ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଦଶପଲ୍ଲାକୁ ରେଳ ଚଳାଚଳରେ ଅଯଥା ବିଳମ୍ବ ତଥା ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ ଆସନ୍ତା ୨୦ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ନୟାଗଡ଼ ସମେତ ଦଶପଲ୍ଲା ଅଞ୍ଚଳବାସୀ ସାମିଲ ହୋଇ ରେଳ ବିଭାଗ ବିରୁଦ୍ଧରେ ଯୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଆଜି ପୂର୍ବାହ୍ନରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଖୋର୍ଦ୍ଧା ମଣ୍ଡଳ ରେଳ ଅଧିକାରୀଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଦଶପଲ୍ଲାକୁ ଟ୍ରେନ ଚଳାଚଳର ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରି ଗତ ୪ମାସ ତଳୁ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରି ସାରିଛନ୍ତି । ଷ୍ଟେସନର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବିଭାଗ ଟ୍ରେନ ଚଳାଚଳର ନାମଗନ୍ଧ ଧରୁନାହିଁ । ଏପରିକି କେବେଠାରୁ ରେଳଗାଡ଼ି ଚାଲିବ ଏ ଉତ୍ତର ମଧ୍ୟ କାହା ପାଖରେ ନାହିଁ । ଟ୍ରେନ ଚଳାଚଳ ପାଇଁ ଅଞ୍ଚଳବାସୀ ଉତ୍ସୁକତାର ସହିତ ଚାହିଁ ବସିଥିବା ବେଳେ ରେଳ ବିଭାଗ ନିଦା ବିଷ୍ଣୁ ସାଜିଛି । ଆଜି ଦିଆଯାଇଥିବା ଦାବିପତ୍ରରେ ଦଶପଲ୍ଲାକୁ ଅବିଳମ୍ବେ ଟ୍ରେନ ଚଳାଚଳ ସହିତ ନୟାଗଡ଼ ଟାଉନ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ,ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ ଆରମ୍ଭ କରିବା,ଭୁବନେଶ୍ୱର ଏବଂ ପୁରୀକୁ ଅଧିକ ଟ୍ରେନ ଚଳାଚଳ କରିବା,ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ନିର୍ମାଣଧିନ ରେଳ ଓଭରବ୍ରିଜକୁ ଅବିଳମ୍ବେ ସମାପ୍ତ କରିବା,ଦ୍ୱିତୀୟ ପ୍ଲାଟଫର୍ମ କାର୍ଯ୍ୟ ତୁରନ୍ତ ଶେଷ କରିବା,ରାଜ୍ୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତଥା ଭୁବନେଶ୍ୱରଠାରେ ନୂଆଗାଁ ରୋଡ଼ ଏବଂ ଭଦ୍ରକ ଟ୍ରେନ ମଧ୍ୟରେ ରହୁଥିବା ୧୦ ମିନିଟ ବ୍ୟବଧାନକୁ ଏକଘଣ୍ଟା ବୃଦ୍ଧି କରିବା ଆଦି ରହିଛି । ଦାବିପତ୍ର ପ୍ରଦାନ ସମୟରେ ନୟାଗଡ଼ ନାଗରିକ ମଞ୍ଚ ସଭାପତି ଏବଂ ସମ୍ପଦକଙ୍କ ସମେତ ଉପସଭାପତି ପ୍ରଦୀପ କୁମାର ସାହୁ,ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ, ସଦସ୍ୟ ରାଜେନ୍ଦ୍ର ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ନାୟକ,ପ୍ରଦୀପ୍ତ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.