ଓଡ଼ଗାଁ,୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ଦେବତର କମିସନର ଭୁବନେଶ୍ଵରଙ୍କ କାର୍ଯ୍ୟାଳୟ ଆଦେଶ ନମ୍ବର ୯୦୬୯/୬୬୨ ନୟାଗଡ଼ (ଏମ୍) ତା ୨୫.୦୮.୨୦୨୩ ରିଖ ଅନୁସାରେ ଓଡ଼ଗାଁ ରାଧାକାନ୍ତ ମଠ ସମ୍ପତି ରକ୍ଷଣାବେକ୍ଷଣ ଓ ସମ୍ପୁର୍ଣ୍ଣ ପରିଚାଳନା ପାଇଁ ମାନ୍ୟବର ହାଇକୋର୍ଟ ଓଡ଼ଗାଁ ତହସିଲଦାରଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ମଠର ଟ୍ରଷ୍ଟି ଭାବରେ ଦାୟିତ୍ୱ ତୁଲେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ଓଡ଼ଗାଁ ବିକାଶ ପରିଷଦ ତରଫରୁ ସୁଶାନ୍ତ କୁମାର ସାହୁଙ୍କ ସହିତ ଅନ୍ୟମାନେ ସୋମବାର ଓଡ଼ଗାଁ ତହସିଲ କାର୍ଯ୍ୟାଳୟକୁ ଯାଇ ସମସ୍ତ ଦାୟିତ୍ଵ ତହସିଲ ଅଧିନକୁ ଆସିଥିବା ନେଇ ତହସିଲଦାର ଅନିଲ କୁମାର ଆଚାର୍ଯ୍ୟଙ୍କୁ ଭେଟିଥିଲେ । ସୂଚନା ଅନୁସାରେ ଓଡ଼ଗାଁ ରାଧାକାନ୍ତ ମଠ ମହନ୍ତ ପଦ୍ମଚରଣ ଦାଶଙ୍କ ୨୦୧୬ ମସିହାରେ ଦେହାନ୍ତ ପରେ ଦେବତର ବିଭାଗ ପତ୍ର ସଂଖ୍ୟା ୮୩୨୪ ତା. ୧୩.୧୦.୨୦୨୨ ରିଖ ଅନୁସାରେ ବ୍ରହ୍ମପୁରର ନୀତେଶ କୁମାର ପଣ୍ଡାଙ୍କୁ ରାଧାକାନ୍ତ ମଠ ପରିଚାଳନା ନିମନ୍ତେ ନିଯୁକ୍ତ କରିଥିଲେ । ଏବଂ ପଦ୍ମଚରଣ ଦାଶଙ୍କ ନାମରେ ଗଞ୍ଜାମ ଜିଲ୍ଲାରେ ଥିବା ଅନ୍ୟ ଦୁଇଟି ମଠ ପରିଚାଳନା ଦାୟିତ୍ୱକୁ ମଧ୍ୟ ଅନୁରୂପ ଭାବେ ଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳ ବାସୀ ଦେବତର ବିଭାଗର ନିଯୁକ୍ତି ବିପକ୍ଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଓଡ଼ଗାଁ ରାଧାକାନ୍ତ ମଠ ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ, ଓଡ଼ଗାଁ ମଧ୍ୟ ସେମାନଙ୍କ ସହିତ ମିଳିତ ହୋଇ ହାଇକୋର୍ଟ ଯାଇଥିଲେ । ଏ ସଂକ୍ରାନ୍ତରେ ବିଚାର କରି ହାଇକୋର୍ଟ ସ୍ବର୍ଗତ ପଦ୍ମଚରଣ ଦାଶଙ୍କ ନାମରେ ଥିବା ଗଞ୍ଜାମ ଜିଲ୍ଲାର ଦୁଇଟି ମଠକୁ ଦେବତର ବିଭାଗ ପରିଚାଳନା କରିବା ପାଇଁ ଆଦେଶ ଦେଇଥିବା ବେଳେ ଓଡ଼ଗାଁ ତହସିଲଦାର ଅନ୍ୟାଦେଶ ପର୍ଯ୍ୟନ୍ତ ରାଧାକାନ୍ତ ମଠ ଦାଇତ୍ୱରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ଗାଁରୁ ଯେଉଁମାନେ ଏହି ଲଢେଇରେ ସାମିଲ ଥିଲେ, ସେମାନେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post