ଯଦି କେହି ରାଜନୈତିକ ଫାଇଦା ପାଇଁ ଚାଷୀର ମୃତୁ୍ୟକୁ ଆତ୍ମହତ୍ୟା ବୋଲି ରଙ୍ଗ ଦିଏ, ତେବେ ଏହା ଓଡ଼ିଆ ଜାତିର ହଜାର ହଜାର ବର୍ଷର ପବିତ୍ର ବୃତ୍ତି ଧର୍ମ ଏବଂ ପବିତ୍ର ସାଂସ୍କୃତିକ ପରମ୍ପରାର ଉଲଂଘନ କି ନାହିଁ ଏ କଥା ଜନସାଧାରଣ ବିଚାର କରନ୍ତୁ । ମୁଁ କେବଳ ଓଡ଼ିଆ ନୁହେଁ ଓଡ଼ିଆ ଚାଷୀ ପରିବାରରୁ ଆସିଛି । ଚାଷୀର ଦୁଃଖଯନ୍ତ୍ରଣା କ’ଣ ଅନୁଭବ କରିଛି । ମୁଁ ଅନୁଭବ କରିଛି ଜାତିକୁ ଦାନା ଯୋଗାଉଥିବା ଚାଷୀର ଅନେକ ସମସ୍ୟା ରହିଛି । ସେସବୁ ସମସ୍ୟାକୁ ଦୂର କରିବା ପାଇଁ ବାରମ୍ବାର ପ୍ରୟାସ କରିଛି । ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ । କିନ୍ତୁ ଏବେ ବି ମୁଁ ଆଶା ହରାଇ ନାହିଁ । କିଛି ଦିନ ତଳେ ଏହି କାଗଜରେ ମୁଁ ଗୋଟିଏ ଅଗ୍ରଲେଖା ଲେଖିଥିଲି । ଚାଷୀମାନଙ୍କର ସମସ୍ୟା କ’ଣ ବିସ୍ତୃତ ବର୍ଣ୍ଣନା କରି ତା’ର ଶୀର୍ଷକ ଲେଖିଥିଲି “ଚାଷୀର ଭାଗ୍ୟ ଭାଗଚାଷରେ’ । ମୋର ଶେଷ ଧାଡ଼ି ଥିଲା “ଚାଷୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମରମ ବେଦନା ହେଉଥାଉ ପଛେ ଚାକିରି ଖଣ୍ଡିକ ଥାଉ ।’ ବ୍ୟକ୍ତିଗତ ଭାବେ ରାଜନୈତିକ ଉଦ୍ଦେଶ୍ୟରେ ମତେ ଯେଉଁମାନେ ଚାଷୀବିରୋଧୀ ବୋଲି ଚିତି୍ରତ କରୁଛନ୍ତି ସେମାନଙ୍କୁ ଇଶ୍ଵର ସହାୟ ହୁଅନ୍ତୁ । ଚାଷୀର ମୃତ୍ୟୁକୁ ଆତ୍ମହତ୍ୟା କହିଲା ବେଳେ ଚିନ୍ତନ ପ୍ରକାଶ ପାଉ । ଆଲେଖ୍ୟ : ଡ଼. ଦାମୋଦର ରାଉତ 0 Share FacebookTwitterGoogle+ReddItWhatsAppPinterestEmail