ଦେଢ଼ କୋଟି ଲୋକଙ୍କ ଜୀବନରେଖା ଏବେ ମୃତ୍ୟୁଯନ୍ତା

0

କଟକ-ସମ୍ବଲପୁର ଏନ୍‌ଏଚ୍-୫୫ର ଦୁରବସ୍ଥାକୁ ନେଇ ବର୍ଷିଲା ବିଜେଡ଼ି

  • > ପ୍ରତିଦିନ ଘଟୁଛି ଦୁର୍ଘଟଣା, ଗଡ଼ୁଛି ମୁଣ୍ଡ, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଜୀବନ ବାଜି ଲାଗୁଛି

  • > ନିଘୋଡ଼ ନିଦରେ ଶୋଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ

  • > ରୋଡ ସେଫ୍‌ଟି କମିଟି ମିଟିଂକୁ ଯାଉନାହାନ୍ତି ଜାତୀୟ ରାଜପଥ ଅଧିକାରୀ

  • > ନିଜ ଜିଲ୍ଲାର ଏନ୍‌ଏଚ୍ ଦୁରବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିରବ କାହିଁକି ?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ- ସମ୍ବଲପୁର ଏନ୍‌ଏଚ୍-୫୫କୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଏ I ପ୍ରାୟ ଦେଢ଼ କୋଟି ଲୋକ ଏହି ଜାତୀୟ ରାଜପଥ ଉପରେ ନିର୍ଭର କରନ୍ତି I ମାତ୍ର ଦୀର୍ଘ ୭ ବର୍ଷ ହେଲା ମରାମତି କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଏହି ଜୀବନରେଖା ଏବେ ମୃତ୍ୟୁଯନ୍ତା ପାଲଟିଛି । ପ୍ରତିଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲେ ହେଁ ଏନ୍‌ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଅନୁଗୁଳ ଦେଇ ଏହି ଏନ୍‌ଏଚ୍ ଯାଇଥିଲେ ହେଁ ସେ ମଧ୍ଯ ପାଟି ଫିଟାଉ ନାହାନ୍ତି । ଏନ୍‌ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ ମନୋଭାବ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଅପାରଗତା ବିରୋଧରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡି I
ଶଙ୍ଖ ଭବନରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଏହି ରାସ୍ତାର ଶୋଚନୀୟ ଅବସ୍ଥା କଥା ଉଠାଇ ବିଜୁ ଜନତା ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ଏନ୍‌ଏଚ୍-୫୫ ଏବେ ଦେଶର ସବୁଠାରୁ ବିପଦସଂକୁଳ ରାଜପଥରେ ପରିଣତ ହୋଇଛି । ଜୀବନକୁ ବାଜି ଲଗାଇ ଲୋକେ ଏହି ରାସ୍ତାରେ ଯା’ଆସ କରୁଛନ୍ତି । ପ୍ରତିଦିନ ସ୍କୁଲ, କଲେଜ ଯାଉଥିବା ହଜାର ହଜାର ଛାତ୍ରଛାତ୍ରୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି । ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ୧୫/୨୦ ମିନିଟର ରାସ୍ତା ଅତିକ୍ରମ କରିବାକୁ ଦେଢ଼ରୁ ଦୁଇ ଘଣ୍ଟା ସମୟ ଲାଗୁଛି । ଫଳରେ ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ, ଏନ୍ଏଚ୍- ୫୫ ଦେଇ ରୋଗୀଙ୍କୁ ନେଇ ଏସ୍‌ସିବି, ଏମ୍‌ସ କିମ୍ବା କଟକ, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ ଯାଉଥିବା ଆମ୍ବୁଲାନ୍ସଗୁଡ଼ିକ ମଧ୍ୟ ରାସ୍ତା ଖରାପ ଯୋଗୁଁ ଅତ୍ୟନ୍ତ ମନ୍ଥର ଗତିରେ ଯାଉଛି କିମ୍ବା ରାସ୍ତା ଜାମ୍‌ରେ ଫସି ଯାଉଛି । ଫଳରେ ବେଳେବେଳେ ଆମ୍ବୁଲାନ୍ସ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲି ଯାଉଛି । ଏହି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟି ଯାଇଛି । ପ୍ରତିଦିନ ହାରାହାରି ୨ଟି ମୁଣ୍ଡ ଗଡ଼ୁଥିବାବେଳେ ୧୦/୧୫ ଜଣ ଆହତ ହେଉଛନ୍ତି । ଅଥଚ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଓ ବିପଦ ମଧ୍ଯରେ ଛାଡ଼ି ଦେଇ ଏନ୍‌ଏଚ୍ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି ।

