ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ମାନଙ୍କର ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ବିରୋଧୀ ରାଜନେତା ମାନଙ୍କର ଗଣତାନ୍ତ୍ରିକ ସ୍ୱର ଓ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ଏବଂ ଗିରଫଦାରି ପ୍ରତିବାଦ ରେ ରାଉରକେଲା ରେ ବିକ୍ଷୋଭ ପ୍ରଦର୍ଶନ
ରାଉରକେଲା,(ବସନ୍ତ କୁମାର ଜେନା): ନରେନ୍ଦ୍ର ମୋଦି ସରକାର ଦେଶର ଗଣତନ୍ତ୍ର, ଗଣ ମାଧ୍ୟମ, ଗଣ ସାମ୍ବାଦିକ ଏବଂ ଭିନ୍ନମତ ପୋଷଣ କରୁଥିବା ବିରୋଧୀ ରାଜନେତା ମାନଙ୍କ ଉପରେ ନଗ୍ନ ଆକ୍ରମଣ ଆରମ୍ଭ କରିଛନ୍ତି l ଅକ୍ଟୋବର 3 ତାରିଖ ରେ ଦିଲ୍ଲୀସ୍ଥିତ “ନ୍ୟୁଜ କ୍ଲିକ” ଅନ ଲାଇନ ସମ୍ବାଦ ପତ୍ର ର ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକ ଶ୍ରୀ ପ୍ରବୀର ପୂରକାୟସ୍ଥଙ୍କ ବାସଗୃହ ଉପରେ ଇ ଡ଼ି ତରଫରୁ ଚଢ଼ାଉ କରିବା ସହିତ ତାଙ୍କର ଲାପଟପ, ମୋବାଇଲ ଫୋନ ଇତ୍ୟାଦି ଜବତ କରା ଯାଇଛି l ଏହା ସହିତ ବହୁ ବରିଷ୍ଠ ସାମ୍ବାଦିକ,ପ୍ରଖ୍ୟାତ ଇତିହାସବିଦ,ବ୍ୟଙ୍ଗ ଚିତ୍ରକାର,ସମେତ ‘ନ୍ୟୁଜ କ୍ଲିକ’ ପ୍ରତିଷ୍ଠାନ ର ସାମ୍ବାଦିକ ଏବଂ କର୍ମଚାରୀ ମିଶି ମୋଟ 46 ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କର ଲାପଟପ, ମୋବାଇଲ ଫୋନ ଏବଂ ନାନାଦି ଡକ୍ୟୁମେଣ୍ଟ, ଆଦି ଜବତ କରିବା ସହିତ ସେମାନଙ୍କୁ ଘଣ୍ଟା ଘଣ୍ଟା ଜେରା କରାଯାଇ ଅଟକ ରଖାଯିବା ଭଳି ଅଗଣତାନ୍ତ୍ରିକ ପଦକ୍ଷେପ ନିଆଯାଇଛି l ‘ନ୍ୟୁଜ କ୍ଲିକ’ ର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଏବଂ ମାନବ ସମ୍ବଳ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଅତି ସଙ୍ଗୀନ ଆଇନ ୟୁ ଏ ପି ଏ(ଵେଆଇନ କାର୍ଯ୍ୟ କଳାପ ପ୍ରତିରୋଧ ଆଇନ) ରେ ଗିରଫ କରାଯାଇଛି l
ଦେଶର ଐତିହାସିକ ଚାଷୀ ଆନ୍ଦୋଳନ, ସାହିନବାଗ ର ନାଗରିକ ଅଧିକାର ଆନ୍ଦୋଳନ, ଜବହାରଲାଲ ବିଶ୍ୱ ବିଦ୍ୟାଳୟ ଛାତ୍ର ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ ଆଦି ଜନ ଆନ୍ଦୋଳନ ର ପ୍ରକାଶନ ଏବଂ ପ୍ରସାରଣ କରିଥିବା ସାମ୍ବାଦିକ ଏବଂ ସମ୍ବାଦପତ୍ର ମାନେ ସରକାରଙ୍କ ଆକ୍ରୋଶ ର ଶିକାର ହୋଇଛନ୍ତି l ଏହି ପ୍ରକ୍ରିୟା ରେ ଅନେକ ସାମ୍ବାଦିକ ମାନଙ୍କ ବିରୋଧ ରେ ମଧ୍ୟ ଅଭିଯୋଗ ପତ୍ର ଏବଂ ଏଫ ଆଇ ଆର ଦରଜ ହୋଇଛି l
ତଥ୍ୟ ଏବଂ ସତ୍ୟ ଉପରେ ଆଧାରିତ ଜନସାଧାରଣ ଙ୍କ ସ୍ୱାର୍ଥ ପାଇଁ ଅନବରତ କାମ କରି ସମ୍ବାଦ ପରିବେଷଣ କରୁଥିବା ଗଣ ସାମ୍ବାଦିକ ଏବଂ ଗଣ ସମ୍ବାଦପତ୍ର ଉପରେ ଏହିଭଳି ଆକ୍ରମଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଅଟେ l
ଏହା ପୂର୍ବରୁ ମୋଦି ସରକାର ବି ବି ସି, ନ୍ୟୁଜ ଲଣ୍ଡ୍ରି, ୱାୟାର, ଦୈନିକ ଭାସ୍କର, ଭାରତ ସମାଚାର ଆଦି ସମ୍ବାଦ ସରବରାହ ସଂସ୍ଥା ବିରୋଧ ରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ କଣ୍ଠରୋଧ କରିବାକୁ ଅପଚେଷ୍ଟା କରିଛନ୍ତି l ସେହିଭଳି ଆମ ଆଦମୀ ପାର୍ଟି ର ସାଂସଦ ଶ୍ରୀ ସଞ୍ଜୟ ସିଂହଙ୍କ ବିରୋଧ ରେ ପ୍ରତିଶୋଧ ପରାୟଣ ହୋଇ ଗିରଫ କରାଯାଇଛି l ଏହା ପୂର୍ବରୁ ସରକାରଙ୍କ ଜନ ବିରୋଧୀ ନିତୀ କୁ ବିରୋଧ କରୁଥିବା ପ୍ରମୁଖ ବିରୋଧୀ ଦଳ ର ଅନେକ ନେତାଙ୍କୁ ଇ ଡ଼ି ଦ୍ୱାରା ଜେରା କରାଯାଇଛି ଏବଂ ଏବେ ମଧ୍ୟ ଅନେକ ବିରୋଧୀ ରାଜନେତା, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀ ଜେଲ ରେ ବନ୍ଦୀ ଜୀବନ ବିତାଉଛନ୍ତି l
