“ରିଲସ ବନେଇବା, ପାର୍ଲର ଯିବା ଭଳି କ୍ଷଣିକ ଆନନ୍ଦ ଅପେକ୍ଷା ମାନସିକ ଶାନ୍ତି ପ୍ରତି ଗୁରୁତ୍ୱ ଦେବା ଜରୁରୀ”

0

‘ମୋ କଲେଜ’, ‘ଇନରହୁଇଲ’ର ମିଳିତ ଉଦ୍ୟମ ରମାଦେବୀରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା ଚକ୍ର

ଭୁବନେଶ୍ୱର: ଆଜିର ଆଧୁନିକତା ଓ ଦୈନନ୍ଦିନ ଜୀବନଶୈଳୀ ମଧ୍ୟରେ ମାନସିକ ଚାପ, ଅତ୍ୟଧିକ ଚିନ୍ତା ଏବଂ ଉଦାସୀନତା ଆସିଥାଏ | ବିଶେଷ ଭାବେ ମହିଳା ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଯୌନ ଶୋଷଣ, ଅସାଧୁ ସ୍ପର୍ଶ, ଆର୍ଥିକ ଶଙ୍କଟ, ପ୍ରେମ ସମ୍ପର୍କରେ ବିଛିନ୍ନତା, ପାରିବାରିକ ଅସନ୍ତୋଷ, ତୁଛତା, ନିଜ ଲୋକଙ୍କୁ ହରେଇବା, ସାଇବର ଠକେଇ, ଅସୁନ୍ଦରତା, ପରୀକ୍ଷା ଚାପ, ପରୀକ୍ଷା ଫଳ, ଚାକିରୀ ଆଦିକୁ ନେଇ ମାନସିକ ଅଶାନ୍ତି ଉପୁଜିଥାଏ | ସମୟ ଏମିତି ଆସେ, ଜଣେ ନିଜର କ୍ଷତି କରିବାକୁ ମଧ୍ୟ ପଛାଏ ନାହିଁ | ତେବେ ଏଥିରେ ସୁଧାର ଆଣିବା ନେଇ ଶାରୀରିକ, ସାମାଜିକ ଓ ଭାବପ୍ରବଣତା ସୁସ୍ଥତା ସହ ମାନସିକ ସୁସ୍ଥତାର ଗୁରୁତ୍ୱପୂର୍ଣ ଭୂମିକା ରହିଛି | ‘ମୋ କଲେଜ’ ଅଭିଯାନ ଓ ଭୁବନେଶ୍ୱର ‘ଇନରହୁଇଲ’ କ୍ଲବ ମିଳିତ ଉଦ୍ୟମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ‘ମାନସିକ ସୁସ୍ଥତା’ ସମ୍ପର୍କିତ ଆଲୋଚନା ଚକ୍ର ପରିପ୍ରେକ୍ଷୀରେ ଆଲୋଚକମାନେ ଏପରି ବକ୍ତବ୍ୟ ରଖିଥିଲେ |
କାର୍ଯ୍ୟକ୍ରମ ଅବସରରେ କ୍ଲବର ପୂର୍ବତନ ସଭାନେତ୍ରୀ ସନ୍ଧ୍ୟା ପଟ୍ଟନାୟକ ସଭା ପରିଚାଳନା କରିଥିଲେ | ମୁଖ୍ୟ ଆଲୋଚକ ଭାବେ ରାଜ୍ୟର ସୁପରିଚିତ ମାନସିକ ରୋଗ ବିଶେଷଜ୍ଞ ଡା. ଅମ୍ରିତପାଟଯୋଶୀ ଯୋଗଦେଇ ମାନସିକ ରୋଗର ବିଭିନ୍ନ ଦିଗ ଓ ପ୍ରୟୋଜନୀୟତା ବାବଦରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ପ୍ରତିକୂଳ ପରିସ୍ଥିତିକୁ ଦକ୍ଷତାର ସହ ସାମ୍ନା କରିବାକୁ ପରାମର୍ଶ ଦେଇଥିଲେ | ଏଥିସହ ପାରସ୍ପରିକ ଆଲୋଚନା ଜରିଆରେ ଛାତ୍ରୀଙ୍କ ବହୁ ପ୍ରଶ୍ନର ଉତ୍ତର ରଖିଥିଲେ | ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ | ଅନଲାଇନ, ଡିଜିଟାଲ ୱାର୍ଲଡ ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କେଉଁଭଳି ଭାବେ ମାନସିକ ବିଷାଦ ପହଞ୍ଚାଉଛି, ସେନେଇ ମାର୍ଗ ଦର୍ଶନ କରାଇଥିଲେ | ସମ୍ମାନିତ ଅତିଥି ରୂପେ ‘ଇନରହୁଇଲ’ କ୍ଲବର ପୂର୍ବତନ ରାଜ୍ୟାଧ୍ୟକ୍ଷା ଯୋଗଦେଇ ରିଲସ ବନେଇବା, ପାର୍ଲର ଯିବା ଭଳି ଏବେକାର ଟ୍ରେଣ୍ଡ କ୍ଷଣିକ ଆନନ୍ଦ ଅପେକ୍ଷା ମାନସିକ ଶାନ୍ତି ପ୍ରତି ଗୁରୁତ୍ୱ ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାଉନସେଲିଂଇନଚାର୍ଜ ଡ. ସାୟନ୍ତନୀ ବେହେରା, ସଭାନେତ୍ରୀ ମୀରା ମହାପାତ୍ର ଏବଂ ସମ୍ପାଦିକା ସୁସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱବିଦ୍ୟାଳୟ ଓ କ୍ଲବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ | ପରିଶେଷରେ ‘ମୋ କଲେଜ’ ଅଭିଯାନର ବିଶ୍ୱବିଦ୍ୟାଳୟ ସଂଯୋଜକ ଡ. ସ୍ନେହଲତା ଦାସ ଧନ୍ୟବାଦ ଦେଇଥିଲେ |

Leave A Reply

Your email address will not be published.