ନଭେମ୍ବର ୫ରୁ ବରଗଡ଼ରେ ଧାନକିଣା

0

ବରଗଡ଼(ଶାସକ ପ୍ରଶାସକ) – ବରଗଡ଼ ଜିଲାରେ ଆସନ୍ତା ନଭେମ୍ବର ୫ତାରିଖରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନରେ ଖୋଲାଯିବାକୁ ଥିବା ୧୬୬ଟି ମଣ୍ଡିରେ ଏହି ଧାନ ସଂଗୃହୀତ ହେବ। ସଂଗୃହୀତ ଧାନକୁ ସରକାରୀ ସହାୟକ ମୂଲ୍ୟରେ ଅର୍ଥାତ୍‌ ସାଧାରଣ ଧାନ  କୁଇଣ୍ଟାଲ ପ୍ରତି ୧୭୫୦ ଟଙ୍କା ଏବଂ ଗ୍ରେଡ-ଏ ଧାନକୁ ୧୭୭୦ ଟଙ୍କାରେ କିଣାଯିବ। ଏଥର ମଧ୍ୟ ଧାନକିଣାରୁ ମାର୍କଫେଡ୍‌କୁ ବାଦ୍‌ ଦିଆଯାଇ ଥିବାବେଳେ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଜରିଆରେ ଯୋଗାଣ ନିଗମ ଏବଂ ଅନ୍ୟତମ ଧାନକ୍ରୟ ସଂସ୍ଥା ଟିଡିସିସି ଜରିଆରେ ପ୍ୟାକ୍ସ ଧାନ କିଣିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। କ୍ରୟଧାନର ପ୍ରାପ୍ୟରାଶି ଚାଷୀଙ୍କୁ ପି-ପାସ୍‌ ମାଧ୍ୟମରେ ୨୪ଘଣ୍ଟାରୁ ୭୨ଘଣ୍ଟା ମଧ୍ୟରେ ଆକାଉଣ୍ଟରେ ଜମା ହେବ। ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସପ୍ତାହକ ୬ଦିନ ମଣ୍ଡିଗୁଡ଼ିକ ଖୋଲା ରହିବ ଏବଂ ଚାଷୀମାନେ ଦୈନିକ ସର୍ବାଧିକ ୭୫କୁଇଣ୍ଟାଲ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣି ପାରିବେ। ସେହିପରି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ  ମଣ୍ଡିଗୁଡ଼ିକରେ ଧାନ ଗ୍ରହଣ କରାଯିବ ଏବଂ ସଂଗୃହୀତ ତଥା କ୍ରୟଧାନକୁ ଦିନ ୧ଟା ପରେ ମିଲର୍ସମାନେ ଉଠାଇବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଅତିରିକ୍ତ ଜିଲାପାଳ ତପିରାମ ମାଝିଙ୍କ ସମେତ ଅନ୍ୟ ଅଧିକାରୀ, ଚାଷୀ ଓ ମିଲର୍ସ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.