ଫିଲିପାଇନ୍‍ସରେ କାର୍ଯ୍ୟକାରୀ ହେବ କିସ୍‍ ମଡେଲ: ରୁଫସ୍‍ ରୋଦ୍ରିଗେଜ୍‍

2

ଭୁବନେଶ୍ୱର,୨ା୧୨: ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍‍ ମଡେଲ୍‍ ଫିଲିପାଇନ୍‍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍‍ସ ସାଂସଦ ରୁଫସ୍‍ ବି ରୋଦ୍ରିଗେଜ୍‍ କହିଛନ୍ତି। କିସ୍‍ ମଡେଲ ହେଉଛି ବିଶ୍ୱର ଶ୍ରେଷ୍ଠ ମଡେଲ। ଏଥିପାଇଁ ସେ ଫିଲିପାଇନ୍‍ସ ସଂସଦରେ ଏକ ସ୍ୱତନ୍ତ୍ର ବିଲ୍‍ ଆଗତ କରିବେ ବୋଲି କହିଥିଲେ। ଆଜି କିସ୍‍ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରୁଫସ୍‍ ଏହା କହିଛନ୍ତି। ମାନବ ସେବା ପ୍ରତି ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଆଲୋକପାତ କରି ସେ କହିଲେ ଗାନ୍ଧୀଙ୍କ ଦର୍ଶନ କିସରେ ଠିକ୍‍ ଭାବେ ପ୍ରତିଫଳିତ ହୋଇଛି। କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଲେ, ମୁଁ ମୋ ଜୀବନରେ ଏ ପର୍ଯ୍ୟନ୍ତ ଏତେ ବଡ଼ ସଭାରେ ଉଦ୍‍ବୋଧନ ଦେଇ ନ ଥିଲି। ସେ କହିଲେ, ଭାରତ ଓ ଫିଲିପାଇନ୍‍ସ ମଧ୍ୟରେ ଦୀର୍ଘ ବର୍ଷ ଧରି ସୁସମ୍ପର୍କ ରହିଆସିଛି। ଭାରତର ସଂସ୍କୃତି, ପରମ୍ପରା ଓ ଫିଲିପାଇନ୍‍ସର ସଂସ୍କୃତି ଓ ପରମ୍ପରା ସମାନ। କଳିଙ୍ଗ ନାମ ସହ ଫିଲିପାଇନ୍‍ସର ସମ୍ପର୍କ ରହିଛି। ଫିଲିପାଇନ୍‍ସରେ ଷ୍ଟେଟ୍‍ ଅଫ୍‍ କଳିଙ୍ଗ ନାମରେ ଏକ ରାଜ୍ୟ ରହିଛି ବୋଲି ସେ ସୂଚନା ଦେଇଥିଲେ।

କିଟ୍‍ ଓ କିସରେ ସୁନ୍ଦର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଶିକ୍ଷା ଜରିଆରେ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସମାନତା ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ନିମନ୍ତେ ଆମକୁ ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର, ବି ଆର୍‍ ଆମ୍ବେଦକର ଓ ଅଚ୍ୟୁତ ସାମନ୍ତଙ୍କ ଦର୍ଶନକୁ ଅନୁକରଣ କରିବାକୁ ପଡ଼ିବ ବୋଲି ସେ କହିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.