
ପଦ୍ମପୁର:-କୃଷି ଓ କୃଷକଙ୍କ ହିତକୁ ଆଖି ଆଗରେ ରଖି ଆଜି ପଦ୍ମପୁର ଟାଉନ ହଲ୍ ଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ଏଥିରେ ଯୋଗଦାନ କରି କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ପ୍ରାଥମିକ କର୍ମକର୍ତ୍ତା ମାନଙ୍କୁ ସମ୍ବୋଧିତ କରିଥିଲେ।ନିରନ୍ତର କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ବୃଦ୍ଧି ହିଁ ସରକାରଙ୍କ ଲକ୍ଷ୍ୟ । ତେଣୁ ପ୍ରଧାନମନ୍ତ୍ରୀ ଫସଲ୍ ବୀମା ଯୋଜନାରେ ଯେପରି ଓଡ଼ିଶାର ସମସ୍ତ ଚାଷୀ ଉଚିତ୍ ଭାବେ ପଞ୍ଜୀକୃତ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇଛନ୍ତି। ଆସନ୍ତା ଖରିଫ୍ ଋତୁରେ ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯେପରି ଉଚିତ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେ ବିଷୟରେ ଆଜି ପଦ୍ମପୁର ଟାଉନହଲ୍ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଶାଳ କର୍ମଶାଳାରେ ଯୋଗଦେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏହା ଉପରେ ସବିଶେଷ ଆଲୋଚନା କରିଛନ୍ତି। ଚଳିତ ଖରିଫ୍ ଋତୁ ଠାରୁ ଫସଲ ବୀମାରେ ପଞ୍ଜୀକୃତ ହେବା ପାଇଁ ଚାଷୀଙ୍କୁ ୨ ହେକ୍ଟର ପର୍ଯ୍ୟନ୍ତ ପ୍ଲଟ୍ ପିଛା ମାତ୍ର ୧ ଟଙ୍କା ଦେବାକୁ ପଡିବ। ୨ ହେକ୍ଟର ପର୍ଯ୍ୟନ୍ତ ଚାଷୀ ମାନଙ୍କର ବୀମା ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ତେଣୁ ଏହି ଖରିଫ୍ ଋତୁରେ ବହୁ ସଂଖ୍ୟକ ଚାଷୀ ବୀମାରେ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ରାଜସ୍ବ ଓ ପରିସଂଖ୍ୟାନ ବିଭାଗର ପ୍ରାଥମିକ କର୍ମକର୍ତ୍ତାଙ୍କର ଗୁରୁ ଦାୟିତ୍ବ ରହିଛି। ଶସ୍ୟ କାଟ କରିବା ପାଇଁ କ୍ଷେତ୍ର ନିରୂପଣ, ପାଦମାପ କରିବାର ପ୍ରକ୍ରିୟା, ଅମଳ ପରିମାଣ, ରେଣ୍ଡମ୍ ସେମ୍ପଲିଙ୍ଗ୍, ସେଚିତ ଓ ଅଣସେଚିତ ଜମି ନିରୂପଣ, ଉନ୍ନତ ଓ ଦେଶୀ ଚାଷ ପ୍ରଣାଳୀ ଚୟନ ଆଦି ଭଳି ଜଟିଳ ପ୍ରକ୍ରିୟା ଗୁଡ଼ିକ ବିଷୟରେ ବିଭାଗୀୟ ଅଧିକାରୀ ମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେସବୁ ପ୍ରକ୍ରିୟାକୁ ବ୍ୟବହାରିକ ଭାବେ ପ୍ରାଥମିକ କର୍ମକର୍ତ୍ତା ମାନେ ମଞ୍ଚରେ କରିକି ଦେଖାଇଥିଲେ। ଆସନ୍ତା ଖରିଫ୍ ଋତୁ ପାଇଁ ପଦ୍ମପୁର ଉପଖଣ୍ଡର ସମସ୍ତ ଚାଷୀ ଯେମିତି ଫସଲ ବୀମା ଅନ୍ତର୍ଭୁକ୍ତ ହେବେ ଓ ନିର୍ଭୁଲ ଭାବରେ ଏହି ସବୁ ପ୍ରକ୍ରିୟାର ଦସ୍ତାବିଜ ପ୍ରସ୍ତୁତ କରାଯିବ ତାହା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟପ୍ପୋ ବିଶେଷ ଗୁରୁତ୍ବ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ମଶାଳାରେ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ପଦ୍ମପୁର ଉପଖଣ୍ଡରେ ଅଧିକ ଉତ୍ସାହର ସହ କାମ କରି ଏହି ବୀମା ଯୋଜନାର ଲକ୍ଷ୍ୟକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି କର୍ମଶାଳାରେ ପଦ୍ମପୁର ଏଡିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ। କୃଷି ବିଭାଗ, ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମକର୍ତ୍ତା ମାନେ ଏହି କର୍ମଶାଳାରେ ଭାଗନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରାପ୍ତ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.