ରାଉରକେଲା ଇସ୍ପାତ କାରଖାନାର ସଚେତନତା କାର୍ଯ୍ୟକ୍ରମ ଦକ୍ଷରେ  ଏକ ହଜାରରୁ ଉର୍ଦ୍ଧ୍ଵ ଠିକା ଶ୍ରମିକଙ୍କ ଅଂଶଗ୍ରହଣ 

0

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା  ଇସ୍ପାତ କାରଖାନାର ଠିକା ଶ୍ରମିକଙ୍କ ନିମନ୍ତେ ଗତବର୍ଷ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଗତ ଅକ୍ଟୋବର ୧୧ ତାରିଖରେ ଏହାର ଏକ ଅଧିବେଶନର ଆୟୋଜନ ସହିତ ଏହି କାର୍ଯ୍ୟକ୍ରମରେ ଅଦ୍ୟାବଧି ୧୦୨୨ ଜଣ ଠିକା ଶ୍ରମିକ ସାମିଲ ହୋଇ ଏହା ଏକ ନୂତନ ସୋପାନରେ ପଦାର୍ପଣ କରିଛି। ଏହି ପ୍ରୟାସ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାରଙ୍କ ତତ୍ତ୍ଵାବଧାନରେ ୨୦୧୭ ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିଲା।  କାରଖାନାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସୁରକ୍ଷା ଅଭ୍ୟାସ ଗୁଡିକ ସମ୍ପର୍କରେ ସଚେତନ କରାଇବା, କାରଖାନାର ମୁଖ୍ୟସ୍ରୋତ ସହ ସଂଲଗ୍ନ ରହିବା ଏବଂ ଦୀର୍ଘମିଆଦି ରୂପେ ଆରଏସପିର ତାଲିମ ଓ ସୁରକ୍ଷା ସଂସ୍କୃତିକୁ ସୁଦୃଢ କରିବା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ପ୍ରାରମ୍ଭରେ ଇଲେକ୍ଟ୍ରିକଲ ଓ ମେକାନିକାଲ ମଡ୍ୟୁଲରେ ମରାମତି ଓ ସୁରକ୍ଷା ଉପରେ ଆଧାରିତ ଏହା ଦୁଇଦିନିଆ କର୍ମଶାଳା ରୂପେ ଆରମ୍ଭ ହୋଇଥିଲା ଏବଂ ପରେପରେ ଏହାକୁ ଅଧିକ ଶାଣିତ କରାଯାଇ ଏକ ଦିନିକିଆ କାର୍ଯ୍ୟକ୍ରମରେ ରୂପାନ୍ତର କରାଯାଇଛି । ଏଥିରେ କାର୍ଯ୍ୟକ୍ରମର ଏକ ଅଧିବେଶନ ଆରଏସପିରେ କାର୍ଯ୍ୟଧାରା, ଶିଳ୍ପ ହାଜାର୍ଡ଼, ସାଧାରଣ ସୁରକ୍ଷା ଓ ସୁରକ୍ଷିତ କାର୍ଯ୍ୟ ପ୍ରଣାଳୀ ଉପରେ ପର୍ଯ୍ୟବେଶିତ ରହିଥିବାବେଳେ ଅନ୍ୟ ଅଧିବେଶନ  ଆରଏସପିରେ ଓ ଆରଏସପି ନିମନ୍ତେ କାର୍ଯ୍ୟ କରିବା ଅନ୍ତର୍ଗତ ଆତ୍ମବିକାଶ, ଆନ୍ତଃକର୍ମଚାରୀ ସମ୍ପର୍କରେ ଉନ୍ନତି ସାଧନ, ଶୃଙ୍ଖଳା, କାର୍ଯ୍ୟ ପରିବେଶ ,ଏସଓପି, ଏସଏମପି, ଦଳଗତ କାର୍ଯ୍ୟ, କଲ୍ୟାଣମୂଳକ ସୁବିଧା ସୁଯୋଗ ଓ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ଆଦି ଉପରେ ପର୍ଯ୍ୟବେଶିତ ରହିଛି । ସୂଚନାଯୋଗ୍ୟ ଯେ, ଉକ୍ତ କାର୍ଯ୍ୟକ୍ରମ ମାସରେ ଦୁଇଥର ଏଚଆରଡ଼ି ସେଣ୍ଟରଠାରେ ଅନୁଷ୍ଠିତ ହେଉଛି। ଠିକା ଶ୍ରମିକଙ୍କ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନକୁ ବ୍ୟାପ୍ତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇଛି ।   

Leave A Reply

Your email address will not be published.