ଶ୍ରୀ ଦାସ ଆହୁରି କହିଲେ ଯେ ନିକଟରେ ଅନୁଗୁଳ ଜିଲ୍ଲାର ରୋଡ଼ ସେଫ୍‌ଟି କମିଟିର ଏକ ଗୁରୁତ୍ବପୂର୍ଣ ବୈଠକ ବସିଥିଲା । କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ମହୋଦୟ ଜାତୀୟ ରାଜପଥ ଅଧିକାରୀଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଚିଠି ଦେଇଥିଲେ । ଏହି ବୈଠକରେ ଯାତ୍ରୀ ସୁରକ୍ଷା ଏବଂ ଏନ୍‌ଏଚ୍-୫୫ ମରାମତି କେବେ ସରିବ ସେନେଇ ଆଲୋଚନା ହେବାର ଥିଲା । ମାତ୍ର ଏନ୍‌ଏଚ୍ ଅଧିକାରୀମାନେ ବେପରୁଆ ମନୋଭାବ ଦେଖାଇ ବୈଠକକୁ ଆସିଲେ ନାହିଁ । ଏମାନଙ୍କ ଚମଡ଼ା ଏତେ ମୋଟା ହୋଇଗଲାଣି ଯେ ଲକ୍ଷ ଲକ୍ଷ ଲୋକ ସମସ୍ୟାରେ ପଡ଼ୁଥିଲେ ମଧ୍ୟ ଏଥିପ୍ରତି ଏନ୍‌ଏଚ୍ କର୍ତ୍ତୃପକ୍ଷଙ୍କ କୌଣସି ନିଘା ନାହିଁ । ତେବେ ୧୫ ଦିନ ଭିତରେ ଏନ୍‌ଏଚ୍ ମରାମତି କାର୍ଯ୍ୟ ଶେଷ ନ ହେଲେ ଏନ୍‌ଏଚ୍ଏଆଇ ବିରୋଧରେ ମାମଲା ରୁଜୁ ହେବ ବୋଲି ରୋଡ଼ ସେଫ୍‌ଟି କମିଟି ବୈଠକରେ ଚେତାବନୀ ଦିଆଯାଇଛି । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିଲେ ହେଁ କିଛି ପଦକ୍ଷେପ ନନେଇ ସେ ବି କ’ଣ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ ଏବଂ ଏନ୍‌ଏଚ୍ କର୍ତ୍ତୃପକ୍ଷଙ୍କ ଏଭଳି ଓଡ଼ିଶା ବିରୋଧୀ ବେପରୁଆ ମନୋଭାବକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ଚେତାଇ ଦେଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡିର ମିଡିଆ ପ୍ୟାନେଲିଷ୍ଟ ସୋଫିଆ ଆଲାମ୍ ମଧ୍ଯ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ଧର୍ମେନ୍ଦ୍ର ବାବୁ ନିଜ ଅଞ୍ଚଳର ଲୋକଙ୍କ ଦୁଃଖକଷ୍ଟ ଦେଖିପାରୁ ନାହାନ୍ତି ? ଲୋକଙ୍କ ଦୁର୍ଦ୍ଦଶା ଦୂର କରିବାକୁ କ’ଣ ପାଇଁ କିଛି ଠୋସ୍ ପଦକ୍ଷେପ ନେଉ ନାହାନ୍ତି ? ୭ ବର୍ଷ ହେଲା ଏହି ଏନ୍‌ଏଚ୍ର ମରାମତି କାର୍ଯ୍ୟ ଚାଲିଥିବାବେଳେ ତୁରନ୍ତ ଏହି କାର୍ଯ୍ୟ ସାରିବାକୁ ଜୋର୍ ଦେଉନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ଏ ଦିଗରେ ତ୍ବରିତ୍‌ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ବାବୁ ଚେଷ୍ଟା କରିବେ ବୋଲି ସୋଫିଆ ଆଶା ପ୍ରକାଶ କରିଥିଲେ I

Leave A Reply

Your email address will not be published.