ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଲାଗି ଉଦ୍ଦିଷ୍ଟ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚିବା ଜରୁରୀ : ଜିଲ୍ଲାପାଳ
ଅନୁସୂଚୀତ ଜାତି ଓ ଜନଜାତି ଜାଗରୁକତା ଏବଂ ପରିଚାଳନା କମିଟି ବୈଠକ
ଯାଜପୁର/ Jay shankar Dash : ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଦିଗରେ ସରକାର ବିଭିନ୍ନ ବିଭାଗରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାହାର ସୁଫଳ ଯେଭଳି ସେହି ଲୋକମାନେ ପାଇ ପାରିବେ ସେଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ବୁଧବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁସୂଚୀତ ଜାତି ଓ ଜନଜାତି ନିବାରଣ ଆଇନର ଧାରା-୧୭ ଅନୁଯାୟୀ ଜିଲ୍ଲା ସ୍ତରୀୟ ଜାଗରୁକତା ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରି ଜିଲ୍ଲାପାଳ ଶ୍ରୀ ଦାସ ଅନୁସୂଚୀତ ଜାତି ଓ ଜନଜାତିର ଲୋକମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଅଭିଯୋଗ ଆସିଲେ ତାହାକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ଯୁଗ୍ମ ତଦନ୍ତ ମାଧ୍ୟମରେ ନ୍ୟାୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ନିର୍ଯ୍ୟାତନାର ଶିକାର ହୋଇଥିବା ପୀଡ଼ିତଙ୍କୁ ସେମାନଙ୍କ ଯୋଗାଯୋଗ ଠିକଣା ଅଭାବରୁ କ୍ଷତିପୂରଣ ଅର୍ଥ ପ୍ରଦାନରେ ବିଳମ୍ବହେଉଥିବାରୁ ମାନବିକ ଅଧିକାର ସେଲ ଦାୟିତ୍ୱରେ ଥିବା ପୋଲିସ ପୀଡ଼ିତଙ୍କ ସଠିକ୍ ଠିକଣା ସହ ଯୋଗାଯୋଗ ନମ୍ବର, ବ୍ୟାଙ୍କ ଡିଟେଲ୍ସ ଜିଲା ମଙ୍ଗଳ ବିଭାଗକୁ ଦେବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଏଥିରେ ଯୋଗଦେଇ ଯେଊଁ ବିଭାଗର ଯେଊଁ ଯୋଜନା ଗୁଡିକ ଚାଲିଚ୍ଥି ତାହାର ବ୍ୟାପକ ପ୍ରସାର କରାଗଲେ, ସାଧାରଣ ଲୋକମାନେ ଊପକୃତ ହୋଇପାରନ୍ତେ ବୋଲି କହିବା ସହ ବିଭିନ୍ନ କ୍ଷେତ୍ରରେ ପୀଡିତ ହେଊଥିବା ବ୍ୟକ୍ତି ବିଶେଷଙ୍କୁ ନ୍ୟାୟ ପ୍ରଦାନକୁ ତ୍ୱରାନ୍ୱିତ କରିବା ଊପରେ ଗୁରୁତ୍ୱ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଆରକ୍ଷୀ ଅଧିକ୍ଷକ ଅସିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଅନୁସୂଚୀତ ଜାତି ଓ ଜନଜାତିର ବିଭିନ୍ନ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ଊପରେ ଗୁରୁତ୍ୱ ଦେଇଥିଲେ । ଆନ୍ତର୍ଜାତି ବିବାହ କ୍ଷେତ୍ରରେ ସହାୟତା ରାଶି ତା ୨୨ା୭ା୧୭ ରିଖ ଠାରୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏ କ୍ଷେତ୍ରରେ ୨୦୧୬-୧୭ ରେ ବକେୟା ଥିବା ମୋଟ ୬୧ ଗୋଟି ଆବେଦନ ମଧ୍ୟରୁ ସରକାରଙ୍କ ଠାରୁ ମିଳିଥିବା ୪୩ ଲକ୍ଷ ୫୬ ହଜାର ଟଂକା ଆବଶ୍ୟକ ଥିବାବେଳେ ୪୧ ଲକ୍ଷ ୫୬ ହଜାର ଟଂକା ମିଳିଥିଲା ଓ ବଣ୍ଟନ ମଧ୍ୟ କରାଯାଇଚ୍ଥି । ଅବଶିଷ୍ଟ ଅର୍ଥ ସରକାରଙ୍କଠାରୁ ମିଳିବାପରେ ପ୍ରଦାନ କରାଯିବ । ୨୦୧୭-୧୮ ରେ ୩୦ ଟି ଆବେଦନର ସତ୍ୟାସତ୍ୟ ଯାଂଚ ହୋଇ ସରକାରଙ୍କୁ ୧୫ ଲକ୍ଷ ଟଂକାର ସହାୟତା ରାଶି ପାଇଁ ପ୍ରେରଣ କରାଯାଇଥିବା ବେଳେ ମିଳିଥିବା ୧୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।
