ଭୁବନେଶ୍ବର: ଆଜି ଜୟ ଓଡ଼ିଶା ତଥା TCS ଭୁବନେଶ୍ବର ର ମିଳିତ ଉଦ୍ୟମରେ ଭୁବନେଶ୍ବର ବାଲିଯାତ୍ରା ପଡିଆ ସଫେଇ କରାଯାଇଛି। ଜୟ ଓଡ଼ିଶା ର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଙ୍କ ତତ୍ତ୍ଵାବଧାନରେ ଏହା ସମ୍ପାଦିତ ହୋଇଥିଲା, ଜୟ ଓଡ଼ିଶା ର ସ୍ଵେଚ୍ଛାସେବୀ ଙ୍କ ସମେତ TCS ଭୁବନେଶ୍ବର ର ପ୍ରିୟବ୍ରତ ରାୟ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।
ତତସହିତ କିଛି କ୍ଲବ ଓ ସଂଗଠନ ଯଥା ପ୍ୟାସନ କ୍ଲବ, ଚାଣକ୍ୟ କ୍ଲବ,ଜ୍ଞାନପ୍ରଭା ୟୁଥ୍ କ୍ଲବ,ମହାକାଳେଶ୍ଵର ଗୋଶାଳା, କଳିଙ୍ଗ ଅନଲାଇନ ଅଟୋ ଚାଳକ ମହାସଂଘ ଆଦି ର ବହୁ ସଂଖ୍ୟକ ସଦସ୍ୟ ମାନେ ଏବଂ ସେଠାକାର ଆଞ୍ଚଳିକ ବାସିନ୍ଦା ମାନେ ସ୍ଵଇଚ୍ଛାରେ ସହଯୋଗର ହାତ ବଢାଇଥିଲେ। ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ସେଠାରେ ପହଞ୍ଚି ସଫେଇ କାର୍ଯ୍ୟରେ ସହାୟତା କରିବା ସହ ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ଏହିଭଳି ମହତ୍ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ।ସଫେଇ କାର୍ଯ୍ୟରେ ବାଲିଯାତ୍ରା କମିଟି ର ଆବାହକ ଯଶୋବନ୍ତ ଓଝା, ମିହିର ରାଉତ, ରୁବିନା ପରିଡ଼ା ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କର ଭୂରି ପ୍ରସଂଶା କରିଥିଲେ।
ବର୍ଷ ପରେ ବର୍ଷ ଆମ ଐତିହାସିକ ବାଲିଯାତ୍ରା ବଢି ବଢି ଚାଲିବ ଏହା ସହ ପରିବେଶକୁ ପୁନଃବାର ସ୍ଵଚ୍ଛ କରିବାର ଦାୟିତ୍ଵ ମଧ୍ୟ ବଢିଚାଲିବ। ଏହି ପରିବେଶ ଓ ନଦୀପଠା ଅଞ୍ଚଳ ଆମେ ବାସ କରୁଥିବା ବାୟୁମଣ୍ଡଳକୁ ପ୍ରଭାବିତ କରିଥାଏ ଏଣୁ ସବୁବେଳେ ପରିବେଶକୁ ସଫା ରଖିବା ପାଇଁ ଆମେ ସଂକଳ୍ପବଦ୍ଧ ହେବା ଉଚିତ୍ ବୋଲି ଜୟ ଓଡ଼ିଶା ର ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।