ସାମଗ୍ରିକ ଭାଵେ ଏହା ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ, ନାଗରିକ ଅଧିକାର, ଅଭିବ୍ୟକ୍ତି ର ସ୍ୱାଧୀନତା ଏବଂ ମତବ୍ୟକ୍ତ କରିବାର ଅଧିକାର ଉପରେ ନଗ୍ନ ଆକ୍ରମଣ l ଏହା ଅଘୋଷିତ ଜରୁରୀ ପରିସ୍ଥିତି ସହିତ ସମାନ l
ଏହି ଆକ୍ରମଣ ଏବଂ ଗିରଫଦାରି କୁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶା ର ବିରୋଧୀ ରାଜନୈତିକ ଦଳ ମାନେ ତୀବ୍ର ପ୍ରତିବାଦ କରିବା ପାଇଁ ଡାକରା ଦିଆଯାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ,ସି ପି ଆଇ,ସି ପି ଆଇ ( ଏମ୍) ଓ ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଉରକେଲା ଉଦିତନଗର ସ୍ଥିତ ଆମ୍ବେଦକର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l
ଏହି ପ୍ରତିବାଦ ଆନ୍ଦୋଳନ ରେ ଭାରତୀୟ ଜାତୀୟ କଂଗ୍ରେସ ରାଉରକେଲା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବବ୍ରତ ବିହାରୀ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବିରେନ ସେନାପତି, ଗଣେଶ ପ୍ରଧାନ, ରବି ରାୟ, ଞାନେନ୍ଦ୍ର ଦାସ, ରଶ୍ମି ପାଢ଼ୀ, ପ୍ରବୋଧ ଦାସ, କୈଳାସ ସାହୁ, ସନ୍ତୋଷ ବିଶ୍ଵାଳ, ଗୋପାଳ ଦାସ,ବୈଲୋଚନ ସାହୁ,ସୁଧିର ନାଥ, ଗୀତା ସିଂହ,ସୁମିତ କନ୍ସାରୀ, ଶାରଦା ପ୍ରସନ୍ନ ଦାସ,ଆଦେଶ ସୁନା,ଶିବୁ ଦୀପ,ସି ପି ଆଇ ଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ବିମାନ ମାଇତି, ରାଉରକେଲା ସଂପାଦକ ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ବସନ୍ତ ନାୟକ,ଅଜୟ ଶର୍ମା, ହୃଦୟାନନ୍ଦ ଯାଦବ,ଅରୁ ଦାସ, ବିନୟ ବେଉରିଆ, ଅରିନ୍ଦମ ଦତ୍ତ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ,ଲକ୍ଷ୍ମୀଧର ନାୟକ, ଦିବାକର ମହାରଣା, ବସନ୍ତ ପାଢ଼ୀ, ଅନାଦି ସାହୁ, ବାସୁଦେବ ସାହୁ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ଶକୁନ୍ତଳା ମହାକୁଡ଼, ଜନ୍ମେଜୟ ଘୋଷ,କୁନ୍ଦନ ବେହେରା,ସି ପି ଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ,ଦସରୁ କିଷାନ, ପଞ୍ଚାନନ ସୁନା, ମହେଶ୍ଵର ଦୀପ, ଅପର୍ଣ୍ଣା ରାଉତରାୟ, ଆମ୍ ଆଦମୀ ପାର୍ଟିର ସୁନ୍ଦରଗଡ଼ ଜିଲ୍ଲା ଆବାହକ ବିନୟ ତିୟାରୀ,କୁନି ମୁଣ୍ଡା,ବିନୟ କୁଲ୍ଲୁ, ସନ୍ତୋଷ ବେହେରା, କୁମାରୀ ପାତ୍ର,ସୁରେଶ ସିନ୍ନା,ପୁନା ଏକ୍କା, ଜଗଦୀଶ ସେଠୀ ପ୍ରମୁଖ ବହୁ ନେତୃବୃନ୍ଦ ଏହି ପ୍ରତିବାଦ ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ l
ଦେଶର ଏହି ସଂକଟ ସମୟରେ ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଏବଂ ସମ୍ବାଦପତ୍ର ର ସ୍ୱାଧୀନତା କୁ ରକ୍ଷା କରିବା ପାଇଁ ଦେଶବାସୀ ଆଗେଇ ଆସିବା ନିମନ୍ତେ ମିଳିତ ବିରୋଧୀ ରାଜନୈତିକ ଦଳ ମାନଙ୍କର ନେତୃବୃନ୍ଦ ଆହ୍ୱାନ କରିଛନ୍ତି ।