୨୦୧୫ ମସିହାରେ ନିର୍ଯ୍ୟାତନା ଘଟଣାରେ ଅନୁସୂଚୀତ ଜାତି ଓ ଜନଜାତିର ୮୪ ଟି ଓ ଜନଜାତିର ୮ ଗୋଟି ମାମଲା ମଧ୍ୟରୁ ୮୨ ଗୋଟିର ଯୁଗ୍ମ ତଦନ୍ତ ସରିଥିବା ବେଳେ ଅନ୍ୟ ୧୦ ଗୋଟିର ତଦନ୍ତ ଜାରି ରହିଛି । ସେହିଭଳି ୨୦୧୬ ରେ ୭୪ ଟି ଅନୁସୂଚୀତ ଜାତି ଓ ୬ ଗୋଟି ଜନଜାତି ସଂପର୍କୀୟ ଘଟଣାରେ ୭୦ ଗୋଟିର ତଦନ୍ତ ସରିଥିବା ବେଳେ ଅନ୍ୟ ୧୦ଟିର ତଦନ୍ତ ଚାଲିଚ୍ଥି । ୨୦୧୭ ବର୍ତମାନ ସୁଦ୍ଧା ଅନୁସୂଚୀତ ଜାତିର ୭୯ ଟି ଓ ଅନୂସୂଚୀତ ଜନଜାତିର ୧୬ ଗୋଟି ରୁ ୪୧ ଟିର ତଦନ୍ତ ସରିଥିବା ବେଳେ ଅନ୍ୟ ୫୪ ଟିର ତୁରନ୍ତ ତଦନ୍ତ ସାରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ । ୨୦୧୬-୧୭ ବର୍ଷରେ ସରକାରଙ୍କଠାରୁ ମିଳିଥିବା ୩୦,୯୬,୭୫୦ ଟଙ୍କାର ସହାୟତା ୧୧୨ଟି କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଦାନ କରାଯାଇଛି । ୨୦୧୭-୧୮ ବର୍ଷର ବର୍ତ୍ତମାନ ସୁଦ୍ଧା ୬୮ ଗୋଟି ଆବେଦନ ପାଇଁ ୫୫ ଲକ୍ଷ ୯୦ ହଜାର ଟଂକାର ସହାୟତା ମଗାଯାଇଥିବା ବେଳେ ୨୮ ଲକ୍ଷ ୬୭ ହଜାର ୫୦୦ ଟଂକା ମିଳିଚ୍ଥି , ଯାହା ୩୬ ଜଣ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ।
ଜଙ୍ଗଲ ଅଧିକାର ଆଇନ ବଳରେ ୭୫ ବର୍ଷ ଧରି ଅନୁସୂଚୀତ ଜନଜାତି ଓ ପାରମ୍ପରିକ ଜଙ୍ଗଲ ଅଧିକାରୀଙ୍କୁ ଜମି ପ୍ରଦାନ କ୍ଷେତ୍ରରେ ୯୧୭୦ ଗୋଟି ଆବେଦନ ମଧ୍ୟରୁ ୪୨୬୭ ଗୋଟି ଗ୍ରାମ ସଭା ମଂଜୁର କରି ସବ୍-ଡିଭିଜନାଲ କମିଟିକୁ ପ୍ରେରଣ କରିଚ୍ଥି । ତନ୍ମଧ୍ୟରୁ ୪୨୫୭ ଗୋଟି ଆବେଦନକୁ ସବ୍-ଡିଭିଜନ କମିଟି ମଂଜୁର କରି ଜିଲ୍ଳ୍ା କମିଟିକୁ ପ୍ରେରଣ କରିଥିବାବେଳେ ଜିଲ୍ଲା କମିଟି ୪୨୪୩ ଟି ମଞ୍ଜୁର କରି ସେମାନଙ୍କୁ ୧୬୦୫.୬୨ ଏକର ଜମି ପଟ୍ଟା ପ୍ରଦାନ କରିଛି । ପ୍ରାରମ୍ଭରେ ଜିଲା ମଙ୍ଗଳ ଅଧିକାରୀ ଚେତନା ସେଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟସୂଚୀ ଅନୁଯାଇ ଆଲୋଚନା କରିଥିଲେ । ଏହି ଅବସରରେ ବାଲିଚନ୍ଦ୍ରପୁରର ଭାଗବତ ପ୍ରସାଦ ଦାସ ଓ ନିବେଦିତା ରାଊତ, କମଳପୁରର ବିଚିତ୍ର କୁମାର ପଣ୍ଡା ଓ ମାତନ ବେହେରା ଏବଂ ଚକ୍ରଧରପୁରର ପ୍ରଭାସ କୁମାର ମଲ୍ଲିକ ଓ ଶୈଳ ଲେଙ୍କାଙ୍କୁ ଆନ୍ତର୍ଜାତି ବିବାହ କ୍ଷେତ୍ରରେ ୫୦ ହଜାର ଟଂକା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇନ ସହାୟତା ଦେଊଥିବା ଆଇନଜିବୀ, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସ୍ୱେଛାସେବୀ ସଂଗଠନର କର୍ମକର୍ତା ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତିର ବିକାଶ ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନାଦେଇଥିଲେ ।