୪ ଦିନ ହେଲା ଅଘୋଷିତ ବିଦ୍ୟୁତ କାଟ, ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ସଜବାଜ

0

ଜମନକିରା,୨୦/୮ 🙁 ଲିପନ ନାଏକ) : ଜମନକିରା ବିଦ୍ୟୁତ ସେକ୍ସନ ଅଞ୍ଚଳରେ ଗତ ୪ଦିନ ହେବ, ବିନା ଘୋଷଣାରେ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଉଛି। ଯଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ତେବେ ଆସନ୍ତା କାଲି ଠାରୁ ଯଦି ଏଭଳି ସମସ୍ୟା ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଏ, ତାହେଲେ ଗ୍ରିଡ଼ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଆଞ୍ଚଳିକ ସମସ୍ୟା ସମାଧାନ ମଞ୍ଚ ଏବଂ ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି।
ସୂଚନା ଅନୁସାରେ, ଜମନକିରା ଗ୍ରୀଡ଼ରେ ବିଭିନ୍ନ ସମୟରେ ରକ୍ଷଣା ବେକ୍ଷଣା ନାଁରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି। ନିୟମ ଅନୁସାରେ ବିଦ୍ୟୁତ ସରବରାହ ଯଥେଷ୍ଟ ପୂର୍ବରୁ ସାଧାରଣ ଲୋକଙ୍କ ଅବଗତ କରିବା ପାଇଁ ମାଇକ, ଗାଡ଼ି ଆଦି ବିଭିନ୍ନ ମାଧ୍ୟମ ଜରିଆରେ ଜଣେଇବା ପରେ ବିଦ୍ୟୁତ କାଟ କରାଯିବା କଥା। ମାତ୍ର ଏଠାରେ ଏହାର ସମ୍ପୂର୍ଣ୍ଣ ଖିଲାପ କରାଯାଉଛି। ବିଭାଗ ଅଧିକାରୀ ମନଇଚ୍ଛା ସରବରାହ ବନ୍ଦ କରିଦେଉଛନ୍ତି। ଲୋକେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ସଚେତନ କରି ଆସୁଥିଲେ ସୁଦ୍ଧା ସେମାନେ କର୍ଣ୍ଣପାତ କରୁନାହାନ୍ତି। ଗତ ୪ ଦିନରୁ ଜମନକିରା ଅଞ୍ଚଳରେ ବିଦ୍ୟୁତ ସରାବରହ ବାଧା ପ୍ରାପ୍ତ ହେଉଛି l ବିଭିନ୍ନ ସମୟରେ ବିଦ୍ୟୁତ କାଟ ଯୋଗୁଁ ଅଞ୍ଚଳ ବାସି ନାହିଁ ନଥିବା କଷ୍ଟ ଭୋଗ କରୁଛନ୍ତି l ବର୍ତମାନ ଚାଷ ସମୟ ଥିବା ଯୋଗୁଁ ଚାଷୀ ମାନେ ଧାନ କାର୍ଡ ନିର୍ମାଣ, ସାର କ୍ରୟ ପାଇଁ ଜମନକିରା ଲେମ୍ପସ ଓ ଅନ୍ୟାନ୍ୟ ଜରୁରୀ କାଳୀନ କାର୍ଯ୍ୟ ପାଇଁ ବିଦ୍ୟୁତ ର ଆବଶ୍ୟକତା ରହୁଥିବା ବେଳେ ଅନ୍ୟ ପକ୍ଷରେ ପିଇବା ପାଣି ପାଇଁ ମୋଟର ଚଳିତ ଯନ୍ତ୍ର ବନ୍ଦ ହେଇପଡୁଛି। ଲୋକେ ପାଣି ପାଇଁ ଡହକ ବିକଳ ହେଉଛନ୍ତି। ବିଦ୍ୟୁତ ସେବା ବାଧା ପ୍ରାପ୍ତ ଥିବା ଯୋଗୁଁ ଜନ ସାଧାରଣଙ୍କ ଅନେକ କାର୍ଯ୍ୟ ହୋଇ ପାରୁନାହିଁ। ଯାହା ଫଳରେ ଅଞ୍ଚଳବାସି ଅସନ୍ତୋଷ ଥିବା ଦେଖାଦେଇଛି l ଏସମ୍ପର୍କରେ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରି ପଚାରିଲେ ସଠିକ ତଥ୍ୟ ପ୍ରଦାନ କରୁନଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି l ଏଠାରେ ସୂଚନା ଥାଉକି ଗତ ଶୁକ୍ରବାର ସକାଳ ୮ ଟାରୁ ଅପରାହ୍ନ ସାଢେ଼ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ଥିବା ବେଳେ ଗୁରୁବାର ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜମନକିରାରେ ବିଦ୍ୟୁତ ସରାବରାହ ବନ୍ଦ ଥିଲା। ଆଜି ପ୍ରାୟ ୭/୮ ଥର ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ବନ୍ଦ ହେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଛି ମାତ୍ର ଅଧିକାରୀ ଫୋନ ଉଠାଉ ନାହାନ୍ତି। ଟାଟା ପାୱାର ନେଲା ଦିନ ଠାରୁ ଲୋକଙ୍କ ଉପରେ ଜୁଲମ କରାଯାଉଛି। ପ୍ରତ୍ୟହ ବିଦ୍ୟୁତ କାଟ ଦିନକୁ ୧୫ ରୁ ୨୦ ଥର କଟା ଯାଉଥିବା ଦେଖିବାକୁ ମିଳୁଛି। ବିଦ୍ୟୁତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ନହେଲେ ଜମନକିରା ଅଞ୍ଚଳବାସୀଙ୍କ ଆନ୍ଦୋଳନର ସମ୍ମୁଖୀନ ହେବାକୁ ପଡିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଚେତାବନୀ ଦିଆଯାଉଛି।

Leave A Reply

Your email address will not be published.