“ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି”

0

ଧର୍ମେନ୍ଦ୍ରଙ୍କୁ ମାନସଙ୍କ ପ୍ରଶ୍ନ : ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ବିଜେପିର ନେତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ? “

  • କେନ୍ଦ୍ର ସରକାର କଲେ ଠିକ, ରାଜ୍ୟରେ ହେଲେ ବଦନାମ କରିବେ ??

  • ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ କିଏ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖିଛନ୍ତି

ଭୁବନେଶ୍ୱର : ସୋସିଆଲ ମିଡିଆ ଇନଫ୍ଲୁଏନସର କାମିଆଙ୍କୁ ନେଇ କିଛି ଦିନ ହେଲା ବିଜେପି ବିଜେଡି ଭିତରେ କୁସ୍ତି ହେବାପରେ ଆଜି ଭବନେଶ୍ୱରରେ ପହଂଚି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ” ଜଗନ୍ନାଥ ଆମ ସମସ୍ତଙ୍କ ବିଶ୍ୱାସର ପ୍ରାଣକେନ୍ଦ୍ର | ଜଗନ୍ନାଥପ୍ରେମୀଙ୍କ ଭାବଧାରା ପ୍ରତି କେହି ଅତି ଉତ୍ସାହ ହୋଇ ନ ଖେଳିବା ଭଲ” | ଶ୍ରୀ ପ୍ରଧାନଙ୍କ ଏହି କଥାର ଖିଅକୁ ଧରି ତାଙ୍କୁ ପ୍ରଶ୍ନ ବାଣମାରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ |
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ବୋଲି ସମ୍ବୋଧନ କରି ଶ୍ରୀ ମଙ୍ଗରାଜ କହିଛନ୍ତି ଯେ “ଧର୍ମେନ୍ଦ୍ର ଭାଇ, ଆପଣ ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଶା ତଥା ଓଡିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ହେଲେ, ଆପଣଙ୍କ ଦଳର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖିଛନ୍ତି ।
ଯେଉଁ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ, ସେ ଯେତେବେଳେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ ସଙ୍ଗେ ସଙ୍ଗେ ତାଙ୍କୁ ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବା ପାଇଁ ଆପଣଙ୍କ ଅନୁଗତ ଗୋଷ୍ଠୀ ଅପଚେଷ୍ଟା କଲେ । କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା?” ବୋଲି ଧର୍ମେନ୍ଦ୍ରଙ୍କ ପ୍ରଶ୍ନ କରିଛନ୍ତି ଶ୍ରୀ ମଙ୍ଗରାଜ |
“ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି ।” ବୋଲି ସୋସିଆଲ ମିଡିଆରେ ତାଙ୍କ ଖୋଲା ମନ୍ତବ୍ୟ ରହି କହିଛନ୍ତି ଶ୍ରୀ ମଙ୍ଗରାଜ | 

Leave A Reply

Your email address will not be published.